କରଞ୍ଜିଆ(ଦୀପକ ଶର୍ମା): ଜଳବନ୍ଦୀ ହେଲା ହାଇସ୍କୁଲ । ସ୍କୁଲ ଭିତରେ ଆଣ୍ଠୁଏ ଲେଖା ପାଣି ପଶିବାରୁ ରାତି ଅଧରେ ୪୭ ପିଲାଙ୍କୁ ଉଦ୍ଧାର କରିଛି ପ୍ରଶାସନ । ଏପରି ଘଟଣା ମୟୂରଭଂଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି ପଞ୍ଚାୟତ ହାଇସ୍କୁଲ ହୋଇଛି।
ଗତ ଦୁଇଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଦେଓ ନଦୀ ବନ୍ଧରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଦୁଧିଆଣି ପଞ୍ଚାୟତ ହାଇସ୍କୁଲ ଏବେ ଜଳ ଘେରରେ ରହିଛି।। ସ୍କୁଲରେ ପ୍ରାୟ ୧୨୭ ପିଲା ପାଠ ପଢ଼ୁଥିବା ବେଳେ ୯୭ ପିଲା ହଷ୍ଟେଲରେ ରୁହନ୍ତି। ମାତ୍ର ଧିରେ ଧିରେ ଜଳସ୍ତର ବଢ଼ିବାରୁ ଆଖପାଖ ଅଞ୍ଚଳର ୫୦ ପାଖାପାଖି ପିଲା ନିଜ ଘରକୁ ପଳାଇଥିଲେ। ହେଲେ ଦୂରଦୂରାନ୍ତରୁ ଆସିଥିବା ୪୭ ପିଲା ସ୍କୁଲରେ ରହି ଯାଇଥିଲେ।
ଦେଓ ନଦୀ ଜଳସ୍ତର ଧିରେ ଧିରେ ବଢ଼ିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ନଜରରେ ରଖିଥିଲା। ହେଲେ ଜଳସ୍ତର କମିବା ନାଁ ନ ଧରିବାରୁ ଗତକାଲି ବିଳମ୍ବିତ ରାତିରେ ୪୭ ପିଲାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହାତିବାରୀ ଏମ୍ଇ ସ୍କୁଲରେ ରଖାଯାଇଛି। ହେଲେ ସ୍କୁଲରେ ଥିବା ୫୦ କୁଇଣ୍ଟାଲ ପାଖାପାଖି ଚାଉଳ, ଅନ୍ୟ ଆସବାବପତ୍ର ବର୍ଷା ପାଣିରେ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ଦୁଇ ମାସ ପୂର୍ବରୁ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପରେ ଅସ୍ଥାୟୀ ଭାବେ ଜଳ ସରକ୍ଷଣ କରା ଯାଉଥିବା ବେଳେ ଏବେ ଏହା ସମସ୍ୟା ରୂପରେ ଉଭାନ ହେଲାଣି। ଏହି ପ୍ରକଳ୍ପ ପାଇଁ ଦୁଇ ତିନିଟି ଗାଁ ବିସ୍ଥାପିତ ହୋଇଥିବା ବେଳେ ପୁରୁଣାପାଣିସ୍ଥିତ ପଞ୍ଚାୟତ ହାଇସ୍କୁଲ ବିସ୍ଥାପିତ ହୋଇପାରିନି । ତେବେ ସ୍କୁକ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ ବିସ୍ଥାପନ ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଲିଖିତ ଜଣାଇଥିଲେ ବି ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା।
ଫଳରେ ଜଳଘେରରେ ରହିଯାଇଥିବା ପିଲା ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ। ଏହାପରେ ଚେତିଲା ପ୍ରଶାସନ। ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଟପଳସା ରାଜସ୍ୱ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କରଞ୍ଜିଆ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଗତକାଲି ରାତି ଅଧିଆ ପିଲାମାନଙ୍କୁ ସ୍କୁଲରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
The post ଜଳବନ୍ଦୀ ହାଇସ୍କୁଲ, ରାତି ଅଧରେ ଉଦ୍ଧାର ହେଲେ ୪୭ ପିଲା appeared first on Odisha Reporter.
from Odisha Reporter https://ift.tt/2Xjz2dU
No comments:
Post a Comment