ଓଡ଼ିଆ ଯୁବକଙ୍କୁ ରୋଜଗାର ଯୋଗାଇବ ତୀର୍ଥ ପର୍ଯ୍ୟଟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଓଡ଼ିଆ ଯୁବକଙ୍କୁ ରୋଜଗାର ଯୋଗାଇବ ତୀର୍ଥ ପର୍ଯ୍ୟଟନ

  • ସୁଧାଂଶୁ ରଞ୍ଜନ ଦାସ

ତୀର୍ଥଯାତ୍ରା  ଆଜି ସାରା ବିଶ୍ୱରେ ଏକ ପ୍ରମୁଖ ଅର୍ଥନୈତିକ ଗତିବିଧିରେ ପରିଣତ ହୋଇଛି। ଏହା ବିଶ୍ୱର ସବୁଠାରୁ ଦ୍ରୁତ ବୃଦ୍ଧି କରୁଥିବା ଆର୍ଥିକ ଗତିବିଧି ଭିତରୁ ଗୋଟିଏ ବୋଲି କୁହାଯାଏ। ସାରା ବିଶ୍ୱରେ ବର୍ଷକୁ ୩୩୦ ନିୟୁତ ଶ୍ରଦ୍ଧାଳୁ ବିଭିନ୍ନ ଦେଶରେ ଥିବା ଧର୍ମସ୍ଥାନଗୁଡ଼ିକୁ ଯାତ୍ରା କରିଥାନ୍ତି। ମହାଭାରତ ଓ ରାମାୟଣରେ ବର୍ଣ୍ଣିତ କଳିଙ୍ଗ ବା ଓଡ଼ିଶାରେ ଅନେକ ପ୍ରାଚୀନ ତୀର୍ଥସ୍ଥଳୀ ଅଛି ଯାହାର ସଂରକ୍ଷଣ ଓ ବିକାଶ ଓଡ଼ିଶାରେ ଅନେକ ସୂକ୍ଷ୍ମ ଅର୍ଥନୈତିକ ଗତିବିଧି ପାଇଁ ସମ୍ଭାବନା ସୃଷ୍ଟି କରିପାରିବ।

ଓଡ଼ିଶାର ପ୍ରତ୍ୟେକ ଜିଲାରେ କିଛି ନା କିଛି ପୁରାତନ ଧର୍ମସ୍ଥାନ ଅଛି, ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ଓଡ଼ିଶାର ତୀର୍ଥ ପର୍ଯ୍ୟଟନ ବିକାଶରେ ସହାୟକ ହେଉନାହିଁ। ଏକଦା ଭୁବନେଶ୍ୱରରେ ୫୦୦୦ରୁ ଅଧିକ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଥିଲା। ଆଜି ଏହାର ସଂଖ୍ୟା ପାଞ୍ଚଶହରୁ କମ ଅଛି। ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଯଦି ତାର ପ୍ରାଚୀନ ମନ୍ଦିରଗୁଡ଼ିକୁ ସୁରକ୍ଷିତ ରଖିପାରିଥାନ୍ତା ତେବେ ପୁରୁଣା ଭୁବନେଶ୍ୱର ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରିଥାନ୍ତା। ଓଡ଼ିଶା ସରକାର ଯଦିଓ ପୁରୁଣା ଭୁବନେଶ୍ୱରକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛନ୍ତି, ପୁରୁଣା ଭୁବନେଶ୍ୱରରେ ହଜି ଯାଇଥିବା ଉତ୍କଳୀୟ କଳା ସଂସ୍କୃତିକୁ ଫେରାଇ ଆଣିବା କଷ୍ଟକର ଜଣାପଡ଼େ। ପୁରୁଣା ଭୁବନେଶ୍ୱରରେ ଥିବା ବୋଇତାଳ ମନ୍ଦିର ୮ମ  ଶତାବ୍ଦୀରେ ତିଆରି ହୋଇଥିଲା। ଆଜି ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଟି ଧୀରେ ଧୀରେ କଂକ୍ରିଟ ଜଙ୍ଗଲ ଭିତରେ ହଜିଗଲା ପରି ଲାଗେ। ପୁରୁଣା ଭୁବନେଶ୍ୱରର ଅନେକ କାରୁକାର୍ଯ୍ୟପୂର୍ଣ ମନ୍ଦିର ରକ୍ଷଣାବେକ୍ଷଣର ଅଭାବରୁ ଲୁପ୍ତ ହେବାକୁ ବସିଲାଣି। ସରକାର ଓ ଗଣମାଧ୍ୟମ ମନ୍ଦିରଗୁଡ଼ିକର କଳାତ୍ମକ ମାନକୁ ଭଲ ଭାବରେ ଅଧ୍ୟୟନ କରି ଲୋକଲୋଚନକୁ ଆଣିବା ଦରକାର। ନିଜ ସଂସ୍କୃତିର ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନଙ୍କ ଭିତରେ ସଚେତନତା ବଢ଼ିବା ନିହାତି ଆବଶ୍ୟକ।

ପ୍ରାଚୀନ ନଗରୀ କଟକରେ ମଧ୍ୟ ଅନେକ ଧର୍ମ ପୀଠ ଅଛି ଯାହାର ଐତିହାସିକ ତଥ୍ୟ ଏବେବି କୁହେଳିକା ଭିତରେ ଥିବାର ଜଣାପଡ଼େ। କଟକଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, କଟକର ପଶ୍ଚିମ ପାର୍ଶ୍ୱରେ ଥିବା ଧବଳେଶ୍ୱର ମନ୍ଦିର, କଦମ ରସୁଲ, ଦାନ୍ତନ ସାହେବ ଗୁରୁଦ୍ୱାର, ମାନସିଂହ ପାଟଣାର ଲକ୍ଷ୍ମୀ ନାରାୟଣ ମନ୍ଦିର, ରୋମାନ କ୍ୟାଥୋଲିକ ଚର୍ଚ୍ଚ, ରଘୁନାଥଜୀଉ ମନ୍ଦିର ଓ ଚୌଧୁରୀ ବଜାରର ଜୈନ ମନ୍ଦିର ଇତ୍ୟାଦି ଅନେକ ଧର୍ମପୀଠ ସୁରକ୍ଷା, ସ୍ୱଚ୍ଛତା ଓ ସଂରକ୍ଷଣର ଅଭାବରୁ ତାର ମହତ୍ୱ ହରାଇବାକୁ ଯାଉଛି। ମନ୍ଦିର କମିଟିରେ ଥିବା ସ୍ଥାନୀୟ କୋକମାନଙ୍କର ଜାଗରୁକତାର ଅଭାବରୁ ଏହି ଧର୍ମସ୍ଥଳୀଗୁଡ଼ିକରେ ଥିବା ଅନେକ ଅମୁଲ୍ୟ ଚିତ୍ର, ମୂର୍ତ୍ତି ଓ କାରୁକାର୍ଯ୍ୟ ଆଜି ଲୋପ ପାଇବାକୁ ବସିଲାଣି। କଟକର ସାହିବସ୍ତିରେ ରହୁଥିବା ଶିକ୍ଷିତ ସମାଜ ଏହି ଧର୍ମସ୍ଥାନଗୁଡ଼ିକର ପରିବେଶର ସୁରକ୍ଷା କଲେ ଏହା ଅନେକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ସଂଗେ ସଂଗେ ଅର୍ଥନୈତିକ ଗତିବିଧିକୁ ବଢ଼ିବାରେ ସାହାଯ୍ୟ କରିବ। ଭାରତୀୟ ସଂସ୍କୃତିର ପୃଷ୍ଠପୋଷକ କହୁଥିବା ବିଜେପି ଏହି ମନ୍ଦିର ସୁରକ୍ଷା କାମରେ କୌଣସି ତତ୍ପରତା ଦେଖାଉ ନାହିଁ। ଫଳରେ ଓଡ଼ିଶାର ଅନେକ ପ୍ରାଚୀନ ଧର୍ମ ସ୍ଥାନ ଆଜି ନିଶ୍ଚିହ୍ନ ହେବାକୁ ବସିଲାଣି।

କଟକରେ ଥିବା ପ୍ରାଚୀନ ଧର୍ମସ୍ଥଳୀଗୁଡ଼ିକରେ ଥିବା ସମସ୍ତ ପୁରାତନ ମୂର୍ତ୍ତି ଓ ଓଡ଼ିଶୀ ଚିତ୍ରର ପଞ୍ଜିକରଣ ହେବା ନିହାତି ଦରକାର। ଓଡ଼ିଶା ସରକାର ଉପଯୁକ୍ତ ଅଧିକାରୀଙ୍କୁ ଦେବୋତ୍ତର ବିଭାଗର ଦାୟିତ୍ୱ ଦେବା ଉଚିତ। ଯଦି ମନ୍ଦିର ପାରିପାର୍ଶ୍ୱରେ ଜମି ଜବରଦଖଲ ହୁଏ କିମ୍ବା ମନ୍ଦିର ଭିତରେ କୌଣସି ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ହେବା ଉଚିତ। ଧର୍ମସ୍ଥଳୀର ପରିପାର୍ଶ୍ଵ ଯେଭଳି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ନବନେ ସେଥିପାଇଁ କର୍ତ୍ତୃପକ୍ଷ ଓ ସାହି ମୁରବୀ ଦୃଷ୍ଟି ଦେବା ଦରକାର। ମନ୍ଦିରରେ ଯେଭଳି ସୁଚାରୁ ରୂପେ ନୀତି ଅନୁସାରେ ପୂଜା ଅର୍ଚ୍ଚନା ହୁଏ ସେଥିପାଇଁ ମନ୍ଦିର ଟ୍ରଷ୍ଟି ସମସ୍ତ ପଦକ୍ଷେପ ନେବା ଉଚିତ। ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟଭଳି  ଓଡ଼ିଶାରେ ବେଦ ଓ ସଂସ୍କୃତ ଶିକ୍ଷାର ପ୍ରସାର କରାଯାଇ ସଂସ୍କୃତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରକୁ ମନ୍ଦିରର ପୂଜା ଦାୟିତ୍ୱ ଦେବା ଉଚିତ। ପ୍ରତ୍ୟେକ ମନ୍ଦିରରେ  ଛାତ୍ରମାନଙ୍କୁ ବେଦ ଓ ସଂସ୍କୃତ ଶିକ୍ଷା ଦେବାର ବ୍ୟବସ୍ଥା କରିବା ଦରକାର।

ମନ୍ଦିର ପୂଜାରୀକୁ ଅତି କମରେ ୮୦୦୦ ଟଙ୍କା ବେତନ ଦେବା ଉଚିତ। ମନ୍ଦିର ଟ୍ରଷ୍ଟି ମନ୍ଦିର ପରିବେଶ ପରିଷ୍କାର ପରିଚ୍ଛନ ରଖି ପୂଜା ଅର୍ଚନା ଠିକ ଭାବରେ କଲେ ଅନେକ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମନ୍ଦିରର ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବେ। ଏଥିରେ ଅନେକ ସ୍ଥାନୀୟ ଯୁବକ କର୍ମ ସଂସ୍ଥାନ ପାଇଁ ପାରିବେ। କରୋନା ମହାମାରୀ ସମୟରେ ମନ୍ଦିର ପୂଜକମାନଙ୍କ ଆୟ ବହୁତ କମି ଯାଇଥିବାର ଜଣାପଡ଼େ। କେବଳ ପୂଜା ଉପରେ ନିର୍ଭର କରୁଥିବା ପୂଜକମାନେ ଅନେକ ଜାଗାରେ ଭୋକ ଉପାସରେ ଜୀବନ କଟାଉଥିବାର ଦେଖିବାକୁ ମିଳୁଛି। ସରକାର ଓ ଶ୍ରଦ୍ଧାଳୁ ଏହି ପୂଜକମାନଙ୍କର ଆର୍ଥିକ ସମସ୍ୟାକୁ ତୁରନ୍ତ ଲାଘବ କରିବା ଉଚିତ। ଏକ ଉତ୍ତମ ପୂଜକ ଧର୍ମସ୍ଥଳୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଗଣମାଧ୍ୟମ ଧର୍ମସ୍ଥଳୀଗୁଡ଼ିକରେ ସୁସ୍ଥ ଆଧ୍ୟାତ୍ମିକ ପରିବେଶର ବିକାଶ ଓ ସୁରକ୍ଷା ପାଇଁ ସମୟ ବିନିଯୋଗ କରିବା ସଂଗେ ସଂଗେ ଏହାର ଡିଜିଟାଲ ପଞ୍ଜିକରଣ ମଧ୍ୟ କରିବା ଦରକାର। ଧର୍ମସ୍ଥଳୀର ଆଧ୍ୟାତ୍ମିକ ପରିବେଶ ଲୋକମାନଙ୍କର ମାନସିକ ସନ୍ତୁଳନ ରକ୍ଷାକରିବାରେ ସହାୟକ ହୋଇଥାଏ। ଯାହାଫଳରେ ସମାଜରେ ଆର୍ଥିକ ଓ ସାମାଜିକ ବିକାଶ ହେବା ସଂଗେ ସଂଗେ ପିଲାମାନଙ୍କର ଶିକ୍ଷାରେ ମଧ୍ୟ ବିକାଶ ହୋଇଥାଏ।

କଟକର ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ କଟକ ସାହି ବାସିନ୍ଦାଙ୍କ ଦ୍ୱାରା ଏକଦା ରାମଲୀଳା ପ୍ରଦର୍ଶିତ ହେଉଥିଲା। ପରେ ରାମଲୀଳା ଚୌଧୁରୀ ବଜାର ମୁନିସିପାଲିଟି ପ୍ରାଙ୍ଗଣରେ ଉପସ୍ଥାପିତ ହେଲା। ରଘୁନାଥଜୀଉ ମନ୍ଦିର ଆମ୍ବତୋଟା ଏକଦା ଏକ ସାଂସ୍କୃତିକ ପୀଠସ୍ଥଳୀ ଥିଲା। କଟକର ପୂର୍ବ ପାର୍ଶ୍ୱରେ ଥିବା ସାହିର ପିଲାମାନେ ଏହି ପଡ଼ିଆରେ ବିଭିନ୍ନ ପ୍ରକାର ଖେଳ କସରତ କରୁଥିଲେ। ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏହି ପଡ଼ିଆକୁ ଅନେକ ଥର ଆସି ଆରଏସଏସ ଶାଖାରେ ଯୋଗ ଦେଉଥିଲେ। ଆରଏସଏସର ସରସଂଘଚାଳକ  ଗୁରୁଜୀ ଗୋଲୱାଲକର ମଧ୍ୟ ଏହି ରଘୁନାଥଜୀଉ ଆମ୍ବତୋଟାରେ ଏକ ବିରାଟ ଜନସମାଗମକୁ  ଉଦବୋଧନ   ଦେଇଥିଲେ। ଆଜି ଏହି ଆମ୍ବତୋଟାରେ ମନୁଷ୍ୟ ବିଷ୍ଠାରୁ କମ୍ପୋଷ୍ଟ ତିଆରି ଫାକ୍ଟ୍ରି ବସାଯାଇଛି। ଏହା ଶ୍ରୀରାମ ମନ୍ଦିର ପରିବେଶକୁ ନଷ୍ଟ କରିବା ସଂଗେ ସଂଗେ ଏହି ସାଂସ୍କୃତିକ ଓ ଐତିହାସିକ ପଡ଼ିଆକୁ ନଷ୍ଟ କରିଦେବାକୁ ଯାଉଛି। ଏହି କମ୍ପୋଷ୍ଟ ଫାକ୍ଟ୍ରିକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଐତିହାସିକ ଆମ୍ବତୋଟାକୁ ସୁରକ୍ଷା କରାଯାଇ ଏଥିରେ ପୂର୍ବରୁ ଥିବା ବୃକ୍ଷଗୁଡ଼ିକର ପୁନଃରୋପଣ କରିବା ଉଚିତ। ଅନେକ କିସମର ଆମ୍ବ, ଜାମୁ, କଇଁଥ, ଜାମୁରୋଳ, ଜନ୍ଦାଖାଇ, ଖଜୁରୀ ଓ ନଡ଼ିଆ ଗଛରେ ଏକଦା ରଘୁନାଥଜୀଉ ଆମ୍ବତୋଟା ଶୋଭା ପାଉଥିଲା। ଏହି ତୋଟାରେ ଥିବା ପୁଷ୍କରିଣୀରେ ଏବେବି ଶ୍ରୀରଘୁନାଥଜୀଉଙ୍କର ଚନ୍ଦନ ଯାତ୍ରା ସମୟରେ ଚାପ ଖେଳର ଆୟୋଜନ କରାଯାଉଛି।

ଧର୍ମପୀଠଗୁଡିକର ପୁନଃ ଆଧ୍ୟାତ୍ମିକରଣ ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ ହେବା ଦରକାର। ଧର୍ମପୀଠଗୁଡ଼ିକରୁ ଅତିକମରେ ଏକ କିଲୋମିଟର ପରିଧି ଭିତରେ କୌଣସି ମଦ ଦୋକାନ କିମ୍ବା ଆମିଷ ହୋଟେଲକୁ ତୁରନ୍ତ ଉଠାଇ ଦେବା ଉଚିତ। ଆଧ୍ୟାତ୍ମିକରଣ ଏକ ସୁସ୍ଥ ସାମାଜିକ ପରିବେଶ ସୃଷ୍ଟି କରିଥାଏ ଯାହା ଅନେକ ଅର୍ଥନୈତିକ ଗତିବିଧିର ଉତ୍ପାଦନ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଯଦି ଏକ ଗ୍ରାମୀଣ ମହିଳା ଧର୍ମପୀଠରେ ଯାଇ ପିଜୁଳି, କଦଳୀ, ହସ୍ତଶିଳ୍ପ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରି ସନ୍ଧ୍ୟା ପରେ ନିଜ ଗାଁକୁ ସୁରକ୍ଷିତ ଫେରିପାରେ ତେବେ ଏହି ସାମାଜିକ ପରିବେଶ ଆର୍ଥିକ ପ୍ରଗତିରେ ସାହାଯ୍ୟ କରୁଛି ବୋଲି କହିହେବ। ଧର୍ମପୀଠଟି ଯେତେ ପ୍ରଖ୍ୟାତ ଓ ପ୍ରାଚୀନ ହେଲେ ମଧ୍ୟ ଯଦି ତାହା ଭିତରେ ଓ ବାହାରେ ଅସାମାଜିକ ଲୋକେ ଗଞ୍ଜେଇ, ମଦ ଓ ଚରସ ଖାଇବେ ସେ ଧର୍ମ ପୀଠଟିକୁ କୌଣସି ଶ୍ରଦ୍ଧାଳୁ ଆସିବେ ନାହିଁ। ଧର୍ମପୀଠରେ ନିଷ୍ଠାର ସହିତ ପୂଜା ଅର୍ଚନା ହେଲେ ଅନେକ ଶ୍ରଦ୍ଧାଳୁ ସ୍ୱତଃପ୍ରବୃତ୍ତ ହୋଇ ଏଠାକୁ ଆସିଥାନ୍ତି। ଧର୍ମପୀଠରେ ନିଜକୁ ଧର୍ମଗୁରୁ କହୁଥିବା ଲୋକେ ଯଦି ମନୁଷ୍ୟ ସମାଜ ପ୍ରତି ଘୃଣା ଭାବ ସୃଷ୍ଟି କରନ୍ତି ତେବେ ଏହି ଧର୍ମ ପୀଠକୁ ତୁରନ୍ତ ବନ୍ଦ କରିଦେବା ଉଚିତ।

ସୁବର୍ଣ୍ଣ ତ୍ରିକୋଣ କୋଣାର୍କ, ପୁରୀ ଓ ଭୁବନେଶ୍ୱରକୁ ଛାଡ଼ି ଓଡ଼ିଶାର ଅନେକ ଧର୍ମପୀଠ ମନୋରମ ପରିବେଶ ମଧ୍ୟରେ ଥିଲେ ମଧ୍ୟ ସୁରକ୍ଷା, ଗମନାଗମନ ସୁବିଧାର ଅଭାବ, ରହିବା ଅସୁବିଧା, ସ୍ୱାସ୍ଥ୍ୟସେବା ଓ ଲୋକ ସଚେତନତାର ଅଭାବରୁ ଦେଶ ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରୁନାହିଁ। ଧର୍ମପୀଠଗୁଡ଼ିକରେ ସାଧାରଣ ଲୋକଙ୍କ ରହିଲା ଭଳିଆ କମ ଭଡ଼ାର ହୋଟେଲ, ପରିସ୍କାର ପରିଛନ୍ନତା, ସୁରକ୍ଷା, ଖାଦ୍ୟ ପଦାର୍ଥର ଗୁଣାତ୍ମକମାନ, ସ୍ଥାନୀୟ ଲୋକଙ୍କର ଉତ୍ତମ ବ୍ୟବହାର, ଯାନ ବାହାନ ଓ ସ୍ୱାସ୍ଥ୍ୟ ସୁବିଧା ଇତ୍ୟାଦି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ସଂଗେ ସଂଗେ ସ୍ଥାନୀୟ ଲୋକଙ୍କର ଆର୍ଥିକ ମାନଦଣ୍ଡ ବଢ଼ାଇ ପାରିବ। ଆଜି ପୁରୀରୁ ଭୁବନେଶ୍ୱର ଓ କଟକ ଆସିବା ପାଇଁ ଓଲା କିମ୍ବା ଉବେର ଟାକ୍ସି ଉପଲବ୍ଧ ହେଉନାହିଁ। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅଧିକ ଟଙ୍କା ଦେଇ ଘରୋଇ ଟାକ୍ସି କରିବାକୁ ବାଧ୍ୟ ହେଉଛନ୍ତି। ପୁରୀ, କୋଣାର୍କ ଓ ନନ୍ଦନକାନନ ଦେଖିବା ପାଇଁ ସରକାରଙ୍କ ତରଫରୁ କୌଣସି କଣ୍ଟକ୍ଟେଡ଼ ଟୁର୍‌ର ବ୍ୟବସ୍ଥା ନାହିଁ। ପୁରୀ ବଡ଼ଦାଣ୍ଡରୁ ଆମିଷ ହୋଟେଲ ଓ ମଦ ଦୋକାନ ଉଠାଯାଇ ପାରୁନାହିଁ। ପୁରୀ ବେଳାଭୂମିରୁ ଉଠାଦୋକାନୀମାନଙ୍କୁ ବାହାର କରାଯାଇଛି କିନ୍ତୁ ବେଳାଭୂମି ଉପରେ ବନିଥିବା ହୋଟେଲଗୁଡିକୁ ଉଠାଇବା ପାଇଁ ରାଜନୈତିକ ଇଛାଶକ୍ତି କାମ କରୁ ନଥିଲା ଭଳି ଲାଗୁଛି। ତୀର୍ଥ ପର୍ଯ୍ୟଟନ ପାଇଁ ଏତେ ସୁବିଧା ଥାଇ ମଧ୍ୟ ଓଡ଼ିଶାରେ ଓଡ଼ିଆ ଯୁବକମାନଙ୍କ ପାଇଁ ରୋଜଗାରର ସମ୍ଭାବନା ସୃଷ୍ଟି ହୋଇପାରୁନାହିଁ। ଏହା ଏକ ବିଡ଼ମ୍ବନା।

The post ଓଡ଼ିଆ ଯୁବକଙ୍କୁ ରୋଜଗାର ଯୋଗାଇବ ତୀର୍ଥ ପର୍ଯ୍ୟଟନ appeared first on Odisha Reporter.



from Odisha Reporter https://ift.tt/3kJhYpK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages