ଖୋର୍ଦ୍ଧା (ବଳରାମ ଲେଙ୍କା ): ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ଅନେକ ନଦୀନାଳରେ ପାଣି ବଢ଼ିଛି। କିଛି ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା। ନାଳରେ ଭାସି ଯାଇ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି।
ମୃତ ଚାଷୀଙ୍କ ନାଁ କମ୍ବେଶ୍ୱର ପାଟ୍ଟଶାଣୀ। ତାଙ୍କୁ ୨୯ ବର୍ଷ ହୋଇଥିଲା। ତାଙ୍କ ଘର ଜିଲ୍ଲାର ନୂଆଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋରମରସିଂହ ଗାଁରେ।
ସୂଚନା ଅନୁଯାୟୀ, ଆଜି ସକାଳେ କମ୍ବେଶ୍ୱର ନାଳ ପାରି ହୋଇ ବିଲକୁ ଧାନ ଫସଲ ଦେଖିବାକୁ ଯାଉଥିଲେ। ହେଲେ ସେ ନାଳ ପାର ହେଉଥିବା ବେଳେ ଭାସି ଯାଇଥିଲେ। ପାଣି ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।
ମାତ୍ର ୬ ମାସ ତଳେ କମ୍ବେଶ୍ୱର ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଭୁଶୁଡ଼ିଲା ୪ବଖରା ଘର
ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଗଡ଼ମାଣିତୀରି ପଞ୍ଚାୟତର ମାଣିତିର ଗ୍ରାମରେ ୩ଟି ପରିବାରର ୪ ବଖରା ଘର ଭୁଶୁଡ଼ି ପଡ଼ିଛି। ଗାଁର ଦିବ୍ୟସିଂହ ସୁନ୍ଦରାୟଙ୍କର ୨ ବଖରା , ଇନ୍ଦ୍ରମଣି ସୁନ୍ଦରାୟଙ୍କର ୧ ବଖରା ଏବଂ ଦାଶରଥି ଛୋଟରାୟଙ୍କ ୧ ବଖରା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଘର ଭୁଶୁଡ଼ି ପଡ଼ିବା ଯୋଗୁ ସେମାନଙ୍କର ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ରପଡ଼ା ଜିଲ୍ଲାରେ ବର୍ଷା ଯୋଗୁ କାନ୍ଥ ପଡ଼ି ଆଜି ୨ ଜଣଙ୍କ ମୃତ୍ୟୁ ଘଟିଛି।
The post ବର୍ଷା ନେଇଗଲା ଯୁବ ଚାଷୀଙ୍କ ଜୀବନ, ୬ ମାସ ତଳେ ବାହା ହୋଇଥିଲେ appeared first on Odisha Reporter.
from Odisha Reporter https://ift.tt/3nsMx6k
No comments:
Post a Comment