ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମାନସିକ ଚାପରେ ଅଛନ୍ତି ଦିବଙ୍ଗତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। କେବଳ ସେ ନୁହନ୍ତି, ତାଙ୍କର ପୂରା ପରିବାର ମାନସିକ ଚାପରେ ଅଛି। ତାଙ୍କ ବାପା ଶ୍ରୀହରି ପଣ୍ଡା ଏହି କଥା କହିଛନ୍ତି।
ସେ କହିଛନ୍ତି ଯେ ଲାଏ ଡିଟେକ୍ସନ୍ ଟେଷ୍ଟର ରିପୋର୍ଟ ଆସି ସାରିଥିବା ବେଳେ ଏନେଇ ତାଙ୍କ ଝିଅ କିଛି ଜାଣି ନାହାନ୍ତି। ସେ ମାନସିକ ସ୍ତରରେ ଖୁବ୍ ଦୁର୍ବଳ ହୋଇ ଯାଇଛି। ପୁଣି ପରୀକ୍ଷା ଚାଲିଥିବାରୁ ତାକୁ ଏ ବିଷୟରେ କିଛି ବି ସୂଚନା ଦିଆଯାଇନି।
ବିଦ୍ୟାଭାରତୀ ହେଉଛନ୍ତି ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର (ଏଲଆଇ)ର ଶେଷ ବର୍ଷର ଛାତ୍ରୀ। ଏବେ ସେ ଫାଇନାଲ ସେମିଷ୍ଟର ପରୀକ୍ଷା ଦେଉଛନ୍ତି।
ବଲାଙ୍ଗିରରେ ବିଦ୍ୟାଭାରତୀ ପରୀକ୍ଷା ଦେଉଥିବାରୁ, ପୂରା ଜିଲ୍ଲାରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପରୀକ୍ଷାର୍ଥୀମାନେ ହଷ୍ଟେଲରେ ରହି ପରୀକ୍ଷା ଦେଉଥିବା ବେଳେ ବିଦ୍ୟାଭାରତୀ ବାହାରେ ରହୁଛନ୍ତି। ତେବେ ଅନ୍ୟମାନଙ୍କ ସହିତ ହଲ୍ରେ ବସି ପରୀକ୍ଷା ଦେଉଛନ୍ତି। ଗତକାଲି ସେ ପରୀକ୍ଷା କେନ୍ଦ୍ରରୁ ବାହାରି ଏକ ଧଳା ରଙ୍ଗର କାର୍ରେ ବସି ଚାଲି ଯାଇଥିଲେ। ସେ କାହା ସହିତ କଥା ହେଉ ନଥିବା ତାଙ୍କ ସହପାଠୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ୭୫ ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାର ରହସ୍ୟ ସାମ୍ନାକୁ ଆସିପାରି ନାହିଁ କି କାହାକୁ ଗିରଫ କରାଯାଇନାହିଁ। ଏହି ଘଟଣାରେ ବିଦ୍ୟାଭାରତୀଙ୍କ ସହିତ ପାରଳାଖେମୁଣ୍ଟି ଡିଏଫଓ ଓ ଜଣେ ରୋଷେୟା ମୁଖ୍ୟ ଅଭିଯୁକ୍ତ ଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ସେମାନଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ୍ କରାଯାଇଛି।
ଲାଏ ଡିଟେକ୍ସନ୍ ରିପୋର୍ଟକୁ ତର୍ଜମା କରୁଛି କ୍ରାଇମ୍ବ୍ରାଞ୍ଚ। ଅଭିଯୁକ୍ତଙ୍କ ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ରିପୋର୍ଟ ମଧ୍ୟରେ ତାଳମେଳ ରହୁଛି ନା ନାହିଁ, ତା’ର ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ କରାଯିବ ବୋଲି କ୍ରାଇମ୍ ବ୍ରାଞ୍ଚ ଏଡିଜି କହିଛନ୍ତି।
ଦୁଇ ଦିନ ପୂର୍ବେ ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ତଦନ୍ତର ଅଗ୍ରଗତିରେ ସନ୍ତୁଷ୍ଟ ନ ଥିବା ପ୍ରକାଶ କରିଥିଲେ। ଏଥିସହ ବିଦ୍ୟାଭାରତୀଙ୍କୁ ଗିରଫ କରିବା ସହ ଡିଏଫଓଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି ଜଣାଇଥିଲେ।
The post ‘ମାନସିକ ଚାପରେ ବିଦ୍ୟା’ appeared first on Odisha Reporter.
from Odisha Reporter https://ift.tt/3kVTx9S
No comments:
Post a Comment