କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲେ ଦୁଃସାହସୀ ତଥା ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଆଜି ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଏହି ସମୟରେ ଲୋକାରଣ୍ୟ ହୋଇଯାଇଥିଲା ଶ୍ମଶାନ । ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ପୂରା ପରିବେଶ।
ଅରିନ୍ଦମଙ୍କ ମୃତଦେହ ଆଜି ଭୋର ପ୍ରାୟ ୪ଟା ୨୦ ମିନିଟ୍ରେ ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଅଛନ୍ତି ।
ଅରିନ୍ଦମଙ୍କ ଶେଷକୃତ୍ୟରେ ସାମିଲ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଦୁଃସାହସୀ ଓ କର୍ତ୍ତବ୍ୟନୀଷ୍ଠ ସାମ୍ବାଦିକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅରିନ୍ଦମ । କେନ୍ଦୁଝରର ପୁଅ ଭାବେ ଜିଲ୍ଲାବାସୀ ଅରିନ୍ଦମଙ୍କ ପାଇଁ ଗର୍ବ କରୁଥିଲେ । ଅରିନ୍ଦମଙ୍କୁ ହରାଇ କେନ୍ଦୁଝର ଜିଲ୍ଲାବାସୀ ମର୍ମାହତ ହୋଇ ପଡ଼ିଛନ୍ତି।
ସୂଚନାଯୋଗ୍ୟ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତକାଲି ଅରିନ୍ଦମ ବୋଟ୍ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଥର ସ୍ରୋତରେ ବୋଟଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । ଏହାପରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଅଣାଯାଇଥିବା ବେଳେ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୫ ଜଣ ଏବେ ବି SCBରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଓ ଅନ୍ୟ ୨ ଓଡ୍ରାଫ୍ ଟିମ୍ କର୍ମଚାରୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। । ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି। ଏସସିବି ପକ୍ଷରୁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।
ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ। କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି ।
ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଗତକାଲି ଓଟିଭି କାର୍ଯ୍ୟାଳୟ ତଥା ଜୟଦେବ ଭବନରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ମୃତଦେହ ଆଜି ଭୋରରୁ ତାଙ୍କ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । କେନ୍ଦୁଝର ରାଇକଳା ଗାଁକୁ ଯିବା ବାଟରେ ଅରିନ୍ଦମଙ୍କୁ ବହୁ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାଜପୁରର କୁଆଖିଆ, କେନ୍ଦୁଝର ଟାଉନ୍ରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
The post ପଞ୍ଚଭୂତରେ ବିଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ appeared first on Odisha Reporter.
from Odisha Reporter https://ift.tt/3kD2J2P
No comments:
Post a Comment