ମୁମ୍ବାଇ: ରିଲ୍ରୁ ରିଅଲ୍ ହିରୋ ସାଜିଥିବା ସୋନୁ ସୁଦ ଶେଷରେ ଫସିଲେ। ଆୟକର ରାଡାର୍ରେ ସୋନୁ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ମିଳିଛି। ଅଭିନେତା ଅନେକ ଫେକ୍ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଂଚ ଚାଲିଛି ବୋଲି ସିବିଡିଟି କହିଛି।
ସେପଟେ ଆୟକର ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସୋନୁ ସୁଦ୍ ଏଫ୍ସିଆର୍ଏ ଆଇନ୍ ଉଲ୍ଲଙ୍ଘନ କରିଛନ୍ତି। ସେ ବିଦେଶୀ ଋଣଦାତାଙ୍କ ଠାରୁ କ୍ରାଉଡଫଣ୍ଡିଂର ବ୍ୟବହାର କରି ୨.୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି।
ସିବିଡିଟିର କହିଛି, ମୁମ୍ବାଇରେ ଅଭିନେତାଙ୍କ ବିଭିନ୍ନ ପରିସର ଏବଂ ଭିତ୍ତିଭୂମି ବିକାଶରେ ନୟୋଜିତ ଲକ୍ଷ୍ନୌ ସ୍ଥିତ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ ହୋଇଥିଲା। ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ, ଗୁରୁଗ୍ରାମ ସମେତ ୨୮ଟି ସ୍ଥାନରେ ଲଗାତର ତିନି ଦିନ ଯାଏଁ ଚଢ଼ାଉ କରାଯାଇଥିଲା। ଏହାପରେ ସେ ଟ୍ୟାକ୍ସ ଫାଙ୍କି ଥିବା ନେଇ ଜଣାପଡିଛି।
ସେପଟେ ରେଡ୍ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଏହି ମମଲାରେ ଟୁଇଟ୍ ମଧ୍ୟ କରାଯାଇଥିଲା। ସେ ଟ୍ୱିଟ୍ରେ କହିଥିଲେ, ‘ସତ୍ୟର ରାସ୍ତାରେ ଅନେକ ଅସୁବିଧା ଆସିବ, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହେବ। ସୋନୁ ସୁଦଙ୍କ ସହ ଭାରତର ଲକ୍ଷ ଲକ୍ଷ ପରିବାର ଠିଆ ହୋଇଛନ୍ତି, ଯେଉଁମାନଙ୍କୁ ସେ ତାଙ୍କ ଅସୁବିଧାରେ ସାହାଯ୍ୟ କରିଥିଲେ।’
ସୂଚନା ମୁତାବକ, ୪୮ ବର୍ଷୀୟ ସୋନୁ ସୁଦ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରି ଢ଼େର ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏହା ସହିତ ସେ ଦେଶର ଦିଲ୍ଲୀ ସରକାରଙ୍କ ମେଣ୍ଟର ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହୋଇଥିଲେ।
The post ଆଇଟି ଜାଲରେ ଫସିଲେ ସୋନୁ ସୁଦ୍, ଫାଙ୍କିଛନ୍ତି ୨୦ କୋଟି appeared first on Odisha Reporter.
from Odisha Reporter https://ift.tt/3Evjbdl
No comments:
Post a Comment