ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଗତକାଲି ଖବର ପ୍ରଚାରିତ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଏବେ ସଂକ୍ରମିତ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍କୁଲମାନଙ୍କରେ କଡ଼ାକଡ଼ି ଭାବେ SOP ପାଳନ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ DEOମାନଙ୍କୁ ଚିଠି ଲେଖି SOP ନେଇ ସଚେତନ କରିଛି ଗଣଶିକ୍ଷା ବିଭାଗ । ଏପରି ସ୍ଥିତିରେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଓସେପା ପକ୍ଷରୁ କୋଭିଡ ମନିଟରିଂ ସେଲ୍ ଗଠନ କରାଯାଇଛି । ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତଙ୍କୁ ମୁଖ୍ୟ କୋଭିଡ କଂପ୍ଲାଏନ୍ସ ଦାୟିତ୍ୱ ଦିଆଯାଇଥିବା ବେଳେ ଉପନିର୍ଦ୍ଦେଶିକା କଳ୍ପନା ହାଁସଦା ହୋଇଛନ୍ତି ସହକାରୀ କଂପ୍ଲାଏନ୍ସ ଅଫିସର ।
ଜିଲ୍ଲାସ୍ତରରେ ମଧ୍ୟ କୋଭିଡ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି । ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି । ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାରି SOPର କଡ଼ା ଅନୁପାଳନ ନିର୍ଦ୍ଦେଶ ରହିଛି । ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ, ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି । ଏହାବ୍ୟତୀତ ଉଭୟ ଅନ୍ଲାଇନ୍ କିମ୍ବା ଅଫ୍ଲାଇନରେ ପାଠ ପଢ଼ା ଜାରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଶିକ୍ଷାର୍ଥୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ ସ୍କୁଲରୁ ୩୪ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି।
ପଜିଟିଭ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଏବେ ଅଫ୍ଲାଇନ୍ କ୍ଲାସ୍ ବନ୍ଦ ରହିଛି। ଏବେ ଅନଲାଇନ୍ରେ ପାଠପଢ଼ା ଚାଲୁଛି। ହେଲେ ଏବେ ୭ ଦିନ ପାଇଁ ସ୍କୁଲ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି। ସେହିପରି ବରଗଡ଼ର ଏକ ସ୍କୁଲର ୨୦ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।
The post କୋଭିଡ ମନିଟରିଂ ସେଲ୍ ଗଠିତ , ମାସ୍କ ବିନା ସ୍କୁଲରେ ଏଣ୍ଟ୍ରି ମନା appeared first on Odisha Reporter.
from Odisha Reporter https://ift.tt/38OinBT
No comments:
Post a Comment