ବରଗଡ଼(ଦୀପକ ଶର୍ମା): ଯେଉଁ ମା’ ୯ ମାସ ଗର୍ଭରେ ରଖି ଜନ୍ମ ଦେଲା, ବିପଦ ଆସିଲେ ନିଜ ପଣତ ତଳେ ଲୁଚାଇ ଦେଉଥିଲା, ସେହି ମା’କୁ ମରଣ ମୁହଁକୁ ଠେଲି ଦେଲେ ପିଲା । ମୁଣ୍ଡରେ ସାମାନ୍ୟ ଘା’ ହୋଇଥିବାରୁ ଚିକିତ୍ସା କରିବା ପରିବର୍ତ୍ତେ ପରିବାର ଲୋକ ନିଜ ଜନ୍ମ କଲା ମା’କୁ ବାଘ, ଭାଲୁ ମୁହଁରେ ଛାଡ଼ିବାକୁ ପଛାଇଲେ ନାହିଁ। ଏପରିକି ୮୦ ବର୍ଷୀୟା ବୃଦ୍ଧାଙ୍କୁ ନେଇ ଘଞ୍ଚ ଜଙ୍ଗଲରେ ଛାଡ଼ି ପଳାଇଲେ। ହେଲେ ଭଗବାନଙ୍କର ନିୟତି କିଛି ଅଲଗା ଥିଲା । ବୃଦ୍ଧାଜଣକ ଦୀର୍ଘ ୧୫ ଦିନ ପରେ ମୁମୂର୍ଷ ଅବସ୍ଥାରେ ଊଦ୍ଧାର ହୋଇଥିବା ବେଳେ ପରିବାର ଲୋକ ଏବେ ତାଙ୍କୁ ଘରକୁ ନେବାକୁ ମନା କରିଦେଉଛନ୍ତି। ଏପରି ଅଭାବନୀୟ, ଅମାନବୀୟ ତଥା ଲଜ୍ଜାଜନକ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି । ବୃଦ୍ଧାଙ୍କ ନାଁ କୌଶଲ୍ୟା ବେହେରା ହୋଇଥିବା ବେଳେ ତାଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଥାନା ଘନଘାଟି ଗାଁରେ ବୋଲି ଜଣାଯାଇଛି ।
ବରଗଡ଼ ସୀମାନ୍ତ ବାରପାହାଡ଼ ଜଙ୍ଗଲରୁ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ସଂକଳ୍ପ ପରିବାର ନାମକ ସଂଗଠନର ସଦସ୍ୟ ଉଦ୍ଧାର କରିବା ପରେ ଏପରି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ବୃଦ୍ଧାଙ୍କୁ ଏବେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ, ୮୦ ବର୍ଷୀୟ କୌଶଲ୍ୟାଙ୍କ ମୁଣ୍ଡରେ ଏକ ଘା’ ହୋଇଥିଲା । ହାତରେ ଧଳା ଦାଗ ବି ହୋଇଥିଲା । ଏହି କାରଣରୁ ଗାଁ ଲୋକେ ଓ ଜାତି ସମାଜ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ ।
ଶେଷରେ ପରିବାର ଲୋକ ବି ବଇରୀ ସାଜିଲେ। ନିଜ ବୃଦ୍ଧା ମା’ଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଓଲଟି ତାଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ପ୍ରବଳ ବର୍ଷା ସମୟରେ ସେମାନେ ନିଜ ମା’କୁ ହିଂସ୍ରଜନ୍ତୁଙ୍କ ମୁହଁରେ ଛାଡ଼ିଦେଇ ପଳାଇଲେ।
ଏହି ଘଟଣାର ୧୫ ଦିନ ପରେ ବରଗଡ଼ର ଏକ ସଂଗଠନ ସଂକଳ୍ପ ପରିବାର ପାଖରେ ଏହି ଖବର ପହଞ୍ଚିଥିଲା । ସଂଗଠନର ସଦସ୍ୟ ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରିଛନ୍ତି । ବୃଦ୍ଧାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ପରିବାର ଲୋକଙ୍କୁ ଡାକିଥିଲେ ମଧ୍ୟ ସେମାନେ ଆସିବାକୁ ରାଜି ହୋଇ ନ ଥିବା ଜଣାପଡ଼ିଛି ।
ଏନେଇ ବୃଦ୍ଧାଜଣକ କୋହଭରା କଣ୍ଠରେ କହିଛନ୍ତି, ମୁଣ୍ଡରେ ଗୋଟିଏ ଘା’ ହେଲା ବୋଲି ମୋ ପିଲା ଜଙ୍ଗଲରେ ଛାଡ଼ି ଦେଲେ। ବାଘ, ଭାଲୁ ଖାଇବେ ବୋଲି ଛାଡ଼ିଦେଲେ। ବହୁତ ଡରି ଡରି ରହୁଥିଲି। ହେଲେ ସଙ୍ଗଠନ ପିଲା ଖବର ପାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଏନେଇ ବୃଦ୍ଧାଙ୍କ ବଡ଼ ବୋହୂ କହିଛନ୍ତି, ଶାଶୁଙ୍କ ମୁଣ୍ଡରେ ଘା’ ହେବାରୁ ଗାଁ ଲୋକ ଆମକୁ ବାସନ୍ଦ କରିଦେଲେ। ତେଣୁ ବାଧ୍ୟ ହୋଇ ତାଙ୍କୁ ଜଙ୍ଗଲରେ ଛାଡ଼ିବା ପରେ ଏବେ ଆମକୁ ଗାଁ ଲୋକ ସମାଜରେ ମିଶାଇ ଛନ୍ତି। ଅପରପକ୍ଷେ, ବୃଦ୍ଧାଙ୍କୁ ଘରକୁ ନେବାକୁ ପରିବାର ଲୋକ ଅମଙ୍ଗ ହେଉଥିବା ଜଣାଯାଇଛି।
The post ଲଜ୍ଜା: ଘା’ ହେଲା ବୋଲି ମା’କୁ ଜଙ୍ଗଲରେ ଛାଡ଼ି ଦେଲେ appeared first on Odisha Reporter.
from Odisha Reporter https://ift.tt/3tXMSiG
No comments:
Post a Comment