ସମ୍ବଲପୁର/ଅନୁଗୋଳ (ଓଡ଼ିଶା ରିପୋର୍ଟର): ବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ। ଆଉ ଚାଲିଗଲା ରୋଗୀଙ୍କ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁରରୁ।
ସୋମବାର ଅପରାହ୍ଣରେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ମହିଳା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଧରି ଏକ ୧୦୮ ଆମ୍ବୁଲାନସ ବୁର୍ଲା ବଡ଼ ମେଡିକାଲକୁ ଯାଉଥିଲା। ତେବେ ଆମ୍ବୁଲାନସଟି ସମ୍ବଲପୁର ଅତିକ୍ରମ କରିବା ପରେ ଜାତୀୟ ରାଜପଥ ଉପରେ ହିଁ ଖରାପ ହୋଇଯାଇଥିଲା। ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ତାହା ଆଉ ଆଗକୁ ଯାଇପାରି ନଥିଲା।
ଆମ୍ବୁଲାନ୍ସଟି ଛିଡ଼ା ହୋଇଥିବାବେଳେ ରୋଗୀଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା। ରୋଗୀଙ୍କ ସହ ତାଙ୍କ ସ୍ୱାମୀ ଓ ଝିଅ ବି ଥିଲେ। ଏକ ଆମ୍ବୁଲାନ୍ସ ପଠାଇବା ପାଇଁ ବୁର୍ଲାକୁ ଖବର ଦିଆଯାଇଥିଲା। ତେବେ ପ୍ରାୟ ଅଧାଘଣ୍ଟା ପରେ ସେଠାରେ ପହଞ୍ଚିଥିଲା ଆଉ ଏକ ଆମ୍ବୁଲାନ୍ସ। କିନ୍ତୁ ତା’ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।
ମୃତ ମହିଳାଙ୍କ ସ୍ୱାମୀ ହିମାଂଶୁ ନନ୍ଦ କହିଛନ୍ତି ଯେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ସେ (ତାଙ୍କ ପତ୍ନୀ) ନିଶ୍ଚୟ ବଞ୍ଚି ଯାଇଥା’ନ୍ତେ। ଠିକ୍ ଭାବେ ଆମ୍ବୁଲାନ୍ସ ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନଥିବା ଯୋଗୁ ଏଭଳି ସମସ୍ୟା ଦେଖାଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ କିମ୍ବା କୌଣସି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
ଏଭଳି ଏକ ଘଟଣା ସୋମବାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ଗୁରୁତର ମହିଳାଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ବାଟରେ ଖରାପ ହୋଇଯାଇଥିଲା ୧୦୮ ଆମ୍ବୁଲାନ୍ସ। ପ୍ରାୟ ଅଧ ଘଣ୍ଟା ଧରି ସେହି ଆମ୍ବୁଲାନ୍ସ ଭିତରେ ଛଟପଟ ହୋଇଥିଲେ ରୋଗୀ। ଅନ୍ୟ କୌଣସି ଆମ୍ବୁଲାନ୍ସ ଯୋଗାଡ଼ ସମ୍ଭବ ନ ହେବାରୁ ବାଧ୍ୟ ହୋଇ ତାଙ୍କୁ ଏକ ଅଟୋରେ ଡାକ୍ତରଖାନା ନିଆଯାଇଥିଲା।
The post ବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3lHC6ZV
No comments:
Post a Comment