ହାଇଦ୍ରାବାଦ: ଠିକ୍ ୨ ବର୍ଷ ତଳେ ଉଜୁଡ଼ି ଯାଇଥିଲା ସଂସାର । ଖାଲି ହୋଇ ଯାଇଥିଲା କୋଳ । ଏକ ବୋଟ୍ ଦୁର୍ଘଟଣାରେ ନିଜ ୨ ଝିଅଙ୍କୁ ହରାଇ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏକ ଦମ୍ପତି। ହେଲେ ଠିକ୍ ୨ ବର୍ଷ ପରେ ପୁଣି ଥରେ ସେମାନଙ୍କ ଉଜୁଡା ସଂସାର ହସି ଉଠିଛି। ୨ ଛୁଆଙ୍କୁ ହରାଇ ପାଗଳପ୍ରାୟ ହୋଇଥିବା ଦମ୍ପତି ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ହାସଲ କରିଛନ୍ତି । ଝିଅ ୨ ଜଣ ଯେଉଁ ଦିନ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲେ ୨ ବର୍ଷ ପରେ ଠିକ୍ ସେହି ଦିନ ପୁଣି ଥରେ ସେମାନଙ୍କ କୋଳକୁ ଆସିଛନ୍ତି ଯାଆଁଳା କନ୍ୟା । ଯେଉଁ ଦିନକୁ ସେମାନେ ନିଜ ଜୀବନର ସବୁଠୁ ଅଶୁଭ, କଳା ଦିନ ବୋଲି ଭାବୁଥିଲେ, ସେହି ଦିନ ହିଁ ସେମାନଙ୍କ ପାଇଁ ଆଣିଛି ସବୁଠୁ ଅଧିକ ଖୁସି। ଏପରି ଚମତ୍କାର ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି।
ସୂଚନା ଅନୁଯାୟୀ, ଆପଲା ରାଜୁ ଓ ଭାଗ୍ୟଲକ୍ଷ୍ମୀ ନାମକ ଦମ୍ପତି ବିଶାଖାପାଟନାର ଏକ ଗ୍ଲାସ୍ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ସେମାନଙ୍କର ୨ କନ୍ୟା ସନ୍ତାନ ଥିଲେ। ୨୦୧୯ ମସିହାରେ ପ୍ରଥମ ଝିଅକୁ ୩ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନଙ୍କୁ ୧ ବର୍ଷ ହୋଇଥିଲା।
ଉକ୍ତ ବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସେମାନେ ନିଜ ଜେଜେମା’ଙ୍କ ସହ ଗୋଦାବରୀ ନଦୀ କୂଳରେ ଥିବା ଭଦ୍ରାଞ୍ଚଳମ ମନ୍ଦିରକୁ ଏକ ବୋଟ୍ରେ ଯାଉଥିଲେ। ମାତ୍ର ଦୁର୍ଭାଗ୍ୟବଶଃତ ବୋଟ୍ଟି ଦୁର୍ଘଟଣା ଶିକାର ହେବାରୁ ୫୦ ଜଣଙ୍କ ଜୀବନ ହାନୀ ହୋଇଥିଲା। ଫଳରେ ଉକ୍ତ ବୋଟ୍ରେ ଥିବା ଆପଲା ରାଜୁ ଓ ଭାଗ୍ୟଲକ୍ଷ୍ମୀଙ୍କ ୨ ଝିଅ ତଥା ସେମାନଙ୍କୁ ନେଇ ଯାଉଥିବା ଜେଜେମା’ଙ୍କ ପତ୍ତା ମିଳି ନ ଥିଲା।
ନିଜ ୨ ଝିଅଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଆପଲା ରାଜୁ ଓ ଭାଗ୍ୟଲକ୍ଷ୍ମୀ ଭାଗ୍ୟକୁ ଆଦରି ରହିଥିଲେ। ହେଲେ ଭଗବାନ ସେମାନଙ୍କ ଡାକ ଶୁଣିଲେ। ୨ ବର୍ଷ ପରେ ଠିକ୍ ସେପ୍ଟେମ୍ବର ୧୫ ତାରିଖରେ ହିଁ ସେମାନେ ପୁଣି ଥରେ ୨ କନ୍ୟା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ଏଥିନିମନ୍ତେ ସେମାନେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
The post ଯେଉଁ ଦିନ ସଂସାର ଉଜୁଡ଼ିଥିଲା, ୨ ବର୍ଷ ପରେ ସେହି ଦିନ ସଂସାର ହସି ଉଠିଲା appeared first on Odisha Reporter.
from Odisha Reporter https://ift.tt/39nc4p3
No comments:
Post a Comment