- ତୁଷାରକାନ୍ତ
ଆମ ଶାସ୍ତ୍ରରେ କୁହାଯାଇଛି ‘ଉତ୍ସବେ ବ୍ୟସନେ ଚୈବ, ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ, ରାଜଦ୍ୱାରେ ଶ୍ମସାନେ ଚ ଯ ତିଷ୍ଠତି ସ ବାନ୍ଧବଃ’। ଅର୍ଥାତ୍ ଯିଏ କେବଳ ଭଲ ସମୟରେ ନୁହେଁ, ଦୁର୍ଭିକ୍ଷ/ଦଙ୍ଗା/ଯୁଦ୍ଧ/ରାଜଦରବାରରେ ବିସ୍ଖର ବେଳେ/ମଶାଣିରେ ଓ ତାପରେ ପରିବାରବର୍ଗଙ୍କ ପାଖରେ ଠିଆହୁଅନ୍ତି, ସେଇମାନେ ହିଁ ପ୍ରକୃତ ବନ୍ଧୁ’। ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ହୁଏତ କୌଣସି କାରଣରୁ କୌଣସି ଉତ୍ସବରେ ଯୋଗ ଦେଇପାରୁନଥିଲେ। କିନ୍ତୁ ଅସୁବିଧା/ଦୁଃଖ ବା ବିପଦ ସମୟରେ ନିଶ୍ଚିତ ଭାବରେ ଆସି ଠିଆ ହେଉଥିଲେ।
ଓଡ଼ିଶାର ପ୍ରକୃତ ବରପୁତ୍ରଙ୍କ ସ୍ମୃତିଚାରଣ ସଭା ହେଉ ବା ସମ୍ୱର୍ଦ୍ଧନା ସଭା, ସେଠି ମାହୁନ୍ତଙ୍କର ଉପସ୍ଥିତି ପରିଲକ୍ଷିତ ହେଉଥିଲା, ବିଶେଷକରି ସେ ରହୁଥିବା ଭୁବନେଶ୍ୱରରେ। ଭାଷାର ସୁରକ୍ଷା/ନିଶା ନିବାରଣ/ଯୁବବର୍ଗଙ୍କ ବେଉସା ବା ରୋଜଗାର /ଚାଷୀ ସ୍ୱାର୍ଥ ଓ ଚିଟ୍ଫଣ୍ଡ ଶୋଷଣ ବିରୋଧୀ ସବୁ ଆନ୍ଦୋଳନରେ ମାହୁନ୍ତଙ୍କର ଉପସ୍ଥିତି ପରିଲକ୍ଷିତ ହେଉଥିଲା।
ରାଜ୍ୟ ସଚିବାଳୟର (ଏବେ ଲୋକସେବା ଭବନ) ଅନୁଶାସନ ସଚିବ ପଦବୀରୁ ଅବସର ନେବା ପରେ ଅବୈତନିକ ଭାବେ କିଛି କାଳ ରେଡ଼କ୍ରସ ଜରିଆରେ ଜନସେବା କରି ତା’ ପରେ ଜନସ୍ୱାର୍ଥ ସମ୍ୱଳିତ ଅନେକ କାର୍ଯ୍ୟକ୍ରମରେ ନିଜ ତରଫରୁ ଯୋଗଦାନ କରୁଥିବା ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କର ତା ୦୮.୦୯.୨୦୨୧ରିଖରେ ଦେହାନ୍ତ ହୋଇଯାଇଛି।
‘ଅଭିମନ୍ୟୁ ସ୍ମୃତି ସଂସଦ’ ଉପ-ସଭାପତି ରହି ସେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ପ୍ରଗତି ଦିଗରେ କାର୍ଯ୍ୟରତ ଥିଲେ। ଭାଷା ସହିତ ନିଶା ନିବାରଣ, ସମସ୍ତଙ୍କ ପାଇଁ ରୋଜଗାର, ଚିଟଫଣ୍ଡ ଠକେଇ ଓ ଚାଷୀମାନଙ୍କ ସ୍ୱାର୍ଥ ସମ୍ୱଳିତ ଆନ୍ଦୋଳନରେ ସେ ସର୍ବଦା ନିଜକୁ ନିୟୋଜିତ ରଖୁଥିଲେ।
ବିଭିନ୍ନ ଐତିହାସିକ, ସାମାଜିକ ଇତ୍ୟାଦି ତଥ୍ୟର ସେ ଗନ୍ତାଘର ଥିଲେ। ଅତ୍ୟନ୍ତ ଅମାୟିକ ତଥା ନିଷ୍କପଟ ଭଦ୍ରଲୋକ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କର ନିଧନରେ ଓଡ଼ିଶା ତଥା ଓଡ଼ିଆ ଭାଷା ପାଇଁ ଯଥାର୍ଥରେ ଚିନ୍ତିତ ଜଣେ ସଜ୍ଜନଙ୍କ ସଂଖ୍ୟା କମିଗଲା। ଏସବୁ କାର୍ଯ୍ୟକ୍ରମରେ ଆଉ ତାଙ୍କୁ ଦେଖିବାକୁ ମିଳିବ ନାହିଁ।
ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଶତକୋଟି ପ୍ରଣାମ ଅର୍ପଣ କରିବା ଅବସରରେ ମନେ ପଡୁଛି ‘ସ୍ମୃତି ସେ ତ ନୁହେଁ ଭୁଲିବାର, ଭୁଲି ମୁଁ ପାରିଲେ ଅବା ପାଆନ୍ତି ନିସ୍ତାର’।
ମୋ : ୮୮୯୫୮୫୭୩୧୮
The post ଭାଷାପ୍ରେମୀ, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ସ୍ମରଣେ… appeared first on Odisha Reporter.
from Odisha Reporter https://ift.tt/3khUglN
No comments:
Post a Comment