ଅନୁଗୋଳ (ବିରଜା ପ୍ରସାଦ ଦାସ): ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ ବୋଲି ଗତ ମାସରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ସାଂଘାତିକ ଅଭିଯୋଗ। ଏଠାରେ ଜଣେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି। ଭିଡିଓଟି ଦୁଇ ଦିନ ତଳର ବୋଲି ଜଣାପଡ଼ିଛି।
ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଜଣେ ରୋଗୀ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଜଣେ ସୁରକ୍ଷାକର୍ମୀ ଉକ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ସୁରକ୍ଷାକର୍ମୀ ଜଣଙ୍କ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ସମୟରେ କେହି ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିବା ଜଣାପଡ଼ିଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ ଥିବା ସତ୍ତ୍ୱେ ଏମିତି ଏକ ଘଟଣା କେମିତି ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉଟ୍ଡୋର ବା ଏମରଜେନ୍ସୀ ଦାୟିତ୍ୱରେ ଥିବା ଷ୍ଟାଫ୍ ସେତେବେଳେ କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏଡିଏମ୍ଓ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ତଦନ୍ତ ପରେ ଘଟଣା କ’ଣ ଜାଣି ହେବ।
ସୂଚନାଯୋଗ୍ୟ, ଗତ ମାସରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ଙ୍କ ପକ୍ଷରୁ ସବୁ ସରକାରୀ ଡାକ୍ତରଖାନାର ମୁଖ୍ୟ ମାନଙ୍କୁ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ରୋଗୀଙ୍କ ଚିକିତ୍ସା ବେଳେ ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ କୌଣସି ଅଣ-ସ୍ୱାସ୍ଥ୍ୟକର୍ମୀ ଯେପରି ନିୟୋଜିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍। ସେହିଭଳି ହସ୍ପିଟାଲ୍ ଆସୁଥିବା ରୋଗୀମାନଙ୍କୁ କେବଳ ପ୍ରାଧିକୃତ ବ୍ୟକ୍ତି ହିଁ ଚିକିତ୍ସା କରିପାରିବେ।
The post ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ୍ appeared first on Odisha Reporter.
from Odisha Reporter https://ift.tt/3zYzqNF
No comments:
Post a Comment