ନୂଆଦିଲ୍ଲୀ: ଭୁଲ ଚୁଟି କାଟିବା ଗୋଟିଏ ସେଲୁନକୁ ମହଙ୍ଗା ପଡ଼ିଛି। ଯୁବତୀଙ୍କ କହିବା ଅନୁସାରେ ହେୟାର ଡ୍ରେସର ଜଣଙ୍କ ଠିକ୍ ଭାବେ ତାଙ୍କ ଚୁଟି କାଟି ପାରି ନାହାନ୍ତି। ଏହି କାରଣରୁ ତାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ସେଲୁନକୁ ନିର୍ଦ୍ଦେଶ ମିଳିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି।
ଜାତୀୟ ଗ୍ରାହକ ବିବାଦ ସମାଧାନ କମିଶନ (ଏନସିଆରଡିସି) ଦିଲ୍ଲୀର ଏକ ହୋଟେଲରେ ଚାଲିଥିବା ସେଲୁନକୁ ଏପରି କ୍ଷତି ପୂରଣ ଦେବାକୁ କହିଛନ୍ତି। ଏଠାକୁ ଜଣେ ମହିଳା ମଡେଲ ଚୁଟି କାଟିବାକୁ ଆସିଥିଲେ। କିନ୍ତୁ ତାଙ୍କ ଆବଶ୍ୟକ ଅନୁଯାୟୀ ସେଲୁନ କର୍ତ୍ତୃପକ୍ଷ ଚୁଟି କାଟି ପାରି ନଥିଲେ। ବରଂ ସେଲୁନର ମନମାନୀ ଯୋଗୁ ତାଙ୍କ ଚାକିରି ଚାଲିଯିବା ସହ ଚୁଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି କାରଣରୁ ଏନସିଆରଡିସି ହୋଟେଲ ଓ ସେଲୁନ କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି।
୨୦୧୮ରେ ଘଟିଥିବା ଏହି ଘଟଣାର ଶୁଣାଣି କରି ଆୟୋଗର ଚେୟାରମ୍ୟାନ୍ ଆରକେ ଅଗ୍ରୱାଲ ଓ ଏହାର ସଦସ୍ୟ ଡକ୍ଟର ଏସଏମ କାଣ୍ଟିକର କହିଛନ୍ତି, ମହିଳାମାନେ ସେମାନଙ୍କ କେଶର ଯତ୍ନ ବେଶ ଭଲ ଭାବେ ନିଅନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ କେଶକୁ ଯତ୍ନରେ ରଖିବା ପାଇଁ ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି।
ନିଜର ଲମ୍ବା ଚୁଟି ପାଇଁ ମହିଳା ଜଣଙ୍କ ହେୟାର ପ୍ରଡକ୍ଟର ବିଜ୍ଞାପନ ପାଇଥିଲେ। କିନ୍ତୁ ଭୁଲ ଚୁଟି କଟା ପାଇଁ ସେ ତାଙ୍କର କାମ ହରାଇଛନ୍ତି। ଏହା ତାଙ୍କ ଜୀବନର ଗତିପଥ ବଦଳାଇ ଦେବା ସହ ମଡେଲ ହେବାକୁ ସେ ରଖିଥିବା ଆଶା ଧୂଳିସାତ କରିଦେଇଛି। ତେଣୁ ତାଙ୍କୁ କ୍ଷତିପୂରଣ ମିଳିବା ଦରକାର।
ଆୟୋଗ ଆହୁରି କହିଛନ୍ତି, ଚୁଟି କାଟୁଥିବା ବ୍ୟକ୍ତି ଜଣଙ୍କ ସେଲୁନର ବରିଷ୍ଠ ଅଧିକାରୀ। ସେ ଏଥିପାଇଁ ଭଲ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। କିନ୍ତୁ ମହିଳା ମଡେଲଙ୍କ କେଶ କାଟିବାରେ ସେ ଅବହେଳା କରିଛନ୍ତି। ଏଥିପାଇଁ ମହିଳାଙ୍କୁ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଥିଲା।
ସେ ନିଜ କାର୍ଯ୍ୟରେ ଧ୍ୟାନ ଦେଇ ପାରିନଥିଲେ ଓ ଶେଷରେ ଚାକିରି ମଧ୍ୟ ହରାଇଲେ। ଏହା ବ୍ୟତୀତ ହୋଟେଲ ‘କେଶ ଚିକିତ୍ସା’ରେ ଅବହେଳା କରିଛି। ଭୁଲ କେଶ ଚିକିତ୍ସା ଯୋଗୁ ମଡେଲଙ୍କ ତ୍ୱଚା ଜଳି ଯାଇଛି। କର୍ମଚାରୀଙ୍କ ଅପରାଗତା ଯୋଗୁ ସେ ଆଲର୍ଜି ପୀଡ଼ିତ ଅଛନ୍ତି। ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ହ୍ୱାଟସଆପ୍ ଚ୍ୟାଟରେ ହୋଟେଲ ଓ ସେଲୁନ କର୍ତ୍ତୃପକ୍ଷ ନିଜର ଭୁଲ ସ୍ୱୀକାର କରିଛନ୍ତି।
ଏହାର ପ୍ରତିବଦଳରେ ମାଗଣାରେ ‘କେଶ ଚିକିତ୍ସା’ ପ୍ରଦାନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ତେଣୁ ସେମାନେ ନିଜର ଭୁଲ ପାଇଁ ପୀଡ଼ିତାଙ୍କୁ ୮ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କାର କ୍ଷତିପୂରଣ ଦେବେ ବୋଲି ଏନସିଆରଡିସି ନିର୍ଦ୍ଦେଶ ଦେଇଛନ୍ତି।
ମହିଳା ମଡେଲ ଜଣଙ୍କ ନିଜ ଇଣ୍ଟରଭ୍ୟୁର କିଛି ସପ୍ତାହ ପୂର୍ବରୁ ଅର୍ଥାତ ୨୦୧୮ ମସିହା ଏପ୍ରିଲ ୧୨ରେ ଦିଲ୍ଲୀରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲକୁ ଯାଇଥିଲେ। ସେଠାରେ ନିୟମିତ ତାଙ୍କ ଚୁଟି କାଟୁଥିବା ଡିଜାଇନର ଜଣଙ୍କ ନଥିବାରୁ ଅନ୍ୟ ଜଣେ ତାଙ୍କ ଦାୟିତ୍ୱ ନେଇଥିଲେ।
ସେ ହେୟାର କଟରଙ୍କୁ ଆଗରୁ ଚୁଟିକୁ ଲମ୍ବା ‘ଫ୍ଲିକ୍ସ’ (ଗୋଟିଏ ପ୍ରକାରର ହେୟାର ଷ୍ଟାଇଲ୍) ଓ ପଛରୁ ଚାରି ଇଞ୍ଚ କାଟିବାକୁ କହିଥିଲେ। କିନ୍ତୁ ହେୟାର କଟର ଜଣଙ୍କ କେବଳ ଚାରି ଇଞ୍ଚ କେଶ ଛାଡ଼ି ତାଙ୍କ ଲମ୍ବା କେଶକୁ ସମ୍ପୂର୍ଣ୍ଣ କାଟି ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚୁଟି କଟାଳି ଜଣଙ୍କ ଚୁଟି କାଟିବା ସମୟରେ ତାଙ୍କୁ ତଳକୁ ମୁଣ୍ଡ କରି ରହିବାକୁ ଅନୁରୋଧ କରିଥିଲେ।
ପ୍ରାୟ ୧ ଘଣ୍ଟା ଧରି ହେୟାର ଡ୍ରେସର ଜଣଙ୍କ ତାଙ୍କ ଚୁଟି କାଟିବା ପ୍ରକ୍ରିୟା ଜାରି ରଖିଥିଲେ। ଚୁଟି କଟା ଦେଖି ମହିଳା ଜଣଙ୍କ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବରିକ୍ତ ପ୍ରକାଶ କରି ସେଠାରୁ ଚାଲି ଯାଇଥିଲେ। ବିବାଦ ହେବାରୁ ସେଲୁନ ପକ୍ଷରୁ ତାଙ୍କ ଚୁଟି ବଢ଼ାଇବା ପାଇଁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।
ମଡେଲ ଜଣଙ୍କ ଚୁଟିର ଚିକିତ୍ସା ପାଇଁ ମେ’ ୩ରେ ପୁଣି ସେଠାକୁ ଆସିଥିଲେ। କିନ୍ତୁ ଚିକିତ୍ସା ବେଳେ ଅତ୍ୟଧିକ କେମିକାଲ ଯୋଗୁ ତାଙ୍କ ଚୁଟି ଓ ତ୍ୱଚା ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହା ବିରୋଧରେ ସେ ଏନସିଆରଡିସିରେ ଅଭିଯୋଗ କରିଥିଲେ। ଏବେ ଏହାର ରାୟ ପ୍ରକାଶ ପାଇଛି।
The post ଭୁଲ ଚୁଟି କଟା ପଡ଼ିଲା ମହଙ୍ଗା, ସେଲୁନ ଦେବ ୨ କୋଟି appeared first on Odisha Reporter.
from Odisha Reporter https://ift.tt/3AEbVK4
No comments:
Post a Comment