କୃତ୍ରିମ କୋଇଲା ସଙ୍କଟ ଏକ କର୍ପୋରେଟ୍‌ ଚକ୍ରାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

କୃତ୍ରିମ କୋଇଲା ସଙ୍କଟ ଏକ କର୍ପୋରେଟ୍‌ ଚକ୍ରାନ୍ତ!

  • ଡକ୍ଟର ଗୋଲକ ବିହାରୀ ନାଥ, ସଭାପତି ଓ ଦେବ ରଞ୍ଜନ, ସାଧାରଣ ସମ୍ପାଦକ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

କୋଇଲା ସଙ୍କଟ ହେତୁ ବିଭିନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିଜର ଉତ୍ପାଦନ କମାଇଦେବା ଓ କେତେକ ବନ୍ଦ ହୋଇଯିବା ଅନେକଙ୍କୁ ବିଚଳିତ କରିଛି। ବିଦ୍ୟୁତ ଆଜି ବିଳାସର ବିଷୟ ନହୋଇ ଏକ ଅତ୍ୟାବଶ୍ୟକ ବିଷୟ ହୋଇଯାଇଛି।

ଏହି ସଙ୍କଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା, ୧) କରୋନା ଜନିତ ଲକଡାଉନ ପରେ ବିଭିନ୍ନ ଦେଶର ଅର୍ଥନୀତି ଅଧିକ ଚଞ୍ଚଳ ହୋଇଉଠିବା କାରଣରୁ ଆନ୍ତର୍ଜାତିକ ବଜାରରେ କୋଇଲାର ଅତ୍ୟଧିକ ମୂଲ୍ୟ ବୃଦ୍ଧି, ୨) ଦେଶରେ ଲକଡାଉନ ପରେ ବିଭିନ୍ନ ଶିଳ୍ପ କାରଖାନା ଖୋଲିବା ହେତୁ ବିଦ୍ୟୁତର ଚାହିଦା ବଢ଼ିବା ସହିତ କୋଇଲାର ଚାହିଦା ବଢ଼ିବା ଏବଂ ୩) ଏ ବର୍ଷ ଏପ୍ରିଲ-ମଇ ମାସରେ ଅଧିକ ବର୍ଷା ହେତୁ ଗଛିତ କୋଇଲା ଓଦା ହୋଇଯିବା କାରଣରୁ ବ୍ୟବହାର ଉପଯୋଗୀ ହେଲା ନାହିଁ।

କେନ୍ଦ୍ର ସରକାର ଅତୀତରେ ବିଭିନ୍ନ ସମୟରେ ଲୋକଙ୍କ ପାଇଁ ଅନେକ ସଙ୍କଟ ତିଆରି କରିଛନ୍ତି କିନ୍ତୁ କୌଣସି ସଙ୍କଟର ସମାଧାନ କରିପାରିନାହାନ୍ତି। ତେଣୁ ଆଜିର ସଙ୍କଟ ସମ୍ପର୍କରେ କେନ୍ଦ୍ର ସରକାର ଯେଉଁ ଯୁକ୍ତି ରଖୁଛନ୍ତି ତାହା ବିଶ୍ଵାସଯୋଗ୍ୟ ହେଉନାହିଁ।

୧. ଦେଶଦ୍ରୋହ କାର୍ଯ୍ୟ:

ଏହା ସତ ଯେ କୋଇଲାର ଆନ୍ତର୍ଜାତିକ ବଜାରରେ ମୂଲ୍ୟବୃଦ୍ଧି ଘଟିଛି। କୋଇଲାର ଚାହିଦା ବଢ଼ିବା ଯୋଗୁଁ କୋଇଲା ରପ୍ତାନୀ କରୁଥିବା ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆ ଗଲା ତିନିମାସ ମଧ୍ୟରେ ଯଥାକ୍ରମେ ୫୦% ଓ ୩୦% ମୂଲ୍ୟ ବୃଦ୍ଧି ଘଟାଇଛନ୍ତି। ଆମର ଦୈନନ୍ଦିନ ଜୀବନରେ ଆମେ ପାଉଥିବା ବିଦ୍ୟୁତର ମୁଖ୍ୟଭାଗ କୋଇଲା ଜ୍ଵଳନରୁ ଅର୍ଥାତ ଥର୍ମାଲ ପାୱାର ଷ୍ଟେସନ (ପ୍ରାୟ ୭୦%) ମାଧ୍ୟମରେ ଆସିଥାଏ। ଏହା ମୁଖ୍ୟତଃ କୋଲ ଇଣ୍ଡିଆ ଲିମିଟେଡ (ସରକାରୀ ଉଦ୍ୟୋଗ) ତଥା ଟାଟା ପାୱାର ଓ ଆଦାନି ପାୱାର ଭଳି ନିଜସ୍ଵ ଉଦ୍ୟୋଗ ମାଧ୍ୟମରେ ଆସିଥାଏ।

କେନ୍ଦ୍ର ସରକାର କୋଇଲା ଉତ୍ତୋଳନର ଘରୋଇକରଣ ଓ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଲାଗି ଅନୁମତି ଦେବା ପରେ ଟାଟା ପାୱାର ଓ ଆଦାନି ପାୱାର କମ୍ପାନୀ କୋଇଲା ବିଦେଶରୁ ଆମଦାନୀ କରୁଥିଲେ। କିନ୍ତୁ ଆନ୍ତର୍ଜାତିକ ବଜାରରେ କୋଇଲାର ଦର ବୃଦ୍ଧି କାରଣରୁ ଏହି କମ୍ପାନୀମାନେ ତୁରନ୍ତ ନିଜର ପ୍ଳାଣ୍ଟକୁ ବନ୍ଦ କରିଦେବା ଏକ ଦେଶଦ୍ରୋହ କାର୍ଯ୍ୟ। ବିଦ୍ୟୁତ ଏକ ଜରୁରୀ ଆବଶ୍ୟକତା ହୋଇଥିଲା ବେଳେ ଓ ଏହାର ଜାତୀୟ ସ୍ଵାର୍ଥ ସହିତ ସିଧା ସମ୍ପର୍କ ରହିଥିଲା ବେଳେ ନିଜର କାରଖାନାକୁ ହଠାତ ବନ୍ଦ କରିଦେବା ଏକ ଅପରାଧ। କିନ୍ତୁ କେନ୍ଦ୍ର ସରକାର ସେଭଳି କୌଣସି ପଦକ୍ଷେପ ଉଭୟ କମ୍ପାନୀ ବିପକ୍ଷରେ ନେଲେନାହିଁ।

କମ୍ପାନୀମାନେ ଏଭଳି ଭାବରେ ଉତ୍ପାଦନକୁ ବନ୍ଦ କରିଦେଇ କୋଇଲା ଦରବୃଦ୍ଧିର ବୋଝ ଉପଭୋକ୍ତାଙ୍କ ଉପରେ ଲଦିଦେବା – ବିଦ୍ୟୁତ ୟୁନିଟ ପ୍ରତି ଦର ବଢ଼ାଇବା ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା – ଉଦ୍ଦେଶ୍ୟ ନୁହେଁ ତ?

୨.  ଆମଦାନୀ ଲାଗି ଅନୁମତି :

ଭାରତ ପୃଥିବୀର ପଞ୍ଚମ ସର୍ବାଧିକ କୋଇଲା ଭଣ୍ଡାର ଥିବା ଦେଶ। ଏଥିରୁ କୋଲ ଇଣ୍ଡିଆ ଲିମିଟେଡ ପ୍ରାୟ ୮୦% କୋଇଲା ଉତ୍ତୋଳନ କରୁଥିବା ସରକାରୀ ଉଦ୍ୟୋଗ।

ଏହି ଉଦ୍ୟୋଗର ତଥ୍ୟ ଅନୁସାରେ, ଗଲା ତିନି ବର୍ଷ ହେଲା କୋଇଲା ଉତ୍ତୋଳନରେ ସେପରି କୌଣସି ହ୍ରାସ ଘଟି ନାହିଁ। ତେବେ କୋଭିଡ ଲକଡାଉନ ହେତୁ ଯେ ଉତ୍ତୋଳନ କମିଛି ଏହାକୁ ବିଶ୍ଵାସ କେମିତି କରାଯାଇପାରିବ? ଯଦି ବି ସାମାନ୍ୟ କମିଛି ତେବେ ଏହା ଯେ ଏତେ ବଡ଼ ସଙ୍କଟ ତିଆରି କରିବ ତାହାକୁ ବିଶ୍ୱାସ କରିହେଉନାହିଁ। କାରଣ କୋଲ ଇଣ୍ଡିଆର କୋଇଲା ଉତ୍ପାଦନ ୨୦୧୬–୧୭ ମସିହାରେ ୬୫.୫ ନିୟୁତ ଟନ, ୨୦୧୭–୧୮ରେ ୬୫.୭ ନିୟୁତ ଟନ, ୨୦୧୮–୧୯ରେ ୬୪.୪ ନିୟୁତ ଟନ, ୨୦୧୯–୨୦ରେ ୬୫.୦୪ ନିୟୁତ ଟନ ଓ ୨୦୨୦–୨୧ରେ ୫୯. ୫୮ ନିୟୁତ ଟନ ରହିଆସିଛି। ବରଂ ଦେଶର ଅର୍ଥନୀତିର ବିଷମ ସ୍ଥିତି, ପ୍ରାଇଭେଟ କମ୍ପାନୀମାନଙ୍କର କୋଇଲା କ୍ଷେତ୍ରରେ ପ୍ରବେଶ ସାଙ୍ଗକୁ ଦେଶରେ କୋଇଲା ଗଚ୍ଛିତ ଥାଇ ମଧ୍ୟ ବିଦେଶରୁ କୋଇଲା ଆମଦାନୀ କରିବା ଲାଗି ପ୍ରାଇଭେଟ କମ୍ପାନୀକୁ ଅନୁମତି ଦେବା ଏହି ସଙ୍କଟର କାରଣ ହୋଇପାରେ।

୩. ସ୍ୱଚ୍ଛ ଭାରତ ମିଶନରେ ବ୍ୟବହାର :

କୋଲ ଇଣ୍ଡିଆ ଲିମିଟେଡକୁ ଏକ କ୍ଷତି କରୁଥିବା ଉଦ୍ୟୋଗ ଦର୍ଶାଇବା ଲାଗି କେନ୍ଦ୍ର ସରକାର ୨୦୧୬-୧୭ ମସିହାରୁ ଉଦ୍ୟମ କରିଆସିଛନ୍ତି। କୋଲ ଇଣ୍ଡିଆ ପାଖରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ଲାଗି (ଯାହା ଆଜି ସୃଷ୍ଟି ହୋଇଛି) ଯେଉଁଠି ୨୦୧୫ ମସିହାରେ ୩୫,୦୦୦ କୋଟି ଟଙ୍କା ଗଚ୍ଛିତ ଥିଲା ତାହା ୨୦୧୯ ମସିହା ବେଳକୁ ୮୦୦୦  କୋଟି ଟଙ୍କାକୁ ଖସି ଆସିଛି। ଗଚ୍ଛିତ ରାଶି କମିବା ପଛରେ କେତେକ କାରଣ ମଧ୍ୟରୁ ଦୁଇଟି ପ୍ରମୁଖ କାରଣ ହେଲା ସେହି ରାଶିକୁ ‘ସ୍ୱଚ୍ଛ ଭାରତ ମିଶନ’ କାର୍ଯ୍ୟକ୍ରମରେ ପାଇଖାନା ତିଆରି ଲାଗି ବ୍ୟବହାର କରିବା ଓ କୃଷି ଲାଗି ଆବଶ୍ୟକ ସାର କାରଖାନ ପ୍ରତିଷ୍ଠା ଲାଗି ବ୍ୟବହାର କରାଯିବା। କୋଲ ଇଣ୍ଡିଆ ଲିମିଟେଡର ସ୍ଲୋଗାନ, ‘ଆମେ ଦେଶ ଲାଗି କୋଇଲା ଉତ୍ପାଦନ କରୁଛୁ ଓ ଆମେ ସ୍କୁଲ ଲାଗି ଲାଟ୍ରିନ ତିଆରି କରୁଛୁ’ କଦାପି ଗର୍ବର କଥା ନୁହେଁ ବରଂ ରାଷ୍ଟ୍ରୀୟ ସମ୍ପତ୍ତିର ଅନୁପଯୁକ୍ତ ବ୍ୟବହାର।

ଅନ୍ୟପଟରେ, ବିଭିନ୍ନ ନିଜସ୍ଵ ବୃହତ ଉଦ୍ୟୋଗ ନିକଟରୁ କୋଲ ଇଣ୍ଡିଆ ଲିମିଟେଡ ପ୍ରାୟ ୨୧,୬୯୭ କୋଟି ଟଙ୍କା ପାଇବାକୁ ଥିଲେ ମଧ୍ୟ (ଆଦାନୀର ୬୦୦୦ କୋଟି ଟଙ୍କା ସମେତ) ତାହା ଆଦାୟ ଦିଗରେ ଉଦ୍ୟମ କରାଯାଉ ନାହିଁ।

୪. ମିନେରାଲ୍ସ ଲ’ ଆମେଣ୍ଡମେଣ୍ଟ ଆକ୍ଟ, ୨୦୨୦ :

କୋଇଲାର ଜାତୀୟକରଣ ୧୯୭୩ ମସିହାରେ ହେବା ପରଠାରୁ ଉତ୍ତୋଳନ ଦାୟିତ୍ଵ କୋଲ ଇଣ୍ଡିଆ ଲିମିଟେଡ ଉପରେ ନ୍ୟସ୍ତ ଥିଲା। ବିସ୍ଥାପିତ ଗ୍ରାମାବାସୀଙ୍କୁ ସର୍ବଦା ଠକିବା ଓ ବିନା ଅନୁମତିରେ ସେମାନଙ୍କ ଗାଁ ତଳୁ ମାଟି ତାଡ଼ି ନେବା (ଯାହା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ କ୍ରମାଗତ ଘଟୁଛି), ତାଳଚେର ଭଳି ସହର ସର୍ବଦା ବିପଦଶଙ୍କୁଳ ଅବସ୍ଥାରେ ଏଥିଲାଗି ରହିବା, ତଲାବିରା କୋଇଲା ଖଣି ନିକଟରେ ୧୫,୦୦୦ ଗଛ କାଟି ଦେବା, ଅନେକ ପ୍ରଦେଶରେ ଥିବା କୋଇଲା ଖଣିରେ ଅବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ କାରଣରୁ ବହୁ ସମୟରେ ଶ୍ରମିକମାନେ କୋଇଲା ଖଣି ମଧ୍ୟରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିବା (ଏହି ବର୍ଷ ଜୁନ ମାସରେ ମେଘାଳୟ ରାଜ୍ୟ ପୂର୍ବ ଜୟନ୍ତିଆ ଖଣି ଘଟଣା ଓ ଅନ୍ୟାନ୍ୟ), ଥର୍ମାଲ ପାୱାର ଉତ୍ପାଦନ ଅତ୍ୟନ୍ତ ପ୍ରଦୂଷଣକାରୀ ଉଦ୍ୟୋଗ ହୋଇଥିଲେ ମଧ୍ୟ ପରିବେଶର ସୁରକ୍ଷା ଦିଗରେ ଉଦ୍ୟମ ନକରିବା ଇତ୍ୟାଦି ଅନେକ ଅଭିଯୋଗ ଏହି କୋଲ ଇଣ୍ଡିଆ ଲିମିଟେଡ ବିପକ୍ଷରେ ହୋଇଆସିଛି।

କିନ୍ତୁ କେନ୍ଦ୍ର ସରକାର ଅତ୍ୟନ୍ତ କୌଶଳ କ୍ରମେ କୋଇଲା ଉତ୍ପାଦନକୁ ‘ଆତ୍ମନିର୍ଭର’ କରିବା ବାହାନାରେ ମିନେରଲ୍ସ ଲ’ ଆମେଣ୍ଡମେଣ୍ଟ ଆକ୍ଟ, ୨୦୨୦ ପାସ କରିନେଲେ।

ଏହା ଦ୍ଵାରା କୋଲ ଇଣ୍ଡିଆ ଲିମିଟେଡ ବିପକ୍ଷରେ ଆସିଥିବା ଅଭିଯୋଗର ସମାଧାନ କରିବା ବଦଳରେ କେନ୍ଦ୍ର ସରକାର ପ୍ରାଇଭେଟ କମ୍ପାନୀ ବା କର୍ପୋରେଟମାନଙ୍କ ଲାଗି ଥିବା ଅନେକ ପ୍ରତିବନ୍ଧକକୁ ଉଠାଇଦେଲେ। ଟାଟା, ଜିନ୍ଦାଲ, ଆଦାନୀ କମ୍ପାନୀକୁ ମିଳିଥିବା କୋଲ ବ୍ଲକ କେବଳ ନିଜ ବ୍ୟବହାର ଲାଗି ଥିଲା ବେଳେ ନୂତନ ଆଇନରେ ସେମାନଙ୍କୁ ବିକ୍ରି କରିବାର କ୍ଷମତା ମଧ୍ୟ ଦିଆଗଲା। ଏହା ଦ୍ଵାରା ଆଜିର କୋଇଲା ସଙ୍କଟ ମୁଷ୍ଟିମେୟ ପ୍ରାଇଭେଟ କର୍ପୋରେଟଙ୍କ ଲାଗି ପୁଷମାସ ହୋଇଯିବ। ସେମାନେ ଅଧିକ ଦରରେ ଏହାପରେ ନିଜର କୋଇଲାକୁ ବିକ୍ରି କରିପାରିବେ। ଏହା ଦ୍ଵାରା ଏହି କମ୍ପାନୀମାନେ ଏହି ଆଳରେ ନିଜର କୋଇଲାକୁ ବିଦ୍ୟୁତ ଉତ୍ପାଦନ ଲାଗି ବ୍ୟବହାର ନକରି ଖୋଲା ବଜାରରେ ବିକ୍ରିକରିବା ଭଳି ଜନ ବିରୋଧୀ କାର୍ଯ୍ୟ କରିବେ।

ଯଦି କୋଲ ଇଣ୍ଡିଆ ଭଳି ଘରୋଇ ଉଦ୍ୟୋଗ ନିଜର ଅମାନବୀୟ କାର୍ଯ୍ୟକୁ ଜାରିରଖେ ତେବେ କୌଣସି ଉଦ୍ୟୋଗ ବା ଆର୍ଥିକ କ୍ଷେତ୍ରର ‘ଜାତୀୟକରଣ’ ହେବା କଦାପି ସମାଧାନ ହେବ ନାହିଁ। ସେହିଭଳି ଦେଶର ଦୁର୍ବଳ ଅର୍ଥନୀତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଜାତୀୟକରଣ ଉଦ୍ୟୋଗକୁ ବିକ୍ରି କରିବା ଓ କୋଇଲା ଭଳି କ୍ଷେତ୍ରରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ କରାଇବା ଅପରିଣାମଦର୍ଶୀ ମନୋଭାବର ଉଦାହରଣ। ଆଜିର କୋଇଲା କ୍ଷେତ୍ରରେ ସଙ୍କଟ କେବଳ ଯେ ବାହ୍ୟ କାରଣ ହେତୁ ଘଟିଛି ତାହା ନୁହେଁ। ବରଂ ଏହି ସଙ୍କଟକୁ କର୍ପୋରେଟ ସ୍ଵାର୍ଥରେ ପରିଣତ କରିବାର ଉଦ୍ୟମ କରାଯାଉଛି। ଯଦି ଆମେ ସଚେତନ ନହେବା ତେବେ ଏହି ସଙ୍କଟର ବୋଝ ଉପଭୋକ୍ତାଙ୍କ ଉପରେ ପଡ଼ିବ। ଏବେ ବି ଅଧିକ ବିଦ୍ୟୁତ ବିଲ୍‌ ଦେଉଥିବା ଉପଭୋକ୍ତା ପୁଣି ତିନି କିମ୍ବା ଚାରିଗୁଣା ବିଲ୍‌ ଦେବେ। ସମସ୍ତ ଜନସାଧାରଣ ଓ ସଂଗଠନ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ସୁଖର କଥା ଯେ ନିକଟରେ କେନ୍ଦ୍ର ସରକାର କୋଇଲା ସଂକଟ ଉପରେ ସମୀକ୍ଷା କରି ଏଭଳି ସଂକଟ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଦେଶରେ ଯଥେଷ୍ଟ କୋଇଲା ଗଚ୍ଛିତ ଅଛି। ତଥାପି କେନ୍ଦ୍ରର ଏହି ଦୃଢ଼ୋକ୍ତି ସମସ୍ୟାର ସମାଧାନ କରିବ କି ଭବିଷ୍ୟତରେ ସଂକଟ ଆଳରେ ନିବିଡ଼ ପୁଞ୍ଜିବାଦକୁ ଅଧିକ ଶକ୍ତିଶାଳୀ କରିବ ତାହା ଦେଖିବାକୁ ବାକି ରହିଲା।

The post କୃତ୍ରିମ କୋଇଲା ସଙ୍କଟ ଏକ କର୍ପୋରେଟ୍‌ ଚକ୍ରାନ୍ତ! appeared first on Odisha Reporter.



from Odisha Reporter https://ift.tt/2Z4YZyS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages