ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି। ଏବେ ସମସ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି।
ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୯ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି। ୪ ଜଣ ଚାଷୀ ଶକ, ବ୍ରେନ ହେମରେଜ ଓ ଘୋଷରା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ବିଜେପିର ୪ ଜଣ କର୍ମୀ ଠେଙ୍ଗା ମାଡ଼ ଯୋଗୁ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି।
ଚାଷୀ ଲବପ୍ରୀତ ସିଂହଙ୍କ ମୃତ୍ୟୁ ଘୋଷରା ଯିବା ଯୋଗୁ ହୋଇଛି। ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ଶକ ଓ ବ୍ରେନ ହେମରେଜ ମୃତ୍ୟୁ କାରଣ। ଚାଷୀ ଗୁରବିନ୍ଦର ସିଂହଙ୍କ ଶରୀରରେ ଦୁଇଟି କ୍ଷତଚିହ୍ନ ଓ ଘୋଷରା ଚିହ୍ନ ମିଳିଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ସେ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ପ୍ରାଣ ହରାଇଛନ୍ତି।
ଦଲଜୀତ ସିଂହଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କର ଜୀବନ ଯାଇଛି। ୪ନଂ ଚାଷୀ ଛତ୍ର ସିଂହ ପ୍ରାଣ ହରାଇବା ପୂର୍ବରୁ ଶକ, ବ୍ରେନ ହେମରେଜ ଓ କୋମାକୁ ଚାଲି ଯାଇଥିଲେ। ତାଙ୍କ ଶରୀରରେ ମଧ୍ୟ ଘୋଷରା ଦାଗ ରହିଛି।
ଅନ୍ୟପକ୍ଷରେ ବିଜେପିର ଶୁଭମ ମିଶ୍ର, ଅଜୟ ମିଶ୍ରଙ୍କ ଡ୍ରାଇଭର ହରିଓମ ମିଶ୍ର, ଶ୍ୟାମସୁନ୍ଦର ମିଶ୍ର ଓ ଅନ୍ୟ ଜଣେ କର୍ମୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ସେମାନଙ୍କ ମୁଣ୍ଡରେ ଏକଧିକ ଆଘାତ ଚିହ୍ନ ରହିଛି।
ଘଟଣା ଦିନ ସାମ୍ବାଦିକ ରମଣ କଶ୍ୟପଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କର ମୃତ୍ୟୁ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ହୋଇଛି।
The post ୟୁପି ହିଂସାକାଣ୍ଡ: ଘୋଷରା ଓ ବ୍ରେନ୍ ହେମରେଜ ଯୋଗୁ ପ୍ରାଣ ହରାଇଛନ୍ତି ଚାଷୀ appeared first on Odisha Reporter.
from Odisha Reporter https://ift.tt/3l62ZHX
No comments:
Post a Comment