ନୂଆଦିଲ୍ଲୀ: ନେତୃତ୍ୱ ବିହୀନ କଂଗ୍ରେସରେ ଦଳୀୟ କନ୍ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟପକୁ ବ୍ୟାପିବାରେ ଲାଗିଛି। ପ୍ରଥମେ ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା କଂଗ୍ରେସ କନ୍ଦଳ ପଞ୍ଜାବ ଓ ଛତିଶଗଡ଼ରେ ପହଞ୍ଚିଥିଲା। ଏବେ ଏହି ଦଳୀୟ କନ୍ଦଳ ସୃଷ୍ଟି ହୋଇଥିବା ତାଲିକାରେ ମେଘାଳୟ ଯୋଡ଼ି ହୋଇ ଯାଇଛି।
ମେଘାଳୟ କଂଗ୍ରେସ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ସେଠାକାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡା ମୁକୁଲ ସାଙ୍ଗମା ହାଇକମାଣ୍ଡଙ୍କ ଉପରେ ଖପ୍ପା ହୋଇଛନ୍ତି। ମେଘାଳୟ ବିଧାନସଭାରେ ସାଙ୍ଗମା ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭିସେଣ୍ଟ ଏଚ୍ ପାଲାଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଛି।
ଏଥିପାଇଁ ସେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆସନ୍ତାକାଲି ଦିଲ୍ଲୀ ଆସିବେ। ହାଇକମାଣ୍ଡଙ୍କୁ ଭେଟି ସବୁ ସମସ୍ୟାର ସମାଧାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
୨୦୨୩ରେ ମେଘାଳୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସାଙ୍ଗମା ଦଳୀୟ ବିବାଦକୁ ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି ବିବାଦ ସମାଧାନ ନ ହେବ, ତା’ହେଲେ ସେ କଂଗ୍ରେସ ଛାଡ଼ି ସେ ଟିଏମସିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଟିଏମସିରେ ମିଶିବା ଚର୍ଚ୍ଚାକୁ ସାଙ୍ଗମା ସଂପୂର୍ଣ୍ଣ ଭାବେ ଖାରଜ କରିନାହାନ୍ତି।
ସେ କେବଳ ବର୍ତ୍ତମାନ ସବୁ କିଛି ଆକଳନ କରିବା ଠିକ ନୁହେଁ ବୋଲି କହିଛନ୍ତି। ସାଙ୍ଗମାଙ୍କ ସହ ଅନେକ ବିଧାୟକ ମଧ୍ୟ ଦଳ ଛାଡ଼ି ଟିଏମସିକୁ ଯିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଡା ସାଙ୍ଗମାଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି, ବର୍ତ୍ତମାନ ମେଘାଳୟର ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୭ ବିଧାୟକ ରହିଛନ୍ତି। ୨୦୨୩ରେ ବିଧାନସଭା ନିର୍ବାଚନ ଥିବାରୁ ବିଧାୟକମାନେ ସେମାନଙ୍କ ଆସନ ହରାଇବା ମୁଡରେ ନାହାନ୍ତି। ତେଣୁ ଡା ସାଙ୍ଗମାଙ୍କୁ ଦଳ ବଦଳ ନିରୋଧୀ ଆଇନକୁ ମାତ ଦେବାକୁ ହେଲେ ଅତିକମରେ ୧୨ ବିଧାୟକଙ୍କୁ ନିଜ ସହ ସାମିଲ କରିବାକୁ ପଡ଼ିବ। ଏହାପରେ ଯାଇ ସେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗଦେଇ ପାରିବେ। ଏପରି ହେଲେ ଆଉ ଦଳ ବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବନି ବୋଲି ସହଯୋଗୀ ଜଣଙ୍କ କହିଛନ୍ତି।
ଡା ସାଙ୍ଗମା କହିଛନ୍ତି, “ମୁଁ ରବିବାର ଦିଲ୍ଲୀ ଯିବି। ସେଠାରେ ଗୋଟିଏ ବ୍ୟବସ୍ଥା ରହିଛି। ଆମେ ବିବାଦ ସମାଧାନ କରିବାକୁ ଚେଷ୍ଟା କରିବୁ। ଏବେ ଠାରୁ କିଛି ନିର୍ଦ୍ଦିଷ୍ଟ ଆକଳନ କରିବା ଅପରିପକ୍ୱତାର ପରିଚୟ। ମୁଁ ସବୁବେଳେ ନିରାଶାବାଦର ପୀଡ଼ିତ ନ ହେବାକୁ ଚେଷ୍ଟା କରିଛି। ଏହାକୁ ସବୁବେଳେ କାର୍ଯ୍ୟକାରୀ ମଧ୍ୟ କରିଛି। ତେଣୁ ଆଉ କିଛି ଦିନ ଅପେକ୍ଷା କରନ୍ତୁ।”
ଅନ୍ୟପକ୍ଷରେ ଦଳୀୟ ବିବାଦ ଯୋଗୁ ନିକଟରେ କିଛି ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ଏନପିପିରେ ଯୋଗଦେଇଛନ୍ତି। ଅକ୍ଟୋବର ୩୦ରେ ମେଘାଳୟର ୩ଟି ଆସନରେ ଉପ ନିର୍ବାଚନ ହେବ। ଏହାର ରେଜଲ୍ଟ ନଭେମ୍ବର ୨ରେ ପ୍ରକାଶ ପାଇବ। ଏହା ପୂର୍ବରୁ କଂଗ୍ରେରେ ଦଳୀୟ କନ୍ଦଳ ସ୍ଥିତିକୁ ଜଟିଳ କରିଛି।
The post ପୁଣି ଆଉ ଗୋଟିଏ ରାଜ୍ୟରେ କଂଗ୍ରେସ କନ୍ଦଳ, ଦଳ ଛାଡ଼ିବେ ଏକାଧିକ ବିଧାୟକ appeared first on Odisha Reporter.
from Odisha Reporter https://ift.tt/39YE5E0
No comments:
Post a Comment