କାନାଡା: ଶିଖ୍ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କ ପଗଡ଼ି। ସବୁବେଳେ ଏହାକୁ ନିଜ ମୁଣ୍ଡରେ ଧାରଣ କରୁଥିବା ଶିଖ୍ ସମ୍ପ୍ରଦାୟ ବ୍ୟକ୍ତି ପଗଡ଼ିର ମାନ ରକ୍ଷା କରିବାକୁ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। ହେଲେ କାନାଡାରେ ଏପରି ଏକ ଘଟଣା ଘଟିଛି, ଯାହାକି ଅନ୍ୟମାନଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ।
ପାଣିକୁ ଖସି ଯାଉଥିବା ଜଣେ ଯୁବକଙ୍କୁ ରକ୍ଷା କରିବାକୁ ସେମାନେ ନିଜ ପଗଡ଼ି ଓହ୍ଲାଇବାକୁ ପଛାଇ ନାହାନ୍ତି। ୫ ଶିଖ୍ ଯୁବକ ନିଜ ମୁଣ୍ଡରୁ ପଗଡ଼ି ଖୋଲି ଏହାକୁ ରଶି ଆକାରରେ ବାନ୍ଧି ତାହା ସାହାଯ୍ୟରେ ମରଣ ମୁହଁକୁ ଚାଲି ଯାଉଥିବା ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି। ଏଥିପାଇଁ ଚାରିଆଡ଼ୁ ସେମାନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ବ୍ରିଟିଶ କଲମ୍ବିଆର ଶିଖ୍ କମ୍ୟୁନିଟି ଦ୍ୱାରା ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଛଡ଼ା ଯାଇଛି, ଯାହାକୁ ଦେଖିବା ପରେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ କାନଡାର ଗୋଲଡେନ୍ ଇୟର୍ସ ନାମକ ୱାଟରଫଲ୍ ବୁଲି ଆସିଥିବା ବେଳେ ୨ ଯୁବକ ଖସି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭିତରକୁ ଖସି ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବା ଏକ ପ୍ରକାର ଅସମ୍ଭବ ଲାଗୁଥିଲା। ଏ ସମ୍ପର୍କରେ ରେସକ୍ୟୁ ଟିମ୍କୁ ସୂଚନା ଦିଆଯାଇଥିଲା। ହେଲେ ଅପେକ୍ଷା କଲେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା।
ଆଖି ଆଗରେ ଜଣେ ଯୁବକ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଉଥିବା ଦେଖି ସେଠାରେ ଉପସ୍ଥିତ ଥିବା ୫ ଶିଖ୍ ଯୁବକ ଆକ୍ସନ୍ ମୁଡକୁ ଚାଲି ଆସିଲେ। ଏହି ୫ ଯୁବକ ନିଜ ନିଜ ମୁଣ୍ଡରୁ ପଗଡ଼ି ବାହାର କରି ତାହାର ଏକ ରଶି ତିଆରି କଲେ। ଏହାପରେ ଉକ୍ତ ରଶି ସାହାଯ୍ୟରେ ଫସିରହିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ। ଯୁବକଜଣକ ଉକ୍ତ ରଶିକୁ ଧରିବା ପରେ ସେମାନେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଲେ।
ରେସକ୍ୟୁ ଟିମ୍ ସଦସ୍ୟ ପହଞ୍ଚିବା ବେଳକୁ ଶିଖ୍ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନୂଆ ଜୀବନ ଦେଇ ସାରିଥିଲେ। ସୋଶାଲ ମିଡିଆରେ ଏହି ଭିଡିଓ ଦେଖି ୟୁଜର୍ସମାନେ ଶିଖ୍ ଯୁବକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
The post ପଗଡ଼ି ବଞ୍ଚାଇଲା ଜୀବନ, ଯୁବକଙ୍କୁ ମରଣ ମୁହଁରୁ ଫେରାଇ ଆଣିଲେ ୫ ଶିଖ୍ appeared first on Odisha Reporter.
from Odisha Reporter https://ift.tt/3n7yTUs
No comments:
Post a Comment