ନୂଆଦିଲ୍ଲୀ: ଦଶହରାରର ଗୋଟିଏ ଦିନ ପୂର୍ବରୁ ଦେଶବାସୀ ପୁଣି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ଦୁଇ ଦିନ ତୈଳଦର ସ୍ଥିର ରହିବା ପରେ ଆଜି ପୁଣି ଏହା ବଢ଼ିଛି। ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ପୂର୍ବରୁ ରେକର୍ଡ ସ୍ତରରେ ଥିବା ବେଳେ ଏବେ ଏହା ଆହୁରି ମହଙ୍ଗା ହେଇଛି।
ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏ ବଢ଼ିଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୭୯ ଟଙ୍କା ଓ ଡିଜେଲର ଦାମ ୯୩.୫୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦାମ ୩୪ ପଇସା ବଢ଼ି ୧୧୦.୭୫ ଟଙ୍କା ଓ ଡିଜେଲ ଲିଟର ପିଛା ୩୭ ପଇସା ମହଙ୍ଗା ହୋଇ ୧୦୧.୪୦ ଟଙ୍କା ଛୁଇଁଛି।
ଚେନ୍ନାଇ ଓ କୋଲକାତାରେ ମଧ୍ୟ ବର୍ଦ୍ଧିତ ଦର ଲୋକଙ୍କୁ ଆଉଟପାଉଟ କରୁଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୧୦୫.୪୩ ଟଙ୍କା ଏବଂ ୯୬.୬୩ ଟଙ୍କା ରହିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଲୋକମାନେ ପେଟ୍ରୋଲର ଲିଟର ପିଛା ୧୦୨.୧୦ ଟଙ୍କା ଓ ଡିଜେଲ ୯୭.୯୩ ଟଙ୍କାରେ କିଣୁଛନ୍ତି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୋକମାନେ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ଗୁଡ ରିଟର୍ଣ୍ଣସର ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧ ପଇସା ବଢ଼ିଛି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ୧୦୬.୦୬ ଟଙ୍କାରେ ପହଞ୍ଚି ଯାଇଛି।
ସେହିପରି ଡିଜେଲ ଲିଟର ପିଛା ୭୧ ପଇସା ମହଙ୍ଗା ହେବାରୁ ଏହାର ଦାମ ୧୦୨.୩୩ ଟଙ୍କା ଛୁଇଁଛି। ଗତକାଲି ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିବା ବେଳେ ଭୁବନେଶ୍ୱରରେ ଏହା ଯଥାକ୍ରମେ ୧୯ ପଇସା ଲେଖାଏ ମହଙ୍ଗା ହୋଇଥିଲା।
ଚଳିତ ମାସରେ କେବଳ ୪, ୧୨ ଓ ୧୩ ତାରିଖକୁ ଛାଡ଼ି ଦେଲେ ବାକି ଦିନରେ ତୈଳଦର ବୃଦ୍ଧି ପାଇଛି। ସ୍ଥିତି ଏପରି ହୋଇଛି ଯେ ଡିଜେଲ ଦର ଏବେ ଅଧିକାଂଶ ରାଜ୍ୟରେ ୧୦୦ ଟଙ୍କା ପାର କରିଗଲାଣି। ଏହି ୧୦୦ ଟଙ୍କିଆ କ୍ଲବରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ଲେହ ରହିଛନ୍ତି।
The post ଦୁଇ ଦିନ ପରେ ପୁଣି ବଢ଼ିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ୧୦୬ ଟପିଲା appeared first on Odisha Reporter.
from Odisha Reporter https://ift.tt/3oViSDw
No comments:
Post a Comment