ନୂଆଦିଲ୍ଲୀ: ସିଏନଜି, ପିଏନଜି, ବ୍ୟବସାୟିକ ଗ୍ୟାସର ଦର ବୃଦ୍ଧି ଯୋଗୁ ଆଉଟ ପାଉଟ ହେଉଥିବା ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନି। ଆଜି କ୍ରମାଗତ ତୃତୀୟ ଦିନ ପାଇଁ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି।
ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ତୈଳ କମ୍ପାନୀ ପକ୍ଷରୁ ଶନିବାର ପୁଣିଥରେ ଝଟକା ଲାଗିଛି। ବର୍ଦ୍ଧିତ ଦର ପରେ ଉଭୟ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି।
ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପିଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୨.୧୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୦.୪୭ ଟଙ୍କା ହୋଇଛି। ଗତକାଲି ଦିଲ୍ଲରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୦୧.୮୯ ଟଙ୍କା ଓ ୯୦.୧୭ ଟଙ୍କା ରହିଥିଲା।
ଗୁଡ ରିଟର୍ନସର ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୪୪ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୧୦୩.୦୧ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ୩୦ରେ ପେଟ୍ରୋଲ ଦାମ ୩୦ ପଇସା ଓ ଅକ୍ଟୋବର ୧ରେ ଗୋଟିଏ ପଇସା ମହଙ୍ଗା ହୋଇଥିଲା।
ଅନ୍ୟପକ୍ଷରେ ଡିଜେଲ ଦାମ ମଧ୍ୟ ଭୁବନେଶ୍ୱରରେ ୧୦୦ ଛୁଇଁବାକୁ ବସିଲାଣି। ଆଜି ରାଜଧାନୀରେ ଡିଜେଲର ଲିଟର ପିଛା ଦାମ ୫୧ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଡିଜେଲର ଲିଟର ପିଛା ଦାମ ୯୮.୬୫ ଟଙ୍କା ହୋଇଛି। ଗତକାଲି ଡିଜେଲ ୯ ପଇସା ଓ ସେପ୍ଟେମ୍ବର ୩୦ରେ ଏହା ୩୮ ପଇସା ମହଙ୍ଗା ହୋଇଥିଲା।
ଦେଶର ୪ ପ୍ରମୁଖ ମେଟ୍ରୋ ସହର ମଧ୍ୟରୁ ମୁମ୍ବାଇରେ ତୈଳ ଦର ସବୁଠାରୁ ମହଙ୍ଗା ସ୍ତରରେ ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଲିଟର ପିଛା ଦର ପ୍ରାୟ ୯୮ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ଦାମ ୩ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଥିବା କୁହାଯାଉଛି।
କୋଲକାତାରେ ଆଜି ପେଟ୍ରୋଲ ଦର ୧୦୨.୭୭ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୩.୫୭ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ଲୋକମାନେ ପେଟ୍ରୋଲ ଲିଟର ପିଛା ୯୯.୮୦ ଟଙ୍କା ଓ ଡିଜେଲ ୯୫.୦୨ ଟଙ୍କା ଦେଇ କିଣୁଛନ୍ତି। ସେପ୍ଟେମ୍ବର ୩୦ରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ଓ ଅକ୍ଟୋବର ୧ରେ ପୁଣିଥରେ ୨୫ ଓ ୩୦ ପଇସା ମହଙ୍ଗା ହୋଇଥିଲା।
The post ପୁଣି ବଢ଼ିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ୧୦୩ ଟପିଲା appeared first on Odisha Reporter.
from Odisha Reporter https://ift.tt/3kZxSxN
No comments:
Post a Comment