ଶ୍ରୀନଗର: ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ଦ୍ୱାର ପରିଚାଳିତ ୟୁନାଇଟେଡ ଲିବେରେସନ ଫ୍ରଣ୍ଟ (ୟୁଏଲଏଫ) କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ଚେତାବନୀ ଦେଇଛି। ସେମାନଙ୍କୁ ସଂଗଠନ ପକ୍ଷରୁ ତୁରନ୍ତ କଶ୍ମୀର ଛାଡ଼ିବାକୁ କୁହାଯାଇଛି। ଯଦି ସେମାନେ କଶ୍ମୀର ନଛାଡ଼ିବେ, ତା’ହେଲେ ସେମାନଙ୍କ ଉପର ହମଲା କରାଯିବ ବୋଲି ସଂଗଠନ ଧମକ ଦେଇଛି। ଏଥିସହ ରବିବାର ବିହାରର ଦୁଇ ଶ୍ରମିକଙ୍କୁ ହତ୍ୟା କରିବା ଘଟଣା ପାଇଁ ୟୁଏଲଏଫ ନିଜକୁ ଦାୟୀ କରିଛି।
ବିଗତ କିଛି ଦିନ ହେଲେଣି କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକ ଓ ସାଧାରଣ ଜନତାଙ୍କ ଉପରେ ଆତଙ୍କୀମାନେ ହମଲା କରିବାରେ ଲାଗିଛନ୍ତି। ଏଯାଏ ଏହି ହମଲା ଯୋଗୁ ୧୧ ଜଣ ପ୍ରାଣ ସାରିଲେଣି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ୟୁଏଲଏଫ ପୁଣି ଆକ୍ରମଣ ପାଇଁ ଚେତାବନୀ ଦେଇଛି।
ରବିବାର ଦକ୍ଷିଣ କଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ହମଲାରେ ବିହାରର ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହା କଶ୍ମୀରରେ ରହୁଥିବା ପ୍ରବାସୀଙ୍କ ଉପରେ ତୃତୀୟ ହମଲା। ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଓ ବିହାରର ଜଣେ ଲେଖାଏ ଶ୍ରମିକଙ୍କୁ କଶ୍ମୀରରେ ଆତଙ୍କୀମାନେ ହତ୍ୟା କରିଥିଲେ। ଚଳିତ ମାସରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇବା ପରେ ପ୍ରବାସୀଙ୍କ ସୁରକ୍ଷା ପାଇଁ ପୁଲିସ୍ ପ୍ରଶାସନର ଚିନ୍ତା ବଢ଼ି ଯାଇଛି।
କଶ୍ମୀର ଆଇଜି ବିଜୟ କୁମାର ଉପତ୍ୟକାରେ ରହୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ କହିଛନ୍ତି। ସେ କଶ୍ମୀରରେ ରହୁଥିବା ସମସ୍ତ ଅଣ କଶ୍ମୀରି ପ୍ରବାସୀଙ୍କୁ ଥାନା, ଅର୍ଦ୍ଧ ସାମାରିକ ବାହିନୀ କିମ୍ବା ଆର୍ମିର ପ୍ରତିଷ୍ଠାନ ଗୁଡ଼ିକରେ ଆଣି ରଖିବାକୁ କହିଛନ୍ତି। ଏଥିସହ ସେ ବରିଷ୍ଠ ଅଧିକାରୀଙ୍କ ସହ ଉପତ୍ୟକତାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।
ବିହାରର ଲୋକଙ୍କ ଉପରେ ଆତଙ୍କୀ ହମଲା ହେଉଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରିଛନ୍ତି।
The post ତୁରନ୍ତ କଶ୍ମୀର ଛାଡ଼ିବାକୁ ବାହାର ରାଜ୍ୟର ଲୋକଙ୍କୁ ଆତଙ୍କୀ ସଂଗଠନର ଧମକ appeared first on Odisha Reporter.
from Odisha Reporter https://ift.tt/3aMOLpx
No comments:
Post a Comment