ନୂଆଦିଲ୍ଲୀ: ଦେଶକୁ ସର୍ବଦା ଅହିଂସା, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିବାକୁ ପ୍ରେରଣା ଦେଉଥିବା ଜାତିରପିତା ମହାତ୍ମା ଗାନ୍ଧିଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ। ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ମହାନାୟକ।
ସାବରମତିର ସନ୍ଥ ମହାତ୍ମାଙ୍କ ପାଇଁ ଆଜି ଦେଶ ସ୍ୱାଧୀନ ହୋଇଛି। ଜଣେ ବ୍ୟକ୍ତି ବିନା ଅସ୍ତ୍ରଶସ୍ତ୍ରରେ ବିଶାଳ ଇଂରେଜ ଫୋର୍ସକୁ ଭାରତରୁ ବିଦା କରିବାକୁ ସକ୍ଷମ ହୋଇଥିଲେ। ଆଜି ତାଙ୍କ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତି ଦିଲ୍ଲୀ ସ୍ଥିତ ଗାନ୍ଧି ପୀଠରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଗାନ୍ଧିଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କର ମଧ୍ୟ ଆଜି ଜୟନ୍ତୀ। ଏଥିପାଇଁ ବିଜୟ ଘାଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ତେବେ ବାପୁଙ୍କ ବିଷୟରେ ଏମିତି କିଛି ଅଜଣା କଥା ରହିଛି, ହୁଏତ ଆପଣମାନେ ଜାଣି ନଥିବେ। ୧୯୪୮ ମସିହାରେ ମହାତ୍ମାଙ୍କ ମୃତ୍ୟୁ ପରେ ପ୍ରତିବର୍ଷ ୨ ଅକ୍ଟୋବରକୁ ଗାନ୍ଧି ଜୟନ୍ତୀ ଭାବରେ ପାଳନ କରାଯାଉଛି। ମହାତ୍ମା ବିଶ୍ୱର ଏକମାତ୍ର ବ୍ୟକ୍ତି ଯିଏ ବିନା ହିଂସାରେ ମଧ୍ୟ ଯୁଦ୍ଧ ଜିତା ଯାଇପାରିବ ବୋଲି ଶିଖାଇଛନ୍ତି। ବାପୁଙ୍କ ସହ ଶୁକ୍ରବାର ବେଶ ଜଡ଼ିତ। ଏହା ପଛର କାରଣ କ’ଣ ଜାଣିବା ଦରକାର।
ମହାତ୍ମା ଗାନ୍ଧିଙ୍କ ବିଷୟରେ କିଛି ରୋଚକ ତଥ୍ୟ
୧- ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ୧୮୯୯ରେ ଆଙ୍ଗଲୋ ବୋୟର ଯୁଦ୍ଧ ଆରମ୍ଭ ହୋଇଥିଲା। ୧୮୯୯ ମସିହା ଅକ୍ଟୋବର ୧୧ରୁ ଏହା ୧୯୦୨ ମସିହା ମେ’ ୩୧ ଯାଏ ଚାଲିଥିଲା। ଯୁଦ୍ଧ ସମୟରେ ଗାନ୍ଧି ଲୋକଙ୍କୁ ସ୍ୱାସ୍ଥ୍ୟ କର୍ମୀ ଭାବରେ ସାହାଯ୍ୟ କରିଥିଲେ। ଏଠାରେ ସେ ଯୁଦ୍ଧର ଭୟାବହତା ଦେଖି ଅହିଂସା ରାସ୍ତାରେ କାମ କରିବା ଆରମ୍ଭ କରିଥିଲେ।
୨- ଗାନ୍ଧିଜୀଙ୍କ ନାଗରିକ ଅଧିକାର ଆନ୍ଦୋଳନ ୪ ମହାଦେଶ ଓ ୧୨ଟି ଦେଶକୁ ବ୍ୟାପିଥିଲା।
୩- ଦୁନିଆର ସବୁଠୁ ବଡ ଉଦ୍ଭାବକ ଷ୍ଟିଭ ଜବ୍ସ ମଧ୍ୟ ଗାନ୍ଧିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଗାନ୍ଧିଙ୍କୁ ସମ୍ମାନ ଜଣାଇବା ପାଇଁ ସେ ସବୁବେଳେ ଗୋଲାକାର ଚଷମା ପିନ୍ଧୁଥିଲେ।
୪- ଗାନ୍ଧିଜୀଙ୍କୁ ଯେତେବେଳେ ୭୦ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ଓଜନ ମାତ୍ର ୪୬ କେଜି ରହିଥିଲା। ସେହି ସମୟରେ ସେ ପ୍ରତିଦିନ ଦଶ କିଲୋମିଟର ଚାଲୁଥିଲେ ଓ ୫ ଘଣ୍ଟା ଶୋଉଥିଲେ। ତାଙ୍କର ଉଚ୍ଚତା ୫ ଫୁଟ ୫ ଇଞ୍ଚ ରହିଥିଲା। ଜୀବନ ଦଶା ମଧ୍ୟରେ ଗାନ୍ଧି ୬ ବର୍ଷ ୫ ମାସ ଜେଲରେ କାଟିଛନ୍ତି।
୫- ମହାତ୍ମା ଗାନ୍ଧିଙ୍କୁ ତାଙ୍କ ଆନ୍ଦୋଳନ ସମୟରେ ୧୩ ଥର ଗିରଫ କରାଯାଇଥିଲା। ଏହି ସମୟରେ ସେ ୧୭ ଟି ବଡ଼ ଅନଶନ କରିଥିଲେ। ସେ ଦୀର୍ଘ ୧୧୪ ଦିନ କିଛି ନଖାଇ ଉପବାସ କରିଥିଲେ।
୬- ଗାନ୍ଧିଜୀ ଏତେ ମହାନ ଥିଲେ ଯେ ସେ ଯେଉଁ ଇଂରେଜ ମାନଙ୍କ ବିରୋଧରେ ସ୍ୱାଧୀନତା ପାଇଁ ଲଢ଼ୁଥିଲେ ସେହି ବ୍ରିଟେନ ତାଙ୍କ ମୃତ୍ୟୁର ୨୧ ବର୍ଷ ପରେ ଗାନ୍ଧିଙ୍କ ନାଁରେ ଡାକ ଟିକେଟ ପ୍ରଚଳନ କରିଥିଲା।
୭- ଭାରତରେ ମହାତ୍ମା ଗାନ୍ଧିଙ୍କ ସମ୍ମାନାର୍ଥେ ୫୩ଟି ପ୍ରମୁଖ ମାର୍ଗକୁ ତାଙ୍କ ନାଁରେ ନାମିତ କରାଯାଇଛି। ଏହାବାଦ ଅନେକ ଛୋଟ ଛୋଟ ରାସ୍ତା ମଧ୍ୟ ଗାନ୍ଧିଙ୍କ ନାଁରେ ପରିଚିତ। ବିଭିନ୍ନ ଦେଶରେ ମଧ୍ୟ ୪୮ଟି ରାସ୍ତା ମହାତ୍ମା ଗାନ୍ଧିଙ୍କ ନାଁରେ ନାମିତ ହୋଇଛି।
୮- ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ଡର୍ବାନ୍, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟବଲ୍ କ୍ଲବ୍ ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ।
୯- ମାତ୍ର ୧୩ ବର୍ଷରେ ମହାତ୍ମା ଗାନ୍ଧି ତାଙ୍କ ଠାରୁ ଗୋଟିଏ ବର୍ଷ ବଡ଼ କସ୍ତୁରବାଙ୍କୁ ବିବାହ କରିଥିଲେ। ସେହି ସମୟରେ ଘଟୁଥିବା ବାହାଘରର ରୀତିନୀତି ଶେଷ କରିବାକୁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିଥିଲା। ଏହି କାରଣରୁ ମହାତ୍ମା ଗାନ୍ଧି ଗୋଟିଏ ବର୍ଷ ସ୍କୁଲକୁ ଯାଇ ପାରି ନଥିଲେ।
୧୦- ଗାନ୍ଧିଙ୍କ ଦ୍ୱାରା ସାରା ବିଶ୍ୱ ବେଶ ପ୍ରଭାବିତ ହୋଇଛି। ତାଙ୍କୁ ସମସ୍ତେ ପ୍ରେରଣାର ଉତ୍ସ ବୋଲି କୁହନ୍ତି। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ନୋବେଲ ଶାନ୍ତି ପୁରସ୍କାର ମିଳିନାହିଁ। ତାଙ୍କ ନାଁକୁ ୫ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ତଥାପି ସେ ଏହି ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇପାରି ନାହାନ୍ତି।
୧୧- ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ସମୟରେ ଗାନ୍ଧି ଜୋହାନ୍ସବର୍ଗଠାରୁ ୨୧ କିମି ଦୂରରେ ୧୧୦୦ ଏକରର ଗୋଟିଏ ଛୋଟ କଲୋନୀ ଟଲଷ୍ଟୋୟ ପ୍ରତିଷ୍ଠା କରିଥିଲେ।
୧୨- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗାନ୍ଧି ଶୁକ୍ରବାର ଦିନ ଜନ୍ମ ହୋଇଥିଲେ। ସେହିପରି ଶୁକ୍ରବାର ଦିନ ଭାରତ ସ୍ୱାଧୀନ ହୋଇଥିଲା। ସେହି ଶୁକ୍ରବାର ଦିନ ହିଁ ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିଥିଲା।
The post ଆଜି ଗାନ୍ଧି ଜୟନ୍ତୀ, ମହାତ୍ମା ଓ ଶୁକ୍ରବାର କାହିଁକି ଖାସ appeared first on Odisha Reporter.
from Odisha Reporter https://ift.tt/39X1OnI
No comments:
Post a Comment