ୱାଶିଂଟନ: ମହାମାରୀ କରୋନା ମୃତ୍ୟୁରେ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି ଆମେରିକା। ଦୀର୍ଘ ୨ ବର୍ଷ ହେଲା ଆମେରିକା ସମେତ ସାରା ବିଶ୍ୱ କରୋନା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏସବୁ ଭିତରେ ଆମେରିକାର କରୋନା ଜନିତ ମୃତ୍ୟୁସଂଖ୍ୟା ଆଜି ୭ ଲକ୍ଷ ପାର କରିଛି। ଏହା ଆମେରିକାର ବୋଷ୍ଟନର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ।
କରୋନାର ତୃତୀୟ ଲହରର ସମ୍ମୁଖୀନ ହେବା ପରେ ଆମେରିକାରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଛି। ହସ୍ପିଟାଲ ଉପରେ ମଧ୍ୟ ଚାପ କମିଛି। ଟିକାକରଣ କାର୍ଯ୍ୟକ୍ରମ ବି ଜୋରଦାର କରାଯାଉଛି। ଏହା ସତ୍ତ୍ୱେ ଗୋଟିଏ ସପ୍ତାହ ହେଲାଣି ପ୍ରାୟ ୧୯ଶହ ଜଣ ଲୋକ ଦୈନିକ ପ୍ରାଣ ହରାଉଛନ୍ତି।
ଗୋଟିଏ ସପ୍ତାହ ପୂର୍ବରୁ ଏହା ୨ ହଜାର ଉପରେ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଢ଼େ ୩ ମାସ ମଧ୍ୟରେ ଆମେରିକାର କରୋନା ଜନିତ ମୃତ୍ୟୁସଂଖ୍ୟା ୬ ଲକ୍ଷରୁ ବଢ଼ି ୭ ଲକ୍ଷ ଅତିକ୍ରମ କରିଛି। ବିଶେଷ କରି ଟିକା ନେଇ ନଥିବା ଲୋକଙ୍କର ହିଁ ମୃତ୍ୟୁ ଘଟୁଛି।
ଆମେରିକା ଏବେ ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁ ମାମଲାରେ ସବୁଠାରୁ ଆଗରେ ରହିଛି। ବିଶ୍ୱର ମୋଟ ସଂକ୍ରମଣର ୧୯% ମାମଲା ଓ ମୋଟ ମୃତ୍ୟୁର ୧୪% ମାମଲା ଆମେରିକାରେ ରେକର୍ଡ ହୋଇଛି।
ରଏଟର୍ସ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ଖୁବଶୀଘ୍ର ୫୦ ଲକ୍ଷ ଅତିକ୍ରମ କରିବ। ଏବେ କରୋନାର ଡେଲଟା ଭ୍ୟାରିଏଣ୍ଟ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି। ଏହି ଭ୍ୟାରିଏଣ୍ଟ ପ୍ରଥମେ ଭାରତରେ ହିଁ ଠାବ ହୋଇଥିଲା। ଡେଲ୍ଟା ପାଇଁ ଭାରତରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଥିଲା।
ସେପ୍ଟେମ୍ବର ମଧ୍ୟଭାଗ ପରଠାରୁ ଡେଲଟା ଭ୍ୟାରିଆଣ୍ଟର ପ୍ରଭାବ ହ୍ରାସ ପାଉଛି। ଆମେରିକା ମଧ୍ୟ ସଂକ୍ରମଣ କମୁଛି। ସେପ୍ଟେମ୍ବର ଆରମ୍ଭରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ୯୩ ହଜାର ଥିବା ବେଳେ ଏବେ ଏହା ୭୫ ହଜାରକୁ ଖସି ଆସିଛି।
ଆମେରିକାରେ ଟିକାକରଣ ଜୋରଦାର ଚାଲିଛି। ତଥାପି ୭୦ ଲକ୍ଷରୁ ଅଧିକ ଲୋକ ଏଯାଏ ଟିକା ନେଇ ନାହାନ୍ତି।
ସମସ୍ତଙ୍କର ଟିକାକରଣ ସରି ନଥିବା ବେଳେ ଆମେରିକା ପ୍ରଶାସନ ଦେଶରେ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ କରିଛି। ରାଷ୍ଟ୍ରପତି ଜୋ ବାଇଡେନ ନିଜେ ନିକଟରେ ଫାଇଜର ଟିକାର ବୁଷ୍ଟର ଡୋଜ୍ ନେଇ ଦେଶରେ ଏହି ଅଭିଯାନ ଆରମ୍ଭ କରିଥିଲେ। ବୟସ୍କ ଓ ସଂକ୍ରମଣର ଅଧିକ ଆଶଙ୍କା ଥିବା ଲୋକମାନେ ହିଁ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସରକାର କହିଛନ୍ତି।
The post ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା appeared first on Odisha Reporter.
from Odisha Reporter https://ift.tt/2Y6zEEg
No comments:
Post a Comment