ନ୍ୟାୟିକ ବ୍ୟବସ୍ଥାର ମୂଳମନ୍ତ୍ର ବାହାରେ ମମିତା ମେହେର ହତ୍ୟା ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

ନ୍ୟାୟିକ ବ୍ୟବସ୍ଥାର ମୂଳମନ୍ତ୍ର ବାହାରେ ମମିତା ମେହେର ହତ୍ୟା ତଦନ୍ତ

  • ରବି ଦାସ

ବୁଧବାର ସୁପ୍ରିମକୋର୍ଟ ପେଗାସେସ୍ ଗୁଇନ୍ଦାଗିରି ସଂକ୍ରାନ୍ତୀୟ ପିଟିସନ୍‌ର ଶୁଣାଣି କରି ଏହି ଅଭିଯୋଗ ଉପରେ ତଦନ୍ତ କରିବା ନିମନ୍ତେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଆରଡି ରବୀନ୍ଦ୍ରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଜ ଆଡ଼ୁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ସୁପ୍ରିମକୋର୍ଟ ନ୍ୟାୟିକ ବ୍ୟବସ୍ଥାର ମୂଳ ନୀତିର ଉଦ୍ଧାର କରି କହିଥିଲେ ଯେ, ନ୍ୟାୟ ହେବା ଯେତିକି ଜରୁରୀ ସେହି ପରିମାଣରେ ନ୍ୟାୟ ଠିକ୍ ଭାବରେ ହୋଇଛି ବୋଲି ବିଶ୍ୱାସ ହେବା ସେତିକି ଜରୁରୀ। ଏଣୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ପାଇଁ ପ୍ରସ୍ତାବକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ନିଜସ୍ୱ କମିଟି ଜଣେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି।

ନ୍ୟାୟ ବ୍ୟବସ୍ଥାରେ ଏହି ମୌଳିକ ନୀତିକୁ ଓଡ଼ିଶା ସରକାର କେତେକ କ୍ଷେତ୍ରରେ ପାଳନ କରିବାକୁ ଆଦୌ ପ୍ରସ୍ତୁତ ହେଉନାହାନ୍ତି। ଉଦାହରଣ ସ୍ୱରୂପ ମମିତା ମେହେର ନିଖୋଜ ଓ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇ ସାରା ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପୋଲିସ ତଦନ୍ତ ବ୍ୟବସ୍ଥା ଠିକ୍ ଚାଲିଛି ଓ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି ବୋଲି ବାହାଦୁରୀ ପ୍ରଦର୍ଶନ କରୁଛନ୍ତି। ଦିବ୍ୟଶଙ୍କର ମିଶ୍ର ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଓ ତାଙ୍କ ହାତରେ ଶକ୍ତି ଓ କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ସେ ମନ୍ତ୍ରୀ ଥିବାରୁ ମମିତା ମେହେର ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କୁ ପୋଲିସ ପ୍ରଥମେ ତିନି ଦିନ କାଳ ଅଟକ କରି ସେ ପୋଲିସ ହେପାଜତରୁ ଖସିଯିବା ଓ ପରେ ଯେପରି ଧରାହୋଇ ନିଜଆଡ଼ୁ ହତ୍ୟାର ସମସ୍ତ ଦାୟିତ୍ୱ ବହନ କରି ଯେଉଁସବୁ କାହାଣୀ କହିଛନ୍ତି ତାହାକୁ ସାଧାରଣ ଲୋକମାନେ ସନ୍ଦେହ କରୁଛନ୍ତି। କାରଣ ହତ୍ୟାର ଯେଉଁ କାରଣ ଗୋବିନ୍ଦ ସାହୁ ଦର୍ଶାଇଛନ୍ତି ତାହା ଗ୍ରହଣୀୟ ହେଉନାହିଁ। ବିଶେଷ ଭାବରେ ଗୋବିନ୍ଦ ସାହୁ ଅଭେଦ୍ୟ ପ୍ରାଚୀର ଘେରା ଟିଟଲାଗଡ଼ ବ୍ୟାରେକରୁ କିଭଳି ଖସିଗଲେ ଓ ସେହି ସମୟରେ ବିଦ୍ୟୁତ ଆଲୋକ ଚାଲିଯିବା ଲୋକମାନଙ୍କ ଭିତରେ ସନ୍ଦେହକୁ ଘନୀଭୂତ କରିଛି।

କେବଳ ପରକିୟା ପ୍ରୀତି ପାଇଁ ଗୋବିନ୍ଦ ସାହୁ ଏଭଳି ଜଘଣ୍ୟ ଅପରାଧ କରିବା ଓ ଅପରାଧ ଘଟାଇବା ପରେ ତା’ର ପିତାମାତା ଝିଅ ନିଖୋଜ ହୋଇଥିବା ସଂକ୍ରାନ୍ତରେ ଦେଇଥିବା ବକ୍ତବ୍ୟ ଶୁଣି ସେମାନଙ୍କ ପାଇଁ ଏତଲା ଲେଖାଇଦେବା ଓ ଥାନାରେ ଆଗୁଆ ପହଁଚି ଏତଲାକୁ ଗ୍ରହଣ ନକରି ଝିଅ ମିଳିଯିବ ବୋଲି ପିତାମାତାଙ୍କୁ ପ୍ରତିଶ୍ରୁତି ଦେବା ପଛରେ ଯାହାସବୁ କାରଣ ରହିଛି ସେଥିରେ ଶାସନ କଳର ପ୍ରଭାବ ପୂରା ବାରି ହୋଇଯାଉଛି। ଅବଶ୍ୟ ପରେ ଏତଲା ଅନୁସାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ପଚରାଉଚରା ପାଇଁ ଦୁଇଦିନ କାଳ ଅଟକାଇବା ଓ ସେ ବ୍ୟାରେକରୁ ଖସିଯିବା ପଛରେ ଏକ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି।

ଦିବ୍ୟଶଙ୍କର ମିଶ୍ରଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ମହାଲିଙ୍ଗ କଲେଜ ଅବସ୍ଥିତ ଓ ମନ୍ତ୍ରୀଙ୍କର ଏହି କଲେଜ୍ ଓ କଲେଜର ମାଲିକ ଗୋବିନ୍ଦ ସାହୁଙ୍କ ସହିତ ନିବିଡ଼ ସଂପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ସାଧାରଣରେ ବିଶ୍ୱାସ କରାଯାଉଛି ଯେ, ଦିବ୍ୟଶଙ୍କର ମିଶ୍ରଙ୍କୁ ଏହିସବୁ ବିବାଦରୁ ଦୂରେଇ ରଖିବା ପାଇଁ ଗୋବିନ୍ଦ ସାହୁ ଦ୍ୱିତୀୟ ଥର ଗିରଫ ହେବା ପରେ ପୋଲିସ ଆଗରେ ନିଜଆଡ଼ୁ ହତ୍ୟାର ସମସ୍ତ କାହାଣୀ ବଖାଣିଥିଲେ। ଯେଉଁଠାରେ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି ପୋତାଯାଇଥିଲା ସେହିସବୁ ସ୍ଥାନ ସେ ଦେଖାଇଥିଲେ। ଯଦିଓ ପୋଲିସକୁ ସାଙ୍ଗରେ ନେଇ ଗୋବିନ୍ଦ ସାହୁ ଏହି ସ୍ଥାନରେ ପହଁଚି ହତ୍ୟା ପରବର୍ତ୍ତୀ ଘଟଣା ବର୍ଣ୍ଣନା କରିନଥିଲେ। ସେହି ସ୍ଥାନଟିକୁ ଲୋକମାନଙ୍କ ସୂଚନା ଆଧାରରେ ପୋଲିସ ପୂର୍ବରୁ ଚିହ୍ନଟ କରିସାରିଥିଲା। ଯେହେତୁ ମମିତା ଶବକୁ କାଟି ଜଳେଇ ଦିଆଯାଇଥିଲା ସେହେତୁ ମମିତାଙ୍କ ଶବ ବାସ୍ତବରେ ଚିହ୍ନଟ ହୋଇନାହିଁ। ସେଠାରୁ ମିଳିଥିବା ହାଡ଼କୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। ସେହି ରିପୋର୍ଟ ମିଳିବା ପରେ ସେଠାରେ ପୋଡ଼ାଯାଇଥିବା ଶବ ମମିତାଙ୍କର ବୋଲି ହୁଏତ ଚିହ୍ନଟ ହେବ।

ସେହି ସ୍ଥାନରୁ ଯେଉଁ ପାଉଁଜି ମିଳିଥିଲା ତାହା ମମିତାଙ୍କର ବୋଲି ପିତାମାତା ଚିହ୍ନଟ କରିବା ପରେ ତାହାକୁ ପରିବାରକୁ ହସ୍ତାନ୍ତର ହେବା ଯଥାର୍ଥ କି? ହତ୍ୟା ମାମଲା ସହିତ ସଂପୃକ୍ତ ଏକ ସାକ୍ଷ୍ୟ ଭାବରେ ଏହାକୁ ବିଚାର କରିବା ପାଇଁ ଚାର୍ଜସିଟ୍ ସହିତ ପୋଲିସ ଏହାକୁ ଅଦାଲତରେ ଦାଖଲ କରିବା କଥା। ନ୍ୟାୟାଳୟର ବ୍ୟବସ୍ଥା ଅନୁସାରେ ପୋଲିସ ଆଗରେ ଯାହାକିଛି ବୟାନ ଦିଆଯାଏ ତାହା ଅଦାଲତରେ ସାକ୍ଷ୍ୟ ଭାବରେ ଗ୍ରହଣ କରାଯାଏନାହିଁ। ସେହି ବୟାନର ଆଧାର ଉପରେ ତଦନ୍ତକୁ ବୈଜ୍ଞାନିକ ଦୃଷ୍ଟିକୋଣ ଓ ସାକ୍ଷ୍ୟ ନିୟମରେ ତଦନ୍ତ କରି ପ୍ରକୃତ ପ୍ରମାଣ ଯୋଗାଡ଼ କରିବା ପୋଲିସର ଦାୟିତ୍ୱ। ଏହି ଦାୟିତ୍ୱ ପୋଲିସ ପାଳନ କରିଛି ନା ନାହିଁ ତାହା ଚାର୍ଜସିଟ୍ ଦାଖଲ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପରେ ହୁଏତ ଜଣାପଡ଼ିବ। କିନ୍ତୁ ଅଧିକାଂଶ ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ଓ ରାଜନୈତିକ ଦଳମାନେ ଅଭିଯୋଗ କରୁଛନ୍ତି ଯେ, ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସହଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ତଦନ୍ତରୁ ଏମାନଙ୍କୁ ବାହାରେ ରଖାଯାଇଛି।

ଯେଉଁ ମୌଳିକ ନ୍ୟାୟ ବ୍ୟବସ୍ଥାର ମୂଳମନ୍ତ୍ର ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ନିଜସ୍ୱ ତଦନ୍ତ କମିଟି ନିଯୁକ୍ତ କଲେ ସେହି ନୀତି ମମିତା ମେହେରଙ୍କୁ ନ୍ୟାୟ ଦେବା ଘଟଣାରେ  ଯଦି ପ୍ରୟୋଗ କରାଯାଏ ତେବେ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଓ ତାଙ୍କ ସଂକ୍ରାନ୍ତରେ ହେଉଥିବା ସନ୍ଦେହ ଅଭିଯୋଗ ଆଧାରରେ ପୋଲିସ୍ ତାଙ୍କୁ ପଚରାଉଚରା କରିବା ନିହାତି ଆବଶ୍ୟକ। କାରଣ ଏହା ନହେଲା ପର୍ଯ୍ୟନ୍ତ ମମିତା ମେହେର ମାମଲାରେ ନ୍ୟାୟ ପ୍ରଦାନ ହୋଇଛି ବୋଲି କେହି ବି ବିଶ୍ୱାସ କରିବେ ନାହିଁ। ବିରୋଧୀ ରାଜନୈତିକ ଦଳମାନେ ଏହାକୁ ଏକ ପ୍ରସଙ୍ଗ କରିବା କିଛି ନୂଆକଥା ନୁହେଁ। ଅତୀତରେ ଛବିରାଣୀଙ୍କ ଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର, ବେବିନା, ଇତିଶ୍ରୀ ପର୍ଯ୍ୟନ୍ତ ସବୁ ମାମଲାରେ ଏହା କରାଯାଇଛି। ଅଞ୍ଜନା ମିଶ୍ର ମାମଲାରେ ବର୍ତ୍ତମାନ ଶାସନ କ୍ଷମତାରେ ଥିବା ନେତାମାନେ ବିରୋଧୀ ପକ୍ଷରେ ରହି ଯାହାସବୁ କହିଥିଲେ ସେହି ଆଧାରରେ ବର୍ତ୍ତମାନ ବିରୋଧୀ ଦଳ ନେତାମାନେ ମନ୍ତବ୍ୟ ଦେବା ବା ଆନ୍ଦୋଳନ କରିବା କିପରି ଭୁଲହେବ? ଏହାକୁ ଛୋଟ ଘଟଣା କହି ଏଡ଼ାଇ ଯିବାକୁ ଉଦ୍ୟମ କରିବା ଓ ବିରୋଧୀ ପକ୍ଷ ପ୍ରମାଣ ଆଣନ୍ତୁ ବୋଲି ଆହ୍ୱାନ ଦେବା ନ୍ୟାୟିକ ବ୍ୟବସ୍ଥାର ମୂଳମନ୍ତ୍ରକୁ ଦୋହଲାଇ ଦେଉଛି।

ଏପରି ଏକ ଜଘଣ୍ୟ ହତ୍ୟା ମାମଲାରେ ପୋଲିସ ତଦନ୍ତ ଜରିଆରେ ହିଁ ପ୍ରକୃତ ତଥ୍ୟ ପ୍ରମାଣ ଆସିବ। ଯଦି ପୋଲିସ ତଦନ୍ତ ଠିକ୍ ବାଟରେ ହେବ ନାହିଁ ତେବେ ସେ ସଂକ୍ରାନ୍ତରେ ଗଣମାଧ୍ୟମ ଓ ବିରୋଧୀ ପକ୍ଷ ପ୍ରଶ୍ନ ଉଠାଇବାରେ କୌଣସି ଅସୁବିଧା ନାହିଁ। ଦେଖାଯାଇଛି ଅନେକ ଏହିଭଳି ଅପରାଧ ମାମଲାରେ ପୋଲିସ ଚାର୍ଜସିଟରେ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି ଓ ମାମଲାର ସାନି ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଘଟଣାକୁ ବିଚାର କଲେ ମମିତା ମେହେର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ହେଉଥିବା ସନ୍ଦେହ ଦୂର କରିବା ଦାୟିତ୍ୱ ପୋଲିସର। କିନ୍ତୁ ପୋଲିସ ଏହି ମାମଲାରେ ପୂର୍ଣ୍ଣ ସ୍ୱାଧୀନତାର ସହିତ ନିରପେକ୍ଷ ତଦନ୍ତ କରିପାରୁନାହିଁ ବୋଲି ବିଶ୍ୱାସ ହେବା ସ୍ୱାଭାବିକ। ସେହି ଦୃଷ୍ଟିରୁ କାଳ ବିଳମ୍ବ ନକରି ଦିବ୍ୟଶଙ୍କର ମିଶ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ନିଜକୁ ତଦନ୍ତ ପରିସରଭୁକ୍ତ କରିବାର ଓଡ଼ିଶାରେ ଏକ ଭଲ ନୈତିକ ରାଜନୈତିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ନିକଟରେ ଉତରଦାୟୀ ଭାବରେ ଏପରି ଏକ ନୈତିକ ମୂଲ୍ୟବୋଧର ପରମ୍ପରା ସୃଷ୍ଟି ପାଇଁ ଯଦି ପଦକ୍ଷେପ ନନେବେ ତେବେ ଧରିନେବାକୁ ପଡ଼ିବ ଯେ, ତାଙ୍କ ସଂକ୍ରାନ୍ତରେ ପୂର୍ବରୁ ଭାବମୂର୍ତ୍ତି ନେଇ ଯେଉଁ ଧାରଣା ଥିଲା ତାହା ସଂପୂର୍ଣ୍ଣ ଭୁଲ।

ବରିଷ୍ଠ ସାମ୍ବାଦିକ

ମୋ: ୯୪୩୭୪୦୪୪୫୫

The post ନ୍ୟାୟିକ ବ୍ୟବସ୍ଥାର ମୂଳମନ୍ତ୍ର ବାହାରେ ମମିତା ମେହେର ହତ୍ୟା ତଦନ୍ତ appeared first on Odisha Reporter.



from Odisha Reporter https://ift.tt/3bjV6sU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages