ପାଣାଜି: ଦେଶରେ ବଡୁଥିବା ଦର ଦାମ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ଏବେର ମୋଦି ସରକାର ଉପରେ ଲୋକଙ୍କ ଅସନ୍ତୋଷ ରହିଛି। କିନ୍ତୁ ଏହାପରେ ବି ଦେଶରେ ବିଜେପି ହିଁ ଲୋକଙ୍କ ପାଖରେ ସର୍ବାଧିକ ଅଗ୍ରାଧିକାର ପାଇବ। ଗୋଆରେ ଗସ୍ତରେ ଥିବା ବେଳେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏପରି ମନ୍ତବ୍ୟ ଦେଇଛନ୍ତି। ଏଥିସହ ଦେଶରେ କଂଗ୍ରେସ କାହିଁକି ତଳକୁ ଖସୁଛି ତା’ର କାରଣ ସେ କହିଛନ୍ତି।
ପ୍ରଶାନ୍ତଙ୍କ ମନ୍ତବ୍ୟରୁ ଏକ ପ୍ରକାର ସ୍ପଷ୍ଟ ଯେ କଂଗ୍ରେସରେ ସାମିଲ ହେବା ନେଇ ପ୍ରଶାନ୍ତଙ୍କ ମୋହ ତୁଟି ଯାଇଛି। ଦଳ ସହ ମନ ନମିଶିବା ପରେ ଏବେ ରାହୁଲଙ୍କୁ ଆଇନା ଦେଖାଇଛନ୍ତି। ଆଉ ଦଳ ଆଗକୁ ନ ବଢିବା ପଛର କାରଣ ରାହୁଲ ଗାନ୍ଧୀ ବୋଲି ସେ ପରୋକ୍ଷରେ କହିଛନ୍ତି। ରାହୁଲ ଭ୍ରାନ୍ତ ଧାରଣାରେ ରହିଥିବାରୁ ଦେଶରେ ଆଗାମୀ କିଛି ଦିନ ଧରି ବିଜେପି ହିଁ ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ତେଣୁ ସେ ଓ ଟିଏମସି ସମସ୍ତ ରାଜନୀତିକ ଦଳଙ୍କୁ ଏକାଠି କରି ବିଜେପି ବିରୋଧରେ ମହାମେଣ୍ଟ କରିବା କାହିଁ ଆଉ ଜଣାପଡୁନି।
ଆଗକୁ ଗୋଆରେ ବିଧାନସଭା ନିର୍ବାଚନ ରହିଛି। ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ଗୋଆରେ ଟିଏମସି କିଭଳି ଆଗକୁ ବଢିବ ସେ ନେଇ ସର୍ଭେ କରୁଛନ୍ତି। ଏଥିସହ ଟିଏମସିକୁ ଆଗକୁ ବଢିବାରେ ସେ ସହଯୋଗ କରୁଛନ୍ତି। ଆଉ ଟିଏମସିକୁ ଆଗକୁ ବଢାଇବାକୁ ଯାଇ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଉପରେ ଜୋରଦାର ହମଲା କରିଛନ୍ତି। ତେବେ ରାହୁଲ କେଉଁ ଭ୍ରମରେ ରହିଛନ୍ତି ସେ ବାବଦରେ କହିବାକୁ ଯାଇ ପ୍ରଶାନ୍ତ କହିଛନ୍ତି, ‘ରାହୁଲ ଗାନ୍ଧୀ ଭ୍ରମରେ ଅଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ କ୍ଷମତା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସର ସ୍ଥିତି ଖରାପ ରହିବ’।
ସବୁଠୁ ବଡ଼ କଥା ହେଲା ୨୦୧୪ରେ ବିଜେପିକୁ କ୍ଷମତାରେ ବସାଇବାରେ ପ୍ରଶାନ୍ତଙ୍କର ଏକ ଭୂମିକା ରହିଛି। ସେ ଯଦିଓ ବିଜେପିକୁ ଛାଡି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନେକ ଜାଗାରେ ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସଫଳ ହୋଇଥିବା ବେଳେ ଆଉ କିଛି ନିଷ୍ପତ୍ତି ଫେଲ୍ ମାରିଛି। ହେଲେ ଏବେ ସେ ପୁଣି ଦୋହରାଇଛନ୍ତି କେନ୍ଦ୍ରରେ ବିଜେପି ହିଁ ଦଶନ୍ଧି ଧରି କ୍ଷମତାରେ ରହିବ।
ସେ ଉଦାହରଣ ଦେବାକୁ ଯାଇ କହିଛନ୍ତି ଏକଦା କଂଗ୍ରେସର ମଧ୍ୟ ଏଭଳି ମଜବୁତ ସ୍ଥିତି ଥିଲା। ସ୍ୱାଧୀନତା ପରେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ମଧ୍ୟ ଏପରି କ୍ଷମତାରେ ରହିଥିଲା। ଏବେ କିନ୍ତୁ ଦେଶରେ ବିଜେପି ପାଖରେ ୩୦ ପ୍ରତିଶତ ମୂଳ ଭୋଟ ରହିଛି। ଯଦିଓ ଲୋକମାନେ ବିଭିନ୍ୱ କାରଣରୁ ମୋଦି ସରକାର ଉପରେ ରାଗିଛନ୍ତି। ହେଲେ ଏହାର ଅର୍ଥ ନୁହେଁ ଆଗାମୀ ଦିନରେ ବିଜେପି ମୂଳପୋଛ ହୋଇଯିବ। ହୁଏତ ମୋଦି କ୍ଷମତାରେ ରହିନପାରନ୍ତି କିନ୍ତୁ ବିଜେପିର ପତିଆରା ଏବେର ସ୍ଥିତିରେ କମିବ ନାହିଁ। କିନ୍ତୁ ରାହୁଲ ଗାନ୍ଧୀ ଭାବୁଛନ୍ତି ମୋଦି ଗଲା ପରେ ବିଜେପି ବି ଗଲା। ଏପରି ଯିଏ ଭାବୁଛି ସେ ବଡ ଭ୍ରମରେ ରହିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।
ମୋଦିଙ୍କୁ ବୁଝିବାକୁ ହେଲେ ତାଙ୍କର ଶକ୍ତିକୁ ପରୀକ୍ଷା ନିରୀକ୍ଷା କରିବାକୁ ହେବ। ହେଲେ ରାହୁଲ କେବଳ ଅପେକ୍ଷା କରିଛନ୍ତି ମୋଦି ଯେବେ କ୍ଷମତାରୁ ଯିବ କଂଗ୍ରେସ କ୍ଷମତାକୁ ଆସିବ। କିନ୍ତୁ ମୋଦିଙ୍କୁ କେମିତି କ୍ଷମତାରୁ ହଟାଯିବ ସେ ବାବଦରେ କେବେ ରାହୁଲ ବୁଝୁ ନାହାନ୍ତି। ଅନ୍ୟପଟେ ଲୋକେ ମଧ୍ୟ ମୋଦିଙ୍କ କ୍ଷମତାକୁ ତର୍ଜମା କରୁନାହାନ୍ତି। ଯାହାକି ମୋଦିଙ୍କ ଲୋକପ୍ରିୟତା ବଢିବା ପଛର କାରଣ ବୋଲି ସେ କହିଛନ୍ତି।
ତେବେ ଦେଶରେ କଂଗ୍ରେସର ଏପରି ସ୍ଥିତି ଦୁଇ ତୃତୀୟାଂଶ ଭୋଟରଙ୍କ ପାଇଁ ହୋଇଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏହି ଭୋଟ ଗୁଡିକ କଂଗ୍ରେସକୁ ନଯାଇ ଅନ୍ୟାନ୍ୟ ଦଳକୁ ଯାଇ ଭାଗ ହୋଇ ହୋଇଯାଇଛି। ଯାହାକି କଂଗ୍ରେସର ପତନ ହେବାର କାରଣ। ୬୫ ପ୍ରତିଶତ ଭୋଟ୍ ବ୍ୟାଙ୍କ ଖଣ୍ଡବିଖଣ୍ଡିତ ହେବା ପରେ କଂଗ୍ରେସ ଗୋଟିଏ ବଡ ସମର୍ଥନ ହରାଇଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
The post ରାହୁଲ ଗାନ୍ଧୀଙ୍କ ଭ୍ରାନ୍ତ ଧାରଣା, ଆଗକୁ ଜାରି ରହିବ ବିଜେପିର ଦବ୍ଦବା: ପିକେ appeared first on Odisha Reporter.
from Odisha Reporter https://ift.tt/2Zu3i6Y
No comments:
Post a Comment