ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଓ ତତ୍ସଂଲଗ୍ନ କିଛି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନ ରହିଛି। ତେଣୁ ଗୋଟେ ଦୁଇଟି ସ୍ଥାନରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।
ଆଗାମୀ ଦୁଇ ଦିନରେ ବର୍ଷାର ପରିମାଣ କମିବ। ଉତ୍ତର ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ମଧ୍ୟରେ ରହିବ। ଏଥିଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ବିପଦ ସଙ୍କେତ ଉପରେ ଜଳକା
ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ଜଳକାର ବିପଦ ସଙ୍କେତ ୫,୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା 6.02ମିଟରରେ ଜଳ ପ୍ରବାହିତ ହେଉଥିଲା।
ଗତ ୨ ଦିନ ଧରି ବସ୍ତା ଅଞ୍ଚଳରେ ବର୍ଷା ଲାଗି ରହିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳକାର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡ଼ା, ତିତ୍ରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା କାରଣରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆଜି ବି ବର୍ଷା ଅଛି। ତେଣୁ ଯଦି ବନ୍ୟା ହେବ ତା’ହେଲେ ବସ୍ତା ବ୍ଲକର ୭ଟି ପଞ୍ଚାୟତ- ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡ଼ପଦା, କୁଡ଼ିଆ, ବାସିଚକୁରାଇ, ଦରଡ଼ା, ବ୍ରାହ୍ମଣଦା, ବରୁଣଗଡ଼ିଆ ଓ ସଦର ବ୍ଲକର ୨ଟି ପଞ୍ଚାୟତ- ରସୁଲପୁର ଓ ଶ୍ରୀରାମପୁର ପ୍ରଭାବିତ ହେବାର ସମ୍ଭାବନା ରହିଛି।
The post ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, କିଛି ସ୍ଥାନରେ ପ୍ରବଳ ବର୍ଷି ପାରେ appeared first on Odisha Reporter.
from Odisha Reporter https://ift.tt/30uZzGN
No comments:
Post a Comment