ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ସ୍ଥାପନ କଲା ନୂଆ ମାଇଲଖୁଣ୍ଟ । କରୋନା ମହାମାରୀକୁ ହରାଇବାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ମାତ୍ର ୯ ମାସ ପୂର୍ବେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଆଜି ୧୦୦ କୋଟିର ମ୍ୟାଜିକ ନମ୍ବର ପାର୍ କରିଛି। ଭାରତ ଆଜି ୧ ବିଲିୟନ କିମ୍ବା 100 କୋଟି ଡୋଜ ପୂରଣ କରି ଏକ ବିରଳ ରେକର୍ଡ ସ୍ଥାପନ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରୁ ମିଳିଥିବା ସୂଚନା ମୁତାବକ, ଭାରତ ଆଜି ସକାଳେ ଏହି ବହୁ ପ୍ରତିକ୍ଷିତ ମ୍ୟାଜିକ ନମ୍ବର ପାର୍ କରି ଦେଇଛି। ସକାଳ ସୁଦ୍ଧା ଟାର୍ଗେଟ ୧୦୦ କୋଟି ଡୋଜରୁ ମାତ୍ର ୫ ଲକ୍ଷ ପଛରେ ଥିଲା ଭାରତ। ତେଣୁ କିଛି ସମୟ ମଧ୍ୟରେ ଏହି ଅନ୍ତରକୁ ଅତିକ୍ରମ କରି ଟିକାକରଣ କ୍ଷେତ୍ରରେ ଇତିହାସ ରଚି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଭାରତ ।
ଏହି ବିରଳ ରେକର୍ଡ ନିମନ୍ତେ ଆଜି ସମଗ୍ର ଦେଶରେ ଆୟୋଜିତ ହେବ ସ୍ୱତନ୍ତ୍ର ଉତ୍ସବ । ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଆରଏମ୍ଏଲ୍ ହସ୍ପିଟାଲରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିସହ ସେଠାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବେ।
ଏହି ଅବସରରେ ଲାଲ କିଲ୍ଲାରେ ଦେଶର ସବୁଠୁ ବଡ଼ ପତାକା ଉତ୍ତୋଳନ ହେବ। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ପତାକା ଲେହରେ ଉତ୍ତୋଳନା କରାଯାଇଥିବା ବେଳେ ଆଜି ଏହାକୁ ଲାଲ କିଲ୍ଲାରେ ଉତ୍ତୋଳନା କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାବିୟା ଲାଲ କିଲ୍ଲାରେ ଉପସ୍ଥିତ ରହିବେ। ଏଥିସହ ସେ କୈଳାସ ଖେରଙ୍କ ନୂଆ ଗୀତ ଓ ଅଡିଅ ଭିଜୁଆଲ ଫିଲ୍ମ ଲଞ୍ଚ୍ କରିବେ ବୋଲି ଜଣାଯାଇଛି।
ଭାରତ ହାସଲ କରିଥିବା ଏହି ସଫଳତାକୁ ସ୍ମରଣୀୟ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଟ୍ରେନ୍, ବିମାନ ଓ ଜାହଜରେ ଲାଉଡସ୍ପିକର ଜରିଆରେ ଏନେଇ ଘୋଷଣା କରାଯିବ। ଏପରିକି ଯେଉଁ ଗାଁରେ ଶତ ପ୍ରତିଶତ ଟିକାକରଣ କରାଯିବ, ସେଠାରେ ସ୍ୱାସ୍ଥ୍ୟକର୍ମୀଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇ ସେମାନଙ୍କୁ ଉତ୍ସାହିତ ଓ ପ୍ରଶଂସା କରାଯିବ । କେବଳ ସେତିକି ନୁହେଁ, ସ୍ପାଇସ୍ ଜେଟ ପକ୍ଷରୁ ଆଜି ବିଶେଷ ବର୍ଦି ଉବଲବ୍ଧ କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିମାନ ଉଡ଼ାଣ ଓ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ରହିବେ।
ଗତ କିଛି ମାସ ଧରି ସମଗ୍ର ଦେଶରେ ବେଶ୍ ସଫଳତାର ସହ ଟିକାକରଣ ଆଗେଇ ଚାଲିଛି। ସେପ୍ଟେମ୍ବର ମାସରେ ପ୍ରତିଦିନ କେବଳ ୮୦ ଲକ୍ଷ ଡୋଜ ଦିଆଯାଇଥିଲା। ଭାରତରେ ୧୬ ଜାନୁୟାରୀରୁ ଟିକାକରଣ ଆରମ୍ଭ ହୋଇ ପ୍ରଥମେ ପ୍ରଣ୍ଟଲାଇନ୍ ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇଥିଲା। ଏହାପରେ ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।
ଦେଶରେ ପ୍ରତି ସେକେଣ୍ଡରେ ୭୦୦ ଟିକାକରଣ କରାଯାଉଛି। ତେଣୁ ମ୍ୟାଜିକ ନମ୍ବର ୧୦୦ କୋଟି ବିଶିଷ୍ଟ ଟିକା ଲଗାଇଥିବା ହିତାଧିକାରୀ କିଏ ତାହା ଚିହ୍ନଟ କରିବା କଷ୍ଟକର ହୋଇଯିବ ବୋଲି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଆରଏସ୍ ଶର୍ମା କହିଥିଲେ।
The post ମାତ୍ର ୯ ମାସରେ ଭାରତ ରଚିଲା ଇତିହାସ : ଛୁଇଁଲା ଟିକାକରଣର ମ୍ୟାଜିକ ନମ୍ବର appeared first on Odisha Reporter.
from Odisha Reporter https://ift.tt/3B35mQq
No comments:
Post a Comment