ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ପୁଅ ଆର୍ଯ୍ୟନଙ୍କୁ ଭେଟିଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାଁ। ଆଜି ସକାଳେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ଯାଇ ଆର୍ଯ୍ୟନଙ୍କୁ ଭେଟିଥିଲେ। ପ୍ରାୟ ତିନି ସପ୍ତାହ ହେଲାଣି ଜେଲ୍ରେ ଥିବା ଆର୍ଯ୍ୟନଙ୍କର ଜାମିନ୍ ଆବେଦନ ଗତକାଲି ପୁଣି ମୁମ୍ବାଇର ଏକ କୋର୍ଟରେ ଖାରଜ ହୋଇଯାଇଥିଲା। ତାଙ୍କ ଓକିଲ ଜାମିନ୍ ଆବେଦନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।
ଜେଲ୍ରେ ପ୍ରାୟ ୧୫ ମିନିଟ୍ ଧରି ପୁଅ ସହିତ କଥା ହୋଇଥିଲେ କିଙ୍ଗ୍ ଖାଁ। ସାକ୍ଷାତକାର କଠୋରୀରେ ସେ ପୁଅକୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଏକ କାଚର ପାଚେରୀ ଥିଲା। ଉଭୟେ ଇଣ୍ଟରକମ୍ରେ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ସେଠାରେ ଜେଲ୍ କର୍ମଚାରୀ ଉପସ୍ଥିତ ଥିଲେ। ବାହାରକୁ ଆସିବା ପରେ ଶାହରୁଖ ଖାଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କହି ନଥିଲେ।
ଗତକାଲି ଆର୍ଯ୍ୟନଙ୍କ ବେଲ୍ ଆବେଦନକୁ ଖାରଜ କରି ବିଚାରପତି ଜଷ୍ଟିସ୍ ଭିଭି ପାଟିଲ କହିଥିଲେ ଯେ ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ରହିଛି। ଆର୍ଯ୍ୟନଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇନାହିଁ। କିନ୍ତୁ ଆର୍ଯ୍ୟନ ଓ ଅରବାଜ ମର୍ଚ୍ଚାଣ୍ଟ ଭଲ ବନ୍ଧୁ। ସେମାନେ ଅକ୍ଟୋବର ୨ ତାରିଖରେ ସାଙ୍ଗ ହୋଇ ଇଣ୍ଟରନ୍ୟାଶନାଲ୍ କ୍ରୁଜ୍ ଟର୍ମିନାଲକୁ ଯାଇଥିଲା। ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଦେଇଥିବା ବୟାନରେ ଡ୍ରଗ୍ସ କଥା ଉଲ୍ଲେଖ ରହିଛି। ଏହାର ଅର୍ଥ ଆର୍ଯ୍ୟନ ଏହି ବେଆଇନ ଜିନିଷ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି।
ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍ ଜାହାଜରେ ପାର୍ଟି ଚାଲିଥିବା ବେଳେ ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଚଢ଼ାଉ କରି ଆର୍ଯ୍ୟନଙ୍କ ସମେତ ଆଉ କେତେ ଜଣଙ୍କୁ ଡ୍ରଗ୍ସ କାରବାର ମାମଲାରେ ଧରିଥିଲା। ୩ ତାରିଖରେ ଆର୍ଯ୍ୟନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା ଏନ୍ସିବି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ମହାରାଷ୍ଟ୍ରର କୌଣସି ଜେଲ୍ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସେମାନଙ୍କ ସଂପର୍କୀୟମାନେ ଭେଟିବା ଉପରେ କଟକଣା ରହିଥିଲା। ଆଜି ସେହି କଟକଣା ଉଠାଇ ଦିଆଯାଇଥିବା ବେଳେ ଶାହରୁଖ ତାଙ୍କ ପୁଅକୁ ଭେଟିଛନ୍ତି।
The post ଜେଲ୍ରେ ପୁଅକୁ ଭେଟିଲେ ଶାହରୁଖ ଖାଁ appeared first on Odisha Reporter.
from Odisha Reporter https://ift.tt/3aYWyR2
No comments:
Post a Comment