କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି।
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ୨ଟି ବୋମା ତାଙ୍କ ଗାଡ଼ି ଉପରକୁ ଫିଙ୍ଗି ଥିଲେ। ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି।
ବିଧାୟକ ମୋହନ ମାଝୀଙ୍କ କହିବା ଅନୁଯାୟୀ, ସେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଦିନ ୧୧ଟାରୁ ୧୧ଟା ୪୦ ପର୍ଯ୍ୟନ୍ତ ରହିଥିଲେ। ସେଠାରୁ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ପାଖାପାଖି ଏକ ହୋଣ୍ଡା ସାଇନ୍ ଗାଡ଼ିରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖ୍ୟ ରାସ୍ତାରେ ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗାଡ଼ିରୁ ଓହ୍ଲାଇ ବୋମା ଫିଙ୍ଗି ଥିଲେ, ଯାହା ତାଙ୍କ ଗାଡ଼ିର ସାମ୍ନାରେ ବାଜିଥିଲା। ସେମାନେ ହୋହଲ୍ଲା କରିବା ଭିତରେ ଦୁର୍ବୃତ୍ତ ଦ୍ୱୟ ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ।
ବୋମାମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସ୍ଓ ଗାଡ଼ିରୁ ଓହ୍ଲାଇ ପିଛା କରିଥିଲେ। ତେବେ ସେମାନେ ବାଇକ୍ରେ ବସି ପଳାଇଥିଲେ। ଏହା ପରେ ବିଧାୟକ ତାଙ୍କ ଗାଡ଼ିରେ ସେମାନଙ୍କ ପିଛା କରିଥିଲେ। ତେବେ ରେଳ ଷ୍ଟେସନ ନିକଟରେ ସରୁ ରାସ୍ତାର ସୁଯୋଗ ନେଇ ସେମାନେ ଫେରାର ହୋଇଯାଇଥିଲେ। ଏହା ପରେ ବିଧାୟକ କେନ୍ଦୁଝର ଟାଉନ୍ ଥାନାକୁ ଆସି ଅଭିଯୋଗ କରିଥିଲେ।
The post କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ appeared first on Odisha Reporter.
from Odisha Reporter https://ift.tt/3DuRtfQ
No comments:
Post a Comment