ବଢ଼ିଲା ସମୀରଙ୍କ ମୁସ୍କିଲ୍‌; ପୋଲ୍ ଖୋଲିଲେ ଏନ୍‌ସିବି କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ବଢ଼ିଲା ସମୀରଙ୍କ ମୁସ୍କିଲ୍‌; ପୋଲ୍ ଖୋଲିଲେ ଏନ୍‌ସିବି କର୍ମଚାରୀ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ ରହିଥିବା ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ମୁସ୍କିଲ୍ ଆହୁରି ବଢ଼ିଛି। ଆର୍ଯ୍ୟନଙ୍କ ମାମଲାରେ ୧୮ କୋଟି ଟଙ୍କାର ଡିଲ୍ ତଥା ନକଲି ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିବା ଆଦି ଅଭିଯୋଗ ସମୀରଙ୍କ ନାଁରେ ଆସି ସାରିଥିବା ବେଳେ ଏବେ ଆସିଛି ଆହୁରି ସାଂଘାତିକ ଅଭିଯୋଗ।

ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ ଏନ୍‌ସିବି କାର୍ଯ୍ୟାଳୟର କର୍ମଚାରୀ (୨ ବର୍ଷ ହେଲା ଏଠାରେ ଚାକିରି କରୁଥିବା ଦର୍ଶାଇଛନ୍ତି) କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ। ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରନ୍ତି, ତା’ର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି। ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି। ସେ ସମସ୍ତ ତଥ୍ୟ ଏନ୍‌ସିପି ନେତା ତଥା ମହରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନବାବ ମଲ୍ଲିକଙ୍କ ନିକଟକୁ ପଠାଇଛନ୍ତି। ନବାବ ଏହାକୁ ସୋଶାଲ ମିଡିଆରେ ସାର୍ବଜନନୀ କରିବା ସହିତ ଏନ୍‌ସିବି ମହାନିର୍ଦ୍ଦେଶକଙ୍କ ପାଖକୁ ପଠାଇ ଦେଇଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ନବାବ ମଲିକଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମୀର ୱାଙ୍ଖେଡେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାଁନ୍ତି। ସେଥିପାଇଁ ସେ ଅନେକ ନିର୍ଦ୍ଦୋଷ ଲୋକଙ୍କୁ ଡ୍ରଗ୍ସ ମାମଲାରେ ଫସାଇ ଜେଲ୍ରେ ଭର୍ତ୍ତି କରିଛନ୍ତି। ସେ ଏହାର ଏକ ତାଲିକା ମଧ୍ୟ ଦେଇଛନ୍ତି, ଯେଉଁଥିରେ କେବେ କାହାକୁ କେମିତି ଫସା ଯାଇଥିଲା ଦର୍ଶାଯାଇଛି।

ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଡ୍ରଗ୍ସ ମାମଲାରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ପାଇଁ ସମୀର ୱାଙ୍ଖେଡେଙ୍କର ଏକ ସ୍ୱତନ୍ତ୍ର ଟିମ୍ ଅଛି। ସେ ଏହି ଟିମ୍‌ର ସଦସ୍ୟଙ୍କ ନାଁ ଓ ସେମାନଙ୍କ ପଦପଦବୀ ସଂପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି। ଘର ସର୍ଚ୍ଚ କରିବା ବେଳେ ଏହି ଟିମ୍‌ କିଛି ସଦସ୍ୟ ଲୋକଙ୍କ ଘରେ ଡ୍ରଗ୍ସ ରଖି ଦିଅନ୍ତି ଓ ସେମାନଙ୍କୁ ଗିରଫ କରନ୍ତି। ସେହିଭଳି ଯେଉଁମାନଙ୍କ ନିକଟରେ ଅଳ୍ପ ଡ୍ରଗ୍ସ ବାହାରେ ରିପୋର୍ଟରେ ତାକୁ ଅଧିକ କରି ଦର୍ଶାଯାଏ। ନାଇଜେରିଆର ଦୁଇ ଜଣ ନାଗରିକଙ୍କ ନିକଟରୁ କୌଣସି ପ୍ରକାର ଡ୍ରଗ୍ସ ନ ମିଳିବା ସତ୍ତ୍ୱେ, ସେମାନଙ୍କ ଠାରୁ ଡ୍ରଗ୍ସ ମିଳିଥିବା ଦର୍ଶାଇ ଜେଲ୍‌ରେ ପୂରାଇଥିଲେ ସମୀର। କେବଳ ସେତିକି ନୁହେଁ, ଚଢ଼ାଉ ବେଳେ ଜବତ ହେଉଥିବା ସବୁ ଟଙ୍କା ସରକାରଙ୍କ ତହବିଲକୁ ଯାଏ ନାହିଁ। ଅନେକାଂଶରେ ସେମାନେ କିଛି ଟଙ୍କା ଜବତ କରି ବାକି ସବୁ ନିଜ ଭିତରେ ବାଣ୍ଟି ନିଅନ୍ତି।

ଏହା ସହିତ ସମୀର ୱାଙ୍ଖଡେଙ୍କୁ ମୁମ୍ବାଇ ଏନ୍‌ସିବି କାର୍ଯ୍ୟାଳୟରେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ନିଯୁକ୍ତି ଦେଇଥିଲେ, ସେ ସଂପର୍କରେ ମଧ୍ୟ ଉକ୍ତ ବ୍ୟକ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏନ୍‌ସିବିର ପୂର୍ବତନ ଡିଜି ରାକେଶ ଅସ୍ଥାନା ବଲିଉଡ୍ ଷ୍ଟାର ମାନଙ୍କୁ ଡ୍ରଗ୍ସ ମାମଲରେ ଫସାଇବା ପାଇଁ ଚାହୁଁଥିଲେ। ସମୀର ତାଙ୍କ ପାଇଁ କାମ କରୁଥିଲେ। ସମୀର ଓ କେପିଏସ୍ ମଲହୋତ୍ରା ବଲିଉଡ୍ କଳାକାରଙ୍କୁ ଡ୍ରଗ୍ସ ମାମଲାରେ ଫସାଇ କୋଟି କୋଟି ଟଙ୍କା ଦାବି କରୁଥିଲେ। ସେମାନେ ସେଥିରୁ ରାକେଶ ଅସ୍ଥାନାଙ୍କୁ ବି ଭାଗ ଦେଉଥିଲେ। କଳାକାରମାନଙ୍କ ଓକିଲମାନଙ୍କ ମାଧ୍ୟମରେ ଏହି ଡିଲ୍ ହେଉଥିଲା।

ଏନ୍‌ସିପି ନେତା ତଥା ମହରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ଏହି ଚିଠିକୁ ଏନ୍ସିବିର ବର୍ତ୍ତମାନର ଡିଜିଙ୍କ ନିକଟକୁ ପଠାଇ ସମୀରଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ଏହାକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି।

ସମୀର ୱାଙ୍ଖଡେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଗତକାଲି ନବାବ ମଲିକ ଅଭିଯୋଗ କରିଥିଲେ। ତାଙ୍କ ପାଇଁ ଜଣେ ଦଳିତ ଚାକିରି ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଅଭିଯୋଗ କରିବା ସହିତ ଏହାକୁ ବି ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏବେ ଦିଲ୍ଲୀରେ ଥିବା ସମୀର ୱାଙ୍ଖଡେ କହିଛନ୍ତି ଯେ ଏହା ସବୁ ମିଛ ଅଭିଯୋଗ। ସେ (ନବାବ ମଲିକ) ଯାହା କରିବା କଥା କରନ୍ତୁ।

The post ବଢ଼ିଲା ସମୀରଙ୍କ ମୁସ୍କିଲ୍‌; ପୋଲ୍ ଖୋଲିଲେ ଏନ୍‌ସିବି କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/3EwxgH1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages