ପଞ୍ଚମ ପାଳିରେ ନବୀନଙ୍କ ନୂଆ ଅବତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ପଞ୍ଚମ ପାଳିରେ ନବୀନଙ୍କ ନୂଆ ଅବତାର

ରବି ଦାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ପାଞ୍ଚୋଟି ନିର୍ବାଚନ ଜିତି ଯେଉଁ ରେକର୍ଡ ହାସଲ କରିଛନ୍ତି ତାହା ତାଙ୍କୁ ବସ୍ତୁତଃ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଓଡ଼ିଶାରେ ପ୍ରତିଷ୍ଠା କରିଥିବା ସମୟରେ ଲୋକମାନଙ୍କଠାରୁ ତାଙ୍କର ଦୂରତା ଏହି ପଞ୍ଚମ ପାଳିରେ ଅଧିକ ବୃଦ୍ଧି ପାଇଛି। ଅବଶ୍ୟ ଜଣେ ସାଧାରଣ ରାଜନୈତିକ କର୍ମୀ ଭାବରେ ସେ ରାଜନୀତିରେ ପ୍ରବେଶ କରିନାହାନ୍ତି। ବିଜୁ ପଟ୍ଟନାୟକଙ୍କ ପୁତ୍ର ଭାବରେ ତାଙ୍କର ଯେଉଁ ସ୍ୱତନ୍ତ୍ର ମର୍ଯାଦା ଅଛି ତାହାକୁ ଆଧାର କରି ଲୋକମାନଙ୍କ ସହିତ ଅନ୍ୟ ରାଜନୈତିକ ନେତା ଭଳି ମିଳାମିଶା ନକରି ଓ ଯଥାସମ୍ଭବ କମ୍ କଥାବାର୍ତ୍ତା କରି ଓଡ଼ିଶା ଲୋକମାନଙ୍କର ଖାଦ୍ୟାଭାବ ଓ ପ୍ରାକୃତିକ ବିପର୍ଯ୍ୟୟର ଆହ୍ୱାନକୁ ମୁକାବିଲା କରିବା ଉପରେ ସେ ଗୁରୁତ୍ୱ ଦେଇ ଯେଉଁ ଢଙ୍ଗରେ ଶାସନ କରିଛନ୍ତି ସେଥିରେ ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ, ସରଳ, ଶାନ୍ତ ଓ ଅନୀତି, ଦୁର୍ନୀତିକୁ ପ୍ରଶ୍ରୟ ଦେଉନଥିବାର ଏକ ଧାରଣା ସୃଷ୍ଟି କରିପାରିଛନ୍ତି।

ତାଙ୍କ ବିରୋଧରେ ବିକଳ୍ପର ଅଭାବ ଓ ଅନ୍ୟ ରାଜନେତାଙ୍କ ଭଳି ତାଙ୍କର ନ୍ୟସ୍ତସ୍ୱାର୍ଥ କେବେବି ଆଲୋଚିତ ହୋଇନଥିବାରୁ ଓ ଅନ୍ୟ ରାଜନେତାମାନେ ସାଧାରଣ ରାଜନୈତିକ କର୍ମୀ ଭାବରେ କାର୍ଯ୍ୟକରି ବିଭିନ୍ନ ପ୍ରକାର ବିବାଦରେ ସମ୍ମୁଖୀନ ହେଉଥିବାରୁ ନବୀନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଜନମାନସରେ ସୃଷ୍ଟିହୋଇଛି। କ୍ରମାଗତ କ୍ଷମତା ଯୋଗୁ ଶାସନ କଳର ସୁବିଧା ସୁଯୋଗ ଓ ଆର୍ଥିକ ସମ୍ବଳ, ଯାହାକି ରାଜନୀତି ପାଇଁ ଏବେ ଅପରିହାର୍ଯ୍ୟ ହୋଇଛି ତାହା ତାଙ୍କ ପାଇଁ କେବେବି ଅସୁବିଧା ହୋଇନାହିଁ। ସେ ଯେପରି ଭାବରେ ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିର ଗନ୍ଧ ବାରି କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଦେଲେ ଓ ପରେ କିଛି ନେତାଙ୍କୁ ବାହାର କରିଦେଇଥିଲେ ସେଥିରେ ତାଙ୍କର ମର୍ଯ୍ୟାଦା ବଢ଼ିଯାଇଥିଲା। କିନ୍ତୁ ଓଡ଼ିଶାବାସୀ କେବେବି ପ୍ରଶ୍ନ କରିନାହାନ୍ତି ଯେ, ରାଜ୍ୟରେ ୨୧ ବର୍ଷ କାଳ ଶାସନ କ୍ଷମତା ରହିବା ସତ୍ତ୍ୱେ ସେ ଓଡ଼ିଶାର ସବୁ ଜିଲ୍ଲାରେ କେବଳ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି ଭାବରେ ଯାଇ ଦିନେ ଦୁଇଦିନ ଅବସ୍ଥାନ କରିବା ଓ ସିଧାସଳଖ ଭାବରେ ଲୋକଙ୍କ ସହିତ ଆଲୋଚନା କରିବାର ପରମ୍ପରା ସୃଷ୍ଟି କରିନାହାନ୍ତି।

ନିଜ ଦଳର କର୍ମୀ, ନେତା ଓ ସହକର୍ମୀମାନଙ୍କ ଠାରୁ ସେ ଦୂରତାକୁ ଏପରି ବଜାୟ ରଖିଛନ୍ତି ଯେ, ତାଙ୍କୁ ସାକ୍ଷାତ କରିବା ଅନେକଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ବୋଲି ବିଚାର କରାଯାଉଛି। ବିଧାନସଭାର ମହିଳା ମାର୍ଶାଲ ଗାୟତ୍ରୀ ପଣ୍ଡାଙ୍କୁ କେନ୍ଦ୍ର କରି ଯେଉଁ ବିବାଦ ହୋଇଥିଲା ସେଥିରେ ତାଙ୍କର ଜଣେ ଘନିଷ୍ଠ ମନ୍ତ୍ରୀ ଓ ବାଚସ୍ପତି ଯେଉଁ ଢଙ୍ଗରେ ଜଡ଼ିତ ହୋଇଯାଇଥିଲେ ତାହାର ସମାଧାନ କରିବା ପାଇଁ ସେ ଦୁଇଜଣଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ। ଯଦିଓ ବିଧିବଦ୍ଧ ଭାବରେ ସେମାନଙ୍କ ବିରୋଧରେ କୌଣସି ଏତଲା ନଥିଲା, ଯେଉଁଥିରେ ସେମାନଙ୍କୁ ଦୋଷୀ ବୋଲି କୁହାଯିବ। କିନ୍ତୁ ସର୍ବସାଧାରଣରେ ଯେଉଁ ବାତାବରଣ ଓ ଧାରଣା ସୃଷ୍ଟିହେଲା ତାହାକୁ ଆଧାର କରି ନିଜର ନେତୃତ୍ୱ ଓ ସରକାରଙ୍କୁ ବିବାଦରୁ ରକ୍ଷା କରିବା ପାଇଁ ସେମାନଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ। ପରେ ପିପିଲି ଅଂଚଳରେ ଜଣେ ଦଳିତ ନାବାଳିକା ଉପରେ ଧର୍ଷଣ ଓ ହତ୍ୟା ମାମଲାରେ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସହଯୋଗୀମାନେ ଜଡ଼ିତ ଥିବା କୁହାଯାଇ ଯେଉଁ ଆନ୍ଦୋଳନ ହେଲା ତାହାକୁ ଏଡ଼ାଇବା ପାଇଁ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ସହିତ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା।

ବାସ୍ତବିକ ୨୦୧୯ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଯେଉଁ ଭାବରେ ନିଜର ଓ ସରକାରର ଭାବମୂର୍ତ୍ତି ରକ୍ଷା କରିବାରେ ପ୍ରାଥମିକତା ଦେଉଥିଲେ ୨୦୧୯ ପରେ ସେଥିରେ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଉଛି। ଅବଶ୍ୟ ସ୍ୱାସ୍ଥ୍ୟଗତ କାରଣରୁ ହେଉ ବା ପରେ କରୋନାଜନିତ ଲକ୍‌ଡାଉନ ଯୋଗୁ ହେଉ ନବୀନ ପଟ୍ଟନାୟକଙ୍କର ଦଳର କର୍ମୀ, ନେତା ଓ ମନ୍ତ୍ରୀମାନଙ୍କ ସହିତ ସଂପର୍କ ସିଧାସଳଖ ଭାବରେ ବିଚ୍ଛିନ୍ନ ହୋଇଯାଇଛି। କିନ୍ତୁ ଏଥିପାଇଁ କେହି ପ୍ରତିବାଦ କରିବାର ବା ଅସନ୍ତୋଷ କରିବାର କାରଣ ମଧ୍ୟ ଦେଖାଯାଇନାହିଁ। ଏହା ସତ୍ତ୍ୱେ ରାଜ୍ୟରେ ହୋଇଥିବା ଉପନିର୍ବାଚନଗୁଡ଼ିକରେ ଦଳର କ୍ରମାଗତ ବିଜୟ ଓ ଶେଷରେ ପିପିଲି ଉପନିର୍ବାଚନରେ ସେ ଆଦୌ ପ୍ରଚାରକୁ ନଯାଇ ମଧ୍ୟ ଦଳ ବିଜୟୀ ହେବା ନିଶ୍ଚିତ ଭାବରେ ନବୀନଙ୍କ ସାହସ ବୃଦ୍ଧିକରିଛି। ତାଙ୍କ ଗତ ଜନ୍ମଦିନରେ ତାଙ୍କୁ ଭେଟିବା ପାଇଁ ଅନ୍ୟମାନଙ୍କୁ ସେ ବାରଣ କରିଥିଲେ ମଧ୍ୟ ବାହାରେ ଯେପରି ତାଙ୍କର ପ୍ରଚାର କରାଗଲା ଓ ଗଣମାଧ୍ୟମରେ ତାଙ୍କ ନେତୃତ୍ୱର ଭୂୟସୀ ପ୍ରଶଂସା କରାଗଲା ସେଥିରେ ସେ ଅଧିକ ଉତ୍ସାହିତ ହୋଇଥିଲେ।

ଫଳରେ ୨୦୧୯ ପରେ ଯେଉଁ ମନ୍ତ୍ରୀ ବା ନେତାମାନେ ବିବାଦଗ୍ରସ୍ତ ହେଉଛନ୍ତି ବା ଯେଉଁମାନଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆସୁଛି ସେମାନଙ୍କ ଭିତରୁ କେବଳ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଛଡ଼ା କାହାରି ବିରୋଧରେ ସେ କୌଣସି ପଦକ୍ଷେପ ନେଇନାହାନ୍ତି। ‘ପରୀ’ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅପେକ୍ଷା ମାହାଙ୍ଗାରେ ଘଟିଥିବା ଚାରୋଟି ରାଜନୈତିକ ହତ୍ୟା ମାମଲାରେ ସିଧାସଳଖ ଭାବରେ ଅଭିଯୁକ୍ତମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କର ସମର୍ଥକ ବୋଲି ପ୍ରମାଣ ମିଳିବା ପରେ ମଧ୍ୟ ଶ୍ରୀ ଜେନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବରଂ ତାଙ୍କର କ୍ଷମତା ବଢ଼ିଛି। ଏବେ କଳାହାଣ୍ଡିର ମହାଲିଙ୍ଗ କଲେଜ୍ ଘଟଣାରେ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ଘଟଣାରେ ସିଧାସଳଖ ଭାବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ହେବା ସହିତ ରାଜ୍ୟବ୍ୟାପୀ ପ୍ରବଳ ଆନ୍ଦୋଳନ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ଦିବ୍ୟଶଙ୍କର ମିଶ୍ର ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଅଛନ୍ତି। ତାଙ୍କ ବିରୋଧରେ ସେହି କଲେଜକୁ ନେଇ ଓ ତାଙ୍କର ସେହି ଅନୁଷ୍ଠାନ ଓ ଏହି ମାମଲାରେ ମୁଖ୍ୟ ଆସାମୀ କଲେଜର ପରିଚାଳନା ମୁଖ୍ୟ ଗୋବିନ୍ଦ ସାହୁଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ନେଇ ସମସ୍ତ ଅଭିଯୋଗ ସତ୍ତ୍ୱେ ଶ୍ରୀ ମିଶ୍ର ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି। ଏପରିକି ଏହି ମାମଲାରେ ତାଙ୍କୁ ପୋଲିସ କୌଣସି ପଚରାଉଚରା ମଧ୍ୟ କରିନାହିଁ।

ମୁଖ୍ୟମନ୍ତ୍ରୀ ସାଧାରଣତଃ ଏହିପରି ମନ୍ତ୍ରୀମାନଙ୍କୁ ପୂର୍ବରୁ ବରଦାସ୍ତ କରୁନଥିବା ସମୟରେ ଏଥର ପୂର୍ଣ୍ଣ ନିରବତା ଅବଲମ୍ବନ କରିବା ଓ ପୋଲିସ ଅନୁସନ୍ଧାନରେ ଯେଉଁ ଦୁଇଜଣଙ୍କୁ ଗିରଫ କରାଯାଇ ସେମାନେ ଅପରାଧ ସଂକ୍ରାନ୍ତରେ ଯେଉଁ ସ୍ୱୀକୃତି ଦେଇଛନ୍ତି ତାହା ବାହାରେ ଅନ୍ୟ କୌଣସି ଅଭିଯୋଗ ତଦନ୍ତ ନହେବା ସମସ୍ତଙ୍କୁ ବିସ୍ମୀତ କରିଛି। ଏପରିକି ଗୋବିନ୍ଦ ସାହୁ ଓ ମମିତାଙ୍କ ଭିତରେ କଲେଜର ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ନେଇ ରହିଥିବା ସାକ୍ଷ୍ୟ ପ୍ରମାଣ ସଂକ୍ରାନ୍ତରେ ଯେଉଁ ବିବାଦ ହୋଇଥିଲା ତାହା ଯେପରି ସେ ପ୍ରଘଟ ନକରନ୍ତି ସେଥିପାଇଁ ସେମାନଙ୍କ ଭିତରେ ଏକ ବୁଝାମଣା ନିମନ୍ତେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁରରେ ଥିବା ତାଙ୍କ ଘରେ ଏମାନଙ୍କୁ ଡାକି ବୁଝାମଣା କରିବାର ଉଦ୍ୟମ କରିଥିଲେ ବୋଲି ରାଜ୍ୟର ଜଣେ ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ କରିବା ପରେ ମଧ୍ୟ ଶ୍ରୀ ମିଶ୍ର କିମ୍ବା ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରୁଛନ୍ତି। ସତେ ଯେମିତି ସରକାରଙ୍କର ଲୋକମାନଙ୍କ ନିକଟରେ କୌଣସି ଉତ୍ତରଦାୟିତ୍ୱ ନାହିଁ। ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟ ଏହି ପର୍ଯ୍ୟାୟରେ ଏକ ନୂଆ ଅଧ୍ୟାୟ। ସମ୍ଭବତଃ ତାଙ୍କର ଅପ୍ରତିଦ୍ୱନ୍ଦ୍ୱୀ ନେତୃତ୍ୱ ସହିତ ଖଣି ରାଜସ୍ୱରୁ ଓ ଅବକାରୀରୁ ରାଜ୍ୟର ରାଜସ୍ୱ ଯେଉଁ ପରିମାଣରେ ବୃଦ୍ଧି ପାଇଛି ସେଥିରେ ସେ ଧରିନେଇଛନ୍ତି ଯେ, ରାଜ୍ୟରେ ଅଳ୍ପକେ ସନ୍ତୁଷ୍ଟ ଓଡ଼ିଶାର ଲୋକମାନଙ୍କୁ ସବୁପ୍ରକାର ସନ୍ତୋଷ ପ୍ରଦାନ ପାଇଁ ତାଙ୍କ ପାଖରେ ଏବେ ସମ୍ବଳ ରହିଛି। ଓଡ଼ିଶାରେ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ସମେତ ସମସ୍ତ ମୁଖ୍ୟ ଦେବସ୍ଥଳୀଗୁଡ଼ିକରେ ଯେଉଁ ନୂଆ ପୁନର୍ବିନ୍ୟାସ କାମ ଚାଲିଛି ଓ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସଂକ୍ରାନ୍ତରେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ସେଥିରେ ଲୋକମାନଙ୍କୁ ଆସନ୍ତା ନିର୍ବାଚନ ପାଇଁ ସନ୍ତୁଷ୍ଟ ରଖିବା ସମ୍ଭବ ହେବ। ଯଦିଓ ଖଣି ଖନନର ବ୍ୟାପକତା ଓ ମଦର ପ୍ରସାର ଫଳରେ ରାଜ୍ୟର ପରିବେଶ ଓ ଜନଜୀବନ ଧ୍ୱଂସ ହୋଇଯିବାର ପୂର୍ଣ୍ଣ ଆଶଙ୍କା ରହିଛି।

ବରିଷ୍ଠ ସାମ୍ବାଦିକ

ମୋ: ୯୪୩୭୪୦୪୪୫୫

The post ପଞ୍ଚମ ପାଳିରେ ନବୀନଙ୍କ ନୂଆ ଅବତାର appeared first on Odisha Reporter.



from Odisha Reporter https://ift.tt/3Egiq75

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages