ମୁମ୍ବାଇ: ବଲିଉଡର ବାହଶାହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗତକାଲି ଏନସିବି ଗିରଫ କରିଥିବା ବେଳେ ଆଜି ଆରେଷ୍ଟ ରିପୋର୍ଟ ଭାଇରାଲ ହେବାରେ ଲାଗିଛି। ଏହି କପିରେ ଆର୍ଯ୍ୟନ ନିଜ ଗିରଫଦାରୀ ସମ୍ପର୍କରେ ଅବଗତ ଥିବା ସହ କାହିଁକି ତାଙ୍କୁ ଗିରଫ କରାଯାଇଛି ଜାଣିଥିବା ଉଲ୍ଲେଖ କରିଛନ୍ତି। ଏଥିସହ ଏ ସମ୍ପର୍କରେ ସେ ନିଜ ପରିବାରକୁ ଏ ସମ୍ପର୍କରେ ସୂଚନା ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ଆର୍ଯ୍ୟନଙ୍କ ସମେତ ତାଙ୍କ ପିତା ଶାହରୁଖ ଖାନଙ୍କ ନାମ ଲେଖାଯିବା ସହ ମନ୍ନତର ଠିକଣା ଉଲ୍ଲେଖ ରହିଛି।
ଏହି କପିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ ଓ ଏମଡିଏମ୍ଏର ୨୨ଟି ଟାବଲେଟ ରଖିଥିବା ଅଭିଯୋଗରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଏହାବାଦ ତାଙ୍କ ନିକଟରୁ ନଗଦ ୧.୩୩ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଆରେଷ୍ଟ କପିରେ ଆର୍ଯ୍ୟନଙ୍କ ବିରୋଧରେ ଲାଗିଥିବା ଧାରାକୁ ଉଲ୍ଲେଖ କରାଯାଇଛି। ଏନଡିପିଏସ୍ ଧାରା ୨୭ ଅଧୀନରେ ମାଦକ ପଦାର୍ଥ ସେବନ କରିବା, ୮ସି ଧାରାରେ ମାଦକ ଦ୍ରବ୍ୟ ଉତ୍ପାଦନ କରିବା, ରଖିବା, କିଣିବା ତଥା ବିକିବା କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ ଅଛି ।
ସୂଚନାଯୋଗ୍ୟ, ୱିକେଣ୍ଡ ମସ୍ତିରେ ମସଗୁଲ୍ ହେବାକୁ ଯାଇ କ୍ରୁଜ୍ ଭିତରେ ଆୟୋଜିତ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଛି ମୁମ୍ବାଇ NCB। ଡାକ୍ତରୀ ପରୀକ୍ଷା ପରେ ସାଙ୍ଗ ଅରବାଜ ସେଠ୍ ମର୍ଚାଣ୍ଟ ଓ ମୁନମୁନ୍ ଧର୍ମେଚାଙ୍କ ସହ ଆର୍ଯ୍ୟନଙ୍କୁ ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ କୋର୍ଟରେ ହାଜର କରାଇଥିଲେ। ଆର୍ଯ୍ୟନଙ୍କ ମୋବାଇଲକୁ ଏନ୍ସିବି ଜବତ କରିବା ସହ କାହା ସହ ସେ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି ? କଣ ସବୁ ଚାଟ୍ କରିଛନ୍ତି ? ସେନେଇ ଯାଞ୍ଚ କରୁଛି । ଯାଞ୍ଚବେଳେ ଚଷମାର ଲେନ୍ସ କଭରରେ ଆର୍ଯ୍ୟନ୍ ଡ୍ରଗ୍ସ ରଖିଥିଲେ ବୋଲି ସୂଚନା ମିଳିଛି । ଏହି କେସ୍ର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖ ଅପରାହ୍ନରେ ହେବ।
ଏନ୍ସିବି ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି, ନିଶାମୁକ୍ତ ଭାରତ ଗଠନ କରିବା ଏନ୍ସିବିର ଲକ୍ଷ୍ୟ । ଘଟଣାରେ ଯିଏ ବି ସଂପୃକ୍ତ ଥାଆନ୍ତୁ କିମ୍ବା ଯେତେବଡ଼ ଲୋକ ହୋଇଥାନ୍ତୁ, ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ।
The post ଆର୍ଯ୍ୟନଙ୍କ ଆରେଷ୍ଟ ରିପୋର୍ଟ ଭାଇରାଲ, ଜାଣନ୍ତୁ, ଲାଗିଛି କେଉଁ ଦଫା appeared first on Odisha Reporter.
from Odisha Reporter https://ift.tt/3l8flQ4
No comments:
Post a Comment