ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ କୋରଖାନାରେ ଦୁର୍ଗାପୂଜା ଚାଲିଥିବା ବେଳେ ପ୍ରବଳ ଗୁଳିବର୍ଷା ହୋଇଛି। ଏଠାରେ ଥିବା ଦୁର୍ଗାପୂଜା ପେଣ୍ଡାଲରେ ୪ ଜଣ ଯୁବକ ହଠାତ୍ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଛୋଟ ପିଲା ଗୁରୁତର ଆହତ ହୋଇଛନ୍ତି।
ବୁଧବାର ରାତି ୧୦ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଆକ୍ରମଣକାରୀ ୪ ଯୁବକଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେହିପରି ଆକ୍ରମଣକାରୀମାନେ ବ୍ୟବହାର କରିଥିବା ଗାଡ଼ି ମଧ୍ୟ ଜବତ ହୋଇଛି।
ପୁଲିସ୍ କହିଛି ଯେ ପୂର୍ବ ଶତ୍ରୁତାକୁ ନେଇ ଦୁର୍ଗାପୂଜା ପେଣ୍ଡାଲରେ ଗୁଳିମାଡ଼ ହୋଇଛି। ହଠାତ୍ ୪ ଜଣ ଯୁବକ ଦୁଇଟି ବାଇକରେ ସେଠାରେ ପହଞ୍ଚି ଗୁଳିମାଡ଼ କରିଥିଲେ। ସମସ୍ତ ୪ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ୪ ଜଣଙ୍କ ମଧ୍ୟରୁ ଏଯାଏ ଜଣେ ଗିରଫ ହୋଇଛି। ତା’ ଠାରୁ ଅନ୍ୟ ୩ ଜଣଙ୍କ ସମ୍ପର୍କରେ ତଥ୍ୟ ମିଳିଛି। ସେମାନଙ୍କୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଗୁଳିମାଡ଼ରେ ମନଜୀତ ଯାଦବ ପ୍ରାଣ ହରାଇଛନ୍ତି। ସେହିପରି ତାଙ୍କ ପାଖରେ ବସିଥିବା ଜଣେ ୧୨ ଓ ୧୪ ବର୍ଷୀୟ ନାବାଳିକାଙ୍କ ଶରୀରରେ ମଧ୍ୟ ଗୁଳିମାଡ଼ ହୋଇଛି। ସେମାନଙ୍କୁ ପ୍ରଥମେ ଅଯୋଧ୍ୟା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାକୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠା ଯାଇଛି।
ଅଯୋଧ୍ୟା ଏସଏସ୍ପି ଶୈଲେଶ ପାଣ୍ଡେ କହିଛନ୍ତି, “ଅନେକ ମିଡିଆ ହାଉସ ଦୁର୍ଗାପୂଜାକୁ ନେଇ ଏପରି ଗୁଳିମାଡ଼ ହୋଇଥିବା ଖବର ପ୍ରକାଶ କରୁଛନ୍ତି। ହେଲେ ଏଥିରେ କୌଣସି ସତ୍ୟତା ନାହିଁ।
ଗଣମାଧ୍ୟମ ଏପରି ସମ୍ବେଦନଶୀଳ ଖବର ପ୍ରସାରଣ ପୂର୍ବରୁ ସବୁ ତଥ୍ୟକୁ ଭଲ ଭାବେ ଯାଞ୍ଚ କରିବା ଦରକାର। ଏପରି ଖବର ପୂରା ଅଞ୍ଚଳକୁ ଅଶାନ୍ତ କରିବାର ଆଶଙ୍କା ରହିଛି। ବୁଧବାର ରାତିରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଗୁଳିମାଡ଼ ହୋଇଛି। ତେବେ ଆକ୍ରମଣକାରୀ ଓ ପୀଡ଼ିତଙ୍କ ମଧ୍ୟରେ କେଉଁ ପ୍ରକାରର ବିବାଦ ଚାଲିଥିଲା ଏବେ ତା’ର ତଦନ୍ତ କରାଯାଉଛି।”
The post ଦୁର୍ଗାପୂଜା ପେଣ୍ଡାଲରେ ଆଖିବୁଜା ଗୁଳିମାଡ଼ appeared first on Odisha Reporter.
from Odisha Reporter https://ift.tt/3j2qO1X
No comments:
Post a Comment