ନୂଆଦିଲ୍ଲୀ: ଏଣିକି ଭାରତରେ ଗର୍ଭ ଧାରଣର ୨୪ ସପ୍ତାହ ଯାଏ ଏହାକୁ ନଷ୍ଟ କରିହେବ। ଏଥିପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ଏହା ୨୦ ସପ୍ତାହ ଥିଲା। ତେବେ ଏହି ପରିବର୍ତ୍ତିତ ନିୟମ କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପାଇଁ ଲାଗୁ ହେବ। ଅନ୍ୟମାନଙ୍କ ପାଇଁ ପୂର୍ବଭଳି ୨୦ ସପ୍ତାହର ମାନଦଣ୍ଡ ରହିଛି। ଗର୍ଭ ଧାରଣର ୨୦ ସପ୍ତାହ ପରେ କୌଣସି ସାଧାରଣ ମହିଳା ଗର୍ଭପାତ କଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ।
Medical Termination of Pregnancy (Amendment) Rules, 2021 ଅନୁଯାୟୀ, କେବଳ ଯୌନ ଶୋଷଣ, ଦୁଷ୍କର୍ମ ପୀଡ଼ିତା, ନାବାଳିକା, ଗର୍ଭବତୀ ଥିବା ବେଳେ ବିଧବା କିମ୍ବା ବିବାହ ବିଚ୍ଛେଦ ହେଉଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଗର୍ଭପାତର ଅବଧିକୁ ୨୪ ସପ୍ତାହ କରାଯାଇଛି।
ସେହିପରି ମାନସିକ ରୋଗରେ ଆକ୍ରାନ୍ତ ମହିଳା ମଧ୍ୟ ଏହି ନିୟମର ବ୍ୟବହାର କରିପାରିବେ। ସରକାରଙ୍କ ପକ୍ଷରୁ ଯଦି କୌଣସି ମହିଳା ବିପର୍ଯ୍ୟୟ କିମ୍ବା ଜରୁରୀ କାଳୀନ ସ୍ଥିତିରେ ରହିଛନ୍ତି ବୋଲି ଘୋଷଣା କରାଯାଏ, ତା’ହେଲେ ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ। ଚଳିତ ବର୍ଷ ମାର୍ଚ୍ଚରେ ଏସଂକ୍ରାନ୍ତ ବିଲ୍ ସଂସଦରେ ପାରିତ ହୋଇଥିଲା। ଏବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ଜଣେ ଡାକ୍ତରଙ୍କ ମତାମତକ୍ରମେ ମହିଳା ଜଣଙ୍କ ଗର୍ଭ ଧାରଣ କରିବାର ୧୨ ସପ୍ତାହ ମଧ୍ୟରେ ଏହାକୁ ନଷ୍ଟ କରିବାର ବ୍ୟବସ୍ଥା ଥିଲା। ସେହିପରି ଦୁଇ ଜଣ ଡାକ୍ତରଙ୍କ ମତାମତକ୍ରମେ ୧୨ରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ମିଳୁଥିଲା। ଏବେ ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପାଇଁ ଏହାକୁ ୨୪ ସପ୍ତାହ କରାଯାଇଛି।
ନୂଆ ନିୟମରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ହେଲେ ଏଥିପାଇଁ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡର ନିଷ୍ପତ୍ତି ଜରୁରୀ। ମହିଳାଙ୍କ ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ରାଜ୍ୟ ମେଡିକାଲ ବୋର୍ଡ ହିଁ ଗର୍ଭପାତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏହି ନୂଆ ନିୟମକୁ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି। ତେବେ ସବୁ ମହିଳାଙ୍କ ପାଇଁ ୨୪ ସପ୍ତାହ ଗର୍ଭପାତ ନିୟମ ଲାଗୁ ହେବା ସପକ୍ଷରେ ସେମାନେ ମତ ଦେଇଛନ୍ତି।
The post ଗର୍ଭପାତର ସମୟ ସୀମାକୁ ବଢ଼ାଇଲେ କେନ୍ଦ୍ର ସରକାର appeared first on Odisha Reporter.
from Odisha Reporter https://ift.tt/3AFWLDk
No comments:
Post a Comment