ଭଦ୍ରକ(ପାର୍ଥ ସାରଥୀ ନାୟକ): ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ସରପଞ୍ଚ । ଗୁରୁତର ଜଣକ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନସ୍ଥ ଖପରପଦା ସରପଞ୍ଚ ଗୟାଧର ନାୟକ ବୋଲି ଜଣାଯାଇଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ସରପଞ୍ଚ ଗୟାଧର ନାୟକ ଗତକାଲି ବିଳମ୍ବିତ ରାତିରେ ପଞ୍ଚାୟତ ଅଫିସରୁ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ପଞ୍ଚାୟତ ଅଫିସରୁ ବାହାରୁ ବାହାରୁ କେତକ ଯୁବକ ଏକତ୍ରିତ ହୋଇ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ଏହାର କାରଣ ମଧ୍ୟ ଜଣାପଡ଼ିନି। ଆକ୍ରମଣରେ ସରପଞ୍ଚଙ୍କର ମୁଣ୍ଡ ଓ କାନରେ ଗୁରୁତର ଆଘାତ ସୃଷ୍ଟି ହୋଇଛି । ଗତକାଲି ସନ୍ଧ୍ୟାରେ ଗାଁ ରାସ୍ତା କାମକୁ ନେଇ ଗୟାଧରଙ୍କର କିଛି ଯୁବକଙ୍କ ସହ ପାଟିଗୋଳ ହୋଇଥିଲା। ତେଣୁ ଏହି ଆକ୍ରମଣ ପଛରେ ସେମାନଙ୍କ ହାତ ଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି।
ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ପହଞ୍ଚି ପ୍ରଥମେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମାତ୍ର ସେଠାରେ ବି ଚେତା ନ ଫେରିବାରୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏବେ ପର୍ଯ୍ୟନ୍ତ ଗୁରୁତର ସରପଞ୍ଚଙ୍କର ଚେତା ଫେରିନଥିବାରୁ ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଧୁଷୁରୀ ଥାନାଧିକାରୀ କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
The post ସଂଘବଦ୍ଧ ଆକ୍ରମଣରେ ସରପଞ୍ଚ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3Bpjox0
No comments:
Post a Comment