ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।
ଜିମ୍ରେ ୱାର୍କଆଉଟ୍ କଲା ବେଳେ ହଠାତ୍ ପୁନୀତ୍ ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର।
କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍ ବୋମ୍ମାଇ ମଧ୍ୟ ହସ୍ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ। ପୁନୀତଙ୍କ ବଡ଼ ଭାଇ ତଥା ଅଭିନେତା ଶିବ ରାଜକୁମାର ଓ ପୂରା ପରିବାର ମଧ୍ୟ ହସ୍ପିଟାଲ୍ରେ ଉପସ୍ଥିତ ଥିଲେ। ଅଭିନେତା ୟଶ ଓ ଦର୍ଶନ ପ୍ରମୁଖ ମଧ୍ୟ ହସ୍ପିଟାଲ୍ରେ ପୁନୀତଙ୍କୁ ଦେଖିବାକୁ ପହଞ୍ଚିଥିଲେ।
ପୁନୀତ୍ଙ୍କୁ ଫ୍ୟାନ୍ମାନେ ଆପୁ ବୋଲି ସମ୍ବୋଧନ କରୁଥିଲେ। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ।
ପୁନୀତ୍ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକା ରାଜ୍ୟ ପୁରସ୍କାର ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ସେହିଦିନଠାରୁ ଫ୍ୟାନ୍ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରୁଥିଲେ। ଶେଷଥର ପାଇଁ ଚଳିତ ବର୍ଷ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିଥିଲେ ଦର୍ଶକ।
The post ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3Bx0nbi
No comments:
Post a Comment