ନୋଏଡା: ଦୀର୍ଘ ୪ ମାସ ପରେ ମହାମାରୀ କରୋନା ନୋଏଡାରେ ପ୍ରଥମ ମୁଣ୍ଡ ନେଇଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ନୋଏଡା ମଧ୍ୟ ପ୍ରଭାବିତ ହୋଇଥିଲା। ହେଲେ ୪ ମାସ ହେଲା ସ୍ଥିତି ନିୟନ୍ତ୍ରଣରେ ରହିବା ସହ କାହାର ମୃତ୍ୟୁ କରୋନା ଯୋଗୁ ହେଉ ନଥିଲା।
ହେଲେ ବୁଧବାର ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ମହିଳାଙ୍କ ବୟସ ୬୭ ବର୍ଷ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେକ୍ଟର ୬୨ରେ ଥିବା ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇଥିଲେ। ତାଙ୍କୁ ଅକ୍ଟୋବର ୧୦ରେ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତେବେ ତା’ ପରଦିନ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମହିଳା ଜଣଙ୍କ ସୋମବାର ପ୍ରାଣ ହରାଇଥିଲେ ହେଁ କରୋନା ମୃତ୍ୟୁ ତାଲିକାରେ ତାଙ୍କ ନାଁ ବୁଧବାର ସାମିଲ କରାଯାଇଥିଲା। ଜୁନ୍ ୧୩ ପରଠାରୁ ଗୌତମବୁଦ୍ଧ ନଗରରେ କରୋନା ଯୋଗୁ କାହାର ମୃତ୍ୟୁ ଘଟି ନଥିଲା। ମୁଖ୍ୟ ମେଡିକାଲ ଅଧିକାରୀ ଡା ସୁନୀଲ ଶର୍ମା କହିଛନ୍ତି, “ରୋଗୀ ଜଣଙ୍କ ଅକ୍ଟୋବର ୧୦ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜାଣିବାକୁ ପାଇଥିଲୁ।
ଆଡମିଶନ ବେଳେ ହିଁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କର ହୃଦରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ରହିଥିଲା। ତେଣୁ ହସ୍ପିଟାଲରେ ଆଡମିଟ ହେବାର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।”
ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ସେ ତାଙ୍କ ସ୍ୱାମୀ ଓ ଘରୋଇ ସହାୟକଙ୍କ ସହ ରହୁଥିଲେ। ଉଭୟଙ୍କର ଟେଷ୍ଟ କରାଯାଇଥିଲା। ମହିଳାଙ୍କ ସ୍ୱାମୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି। କିନ୍ତୁ ଘରୋଇ ସହାୟକ ଜଣଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଚଳିତ ମାସରେ ନୋଏଡାରେ ୩୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟ ମାସରୁ ମାତ୍ର ୬ ଜଣଙ୍କୁ ହିଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ଏଯାଏ ନୋଏଡାରେ ୬୩,୩୩୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୬୭ ଜଣଙ୍କ ଜୀବନ ଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ବେଳେ ଏପ୍ରିଲରେ ଏହା ୨୧୩ ଓ ମେ’ରେ ୧୪୩ ରହିଥିଲା।
The post ୪ ମାସ ପରେ ପ୍ରଥମ ମୁଣ୍ଡ ନେଲା କରୋନା appeared first on Odisha Reporter.
from Odisha Reporter https://ift.tt/3mSYDnb
No comments:
Post a Comment