ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଖୋଲିଛି ଆଉ ଏକ ଗୁମୁର। ଆଉ ସେଥିରୁ ଜଣାପଡ଼ୁଛି, ମାମଲାକୁ ବାଟବଣା କରିବାକୁ ସେ ମୂଳରୁ ଗଡ଼ବଡ଼ କରିବାକୁ ପୂରା ପ୍ରୟାସ କରିଥିଲା।
ଆଜି ବିଜେପିର ଏକ ଟିମ୍ ମମିତାଙ୍କ ପରିବାରକୁ ଭେଟିଥିବା ବେଳେ ତାଙ୍କ ବାପା ଏକ ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ହିଁ ଲେଖାଇଥିଲା ଏତଲା।
ସେ କହିଛନ୍ତି, ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜକୁ ଯାଇଥିଲୁ। ସେଠାରେ ଗୋବିନ୍ଦ ସାହୁ ଥିଲେ। ଆମ ଏତଲା ସେ ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଲେଖାଇ ଥିଲେ। ମୁଁ ସେହି ଏତଲାକୁ ନ ପଢ଼ି ସେଥିରେ ଦସ୍ତଖତ କରି ଦେଇଥିଲି। ଦରଖାସ୍ତ ଉପରେ କଲେଜର ସିଲ୍ ଲଗାଯାଇଥିଲା।
ସେ ଆହୁରି କହିଛନ୍ତି, ଆମେ ଥାନାକୁ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଯାଇଥିଲା। ଗୋବିନ୍ଦ ଥାନାରେ ପହଞ୍ଚିବାର ୧୦ ମିନିଟ୍ ପରେ ଆମେ ସେଠାରେ ପହଞ୍ଚିଥିଲୁ। ଗୋବିନ୍ଦ ଥାନାରେ ପହଞ୍ଚି ଥାନା ବାବୁଙ୍କ ସହ କ’ଣ କଥା ହୋଇଥିଲେ ଆମେ ଜାଣିନାହୁଁ। ଥାନା ବାବୁ ଆମ ଏତଲା ରଖିଲେନି। ତୁମ ଥାନା ତୁରେକେଲା ଯାଅ ବୋଲି ଆମକୁ ସଫା ସଫା ଶୁଣା ଦେଇଥିଲେ। ଏହାପରେ ଆମେ ପଳାଇ ଆସିଥିଲୁ। ତା’ପରେ ଆମେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲୁ।
ମମିତାଙ୍କ ବାପା କହିଛନ୍ତି, ଯେଉଁ ଦିନ ହତ୍ୟାକାଣ୍ଡ ଘଟିଲା ତା’ ପୂର୍ବରୁ ବି ମମିତା ବାହାରକୁ ଯାଇଥିଲା। ତା’ ହତ୍ୟାକାଣ୍ଡରେ ଜଣଙ୍କର ସଂପୃକ୍ତି ନାହିଁ। ଘଟଣା ପଛରେ ଆଉ କେହି ନିଶ୍ଚିତ ଥିବେ। ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଉ ଓ ସେମାନଙ୍କୁ ଫାଶି ଦିଆଯାଉ। ଏହା ସହିତ ଏହି ଘଟଣାରେ କିଛି ରାଜନୀତି କରାଯାଉନି ବୋଲି ସେ କହିଛନ୍ତି।
‘ପୁଲିସ୍ ତଦନ୍ତରେ ହୋଇଛି ବହୁ ଅବହେଳା’
ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ଯଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି, ଏହି ହତ୍ୟାକାଣ୍ଡରେ ଜଣଙ୍କର ସଂପୃକ୍ତି ରହିଛି ବୋଲି ମାନିବା ଠିକ ନୁହେଁ। ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭଳି ଲାଗୁଛି। ଏହା ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ଆଗେଇବା ଉଚିତ୍।
ସେ କହିଛନ୍ତି, ମମିତା ହତ୍ୟାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ଦେଖିଲେ ପୁଲିସ ତଦନ୍ତରେ ବହୁତ ଅବହେଳା କରିଥିବା ଦେଖାଯାଇଛି। ଏତଲା ଗ୍ରହଣ ନକରିବା ଠାରୁ ଅଭିଯୁକ୍ତ ଖସିଯିବା ପର୍ଯ୍ୟନ୍ତ ବହୁ ଅବହେଳା କରାଯାଇଛି।
ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରିସାରିଲେଣି
ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁଙ୍କୁ ସୃଷ୍ଟି କରିସାରିଲେଣି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦମାନଙ୍କୁ ସୃଷ୍ଟି କରି ଚାଲିଛନ୍ତି। ଗୋବିନ୍ଦମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ।
ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଭେଟି ଆଲୋଚନା କରିଥିଲେ। ଏହି ଟିମ୍ରେ ଦଳର ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ସାଂସଦ ସଂଗୀତା ସିଂହଦେଓ ଓ ବିଧାୟକ ମୋହନ ମାଝୀ ପ୍ରମୁଖ ଥିଲେ।
The post ଖୋଲିଲା ଗୋବିନ୍ଦର ଆଉ ଏକ ଗୁମର, ମୂଳରୁ କରିଥିଲା ଖେଳ appeared first on Odisha Reporter.
from Odisha Reporter https://ift.tt/3nrqw65
No comments:
Post a Comment