ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟା ଭିଡ ଜମି ଥିଲା । କିନ୍ତୁ ଏପର୍ଯ୍ୟନ୍ତ କେବଳ ୨୩ ସାକ୍ଷୀ କାହିଁକି ମିଳିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଘଟଣାର ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କ ବୟାନକୁ ଶୀଘ୍ର ରେକର୍ଡ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ସିଜେଇ ଏନ୍ଭି ରାମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ଶୁଣାଣି କରିଥିଲେ। ନଭେମ୍ବର ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଶୁଣାଣି ସମୟରେ ସିଜେଆଇ ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଇଛନ୍ତି କି ବୋଲି ପ୍ରଶ୍ନ ପଚାରିଥିଲେ। ଏହା ଉତ୍ତରରେ ୟୁପି ସରକାର କିଛି ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି, ଆଉ କିଛି ବାକି ଅଛି। ୟୁପି ସରକାରଙ୍କ ତରଫରୁ ହରିଶ ସାଲଭେ କହିଛନ୍ତି ଯେ ୩୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି।
ଏହା ଶୁଣି ସିଜେଇ କହିଥିଲେ ଯେ, ସେଠାରେ ବଡ ଧରଣର କୃଷକଙ୍କ ରାଲି ଚାଲିଥିଲା। ହଜାର ହଜାର କୃଷକଙ୍କ ଭିଡ ଜମିଥିଲା। କିନ୍ତୁ ସେଠାରେ କେବଳ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ଥିଲେ କି? ବୋଲି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ୟୁପି ସରକାରଙ୍କ ତରଫରୁ ସାଲଭେ କହିଥିଲେ ଯେ, ‘ସର୍ବସାଧାରଣ ବିଜ୍ଞାପନ ଦେଇ ଆମେ କାରରେ ଥିବା ଲୋକଙ୍କୁ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଆଗକୁ ଆସନ୍ତୁ ବୋଲି କହିଥିଲୁ। ଆମେ ସମସ୍ତ ମୋବାଇଲ୍ ଭିଡିଓ ଏବଂ ଘଟଣାର ଭିଡିଓଗ୍ରାଫି ଉପରେ ମଧ୍ୟ ଧ୍ୟାନ ଦେଇଛୁ।’
‘ଘଟଣାସ୍ଥଳରେ ୪ରୁ ୫ ହଜାର ଲୋକଙ୍କ ଭିଡ ଥିଲା, ସମସ୍ତେ ସ୍ଥାନୀୟ ଲୋକ ଏବଂ ଏପରିକି ଘଟଣା ପରେ ମଧ୍ୟ ଅଧିକାଂଶ ଆନ୍ଦୋଳନ କରିଥିଲେ। ଏହା ହିଁ କୋର୍ଟଙ୍କୁ କୁହାଯାଇଛି। ତେବେ ଏହି ଲୋକଙ୍କୁ ଚିହ୍ନିବାରେ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ ବୋଲି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି।
ଗତ ଶୁଣାଣିରେ ମଧ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରିବାରେ ବିଳମ୍ବ ହେତୁ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ବର୍ଷିଥିଲେ। ୟୁପି ସରକାର ସାକ୍ଷୀଙ୍କ ବୟାନ ପ୍ରକାଶ କରିବାକୁ ସମୟ ମାଗିବା ପରେ କୋର୍ଟ ଶୁଣାଣି ପ୍ରକ୍ରିୟା ସ୍ଥଗିତ ରଖିଥିଲେ।
ସୂଚନା ମୁତାବକ, ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ଓକିଲ ଏହି ମାମଲାରେ ଆବେଦନ କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ପରେ କୋର୍ଟ ଶୁଣାଣି ଆରମ୍ଭ କରିଥିଲେ।
ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଏକ ଏସୟୁଭି ଗାଡି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡି ଯାଇଥିଲା। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
The post ହଜାରେ ଭିଡ଼ ଭିତରୁ କେବଳ ମିଳିଳେ ୨୩ ସାକ୍ଷୀ? ପ୍ରଶ୍ନ କଲେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/3nx2K8K
No comments:
Post a Comment