ଯାଜପୁର(ଗୁଲାମ ଗସ୍): ଗତକାଲି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଯାଜପୁରର ଅଶ୍ୱିନୀ କୁମାର ପଣ୍ଡା । ଓଏଏସ୍ ପରୀକ୍ଷାରେ ୧ ନଂ ସ୍ଥାନ ହାସଲ କରିବାର ଅନୁଭୂତି ଅବର୍ଣ୍ଣନିୟ ବୋଲି କହିବା ସହ ରେଜଲ୍ଟ ଶୁଣି ଖୁବ୍ ଖୁସି ଥିବା କହିଛନ୍ତି ଅଶ୍ୱିନୀ ।
-ରେଜଲ୍ଟ ବିଷୟରେ ପ୍ରଥମେ କିଏ ସୂଚନା ଦେଲେ ?
–ମୋର ଜଣେ ସାଙ୍ଗ ଫୋନ କରି ମୁଁ ଲିଷ୍ଟରେ ଟପ୍ରେ ଥିବା କହିଥିଲେ। ମୁଁ ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନ ଥିଲି। ଏହାପରେ ନିଜେ ଲିଷ୍ଟ ଚେକ୍ କରି ଦେଖିବା ପରେ ବିଶ୍ୱାସ ହୋଇଥିଲା। ।
-ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ କିପରି ନିଜକୁ ପ୍ରସ୍ତୁତ କରୁଥିଲେ?
– ପ୍ରିଲିମିନାରୀ ସରିବା ପରେ ପରେ କରୋନା ଆସି ଯାଇଥିଲା। ଘରେ ହିଁ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲି। ସବୁବେଳେ କିଛି ନା କିଛି ଦୁଃସମ୍ବାଦ ପାଉଥିଲୁ। ଏହାସତ୍ତ୍ୱେ ଭାଙ୍ଗି ନ ପଡ଼ି ଏହି ସମୟକୁ ଭଲ ଭାବେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ପରିବାର ବି ବହୁତ ସପୋର୍ଟିଭ ଥିଲେ।
-ପ୍ରତିଦିନ କେତେ ସମୟ ପଢ଼ୁଥିଲେ?
–ପ୍ରତିଦିନ ୫-୬ ଘଣ୍ଟା ପଢ଼ିଥିଲି। ଖବରକାଗଜ ନିୟମିତ ଭାବେ ପଢ଼ୁଥିଲି। କରୋନା ଯୋଗୁ ମାନସିକ ଦୁଶ୍ଚିନ୍ତା ଲାଗି ରହୁଥିଲେ ବି ପାଠପଢ଼ାକୁ ନିୟମିତ ଭାବେ ଜାରି ରଖିଥିଲି। କରୋନା ମହାମାରୀ ସମୟକୁ ପାଠ ପଢ଼ା ପାଇଁ ଏହା ଏକ ସୁଯୋଗ ଭାବି ଆଗେଇ ଚାଲିଥିଲି।
-ଯେଉଁମାନେ ରାଙ୍କରେ ତଳେ ରହିଗଲେ, ସେମାନଙ୍କୁ କିଛି କହିବେ କି?
–ଯେଉଁମାନେ ରାଙ୍କରେ ଅଛନ୍ତି, ସମସ୍ତଙ୍କ ଜୀବନରେ ସଂଘର୍ଷ ଅଛି। ସମସ୍ତଙ୍କ ନିକଟରୁ କିଛି ନା କିଛି ଶିଖିବାର ଅଛି। ଏପରକି ଯେଉଁମାନେ ରାଙ୍କରେ ତଳେ ରହି ଯାଇଛନ୍ତି, ସେମାନଙ୍କୁ ବି ବହୁତ କିଛି ଶିଖିବାର ଅଛି। ସେମାନେ ବି ଟପ୍ କରିପାରିଥାନ୍ତେ। କେବଳ ସେତିକି ନୁହେଁ ଯେଉଁମାନେ ଲିଷ୍ଟରୁ ବାଦ ପଡ଼ି ଯାଇଛନ୍ତି, ସେମାନଙ୍କ ମଧ୍ୟରେ ବି ଖୁବ୍ ଟାଲେଣ୍ଟେଡ ପିଲା ଅଛନ୍ତି। କୌଣସି କାରଣରୁ ସେମାନେ ବାଦ ପଡ଼ିଯାଇଛନ୍ତି। ସମସ୍ତଙ୍କ ସଂଘର୍ଷ କାହାଣୀ ଓ ମତାମତ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ପାଖରୁ ବି ବହୁତ କିଛି ଶିଖିବାର ଅଛି।
-ଯୁବବର୍ଗଙ୍କ ପାଇଁ କ’ଣ ରହିଛି ଆପଣଙ୍କ ଟିପ୍ସ?
– ସିଭିଲ ସର୍ଭିସ ପରୀକ୍ଷା ଏକ ଲଙ୍ଗ ଟର୍ମ ପ୍ରୋସେସ। ଏହାର ନିଜସ୍ୱ କିଛି ଆବଶ୍ୟକତା ଅଛି। ସେହି ଅନୁଯାୟୀ ପରିକ୍ଷାର୍ଥୀ ନିଜକୁ ପ୍ରସ୍ତୁତ କରିବା ଦରକାର। ସେମାନେ ଦେଶ, ବିଦେଶର ଖବର ସମ୍ପର୍କରେ ସବୁବେଳେ ଅପଡେଟ ରହିବା ଦରକାର। ଗୋଟିଏ କୋଚିଂ ସେଣ୍ଟର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ଚେଷ୍ଟା କରନ୍ତୁ ନାହିଁ। ନିଜେ ହିଁ ନିଜ ପାଇଁ ଚେଷ୍ଟା କରନ୍ତୁ।
-ଏହି ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଥିଲେ?
– ସିଭିଲ ସର୍ଭିସ ପରୀକ୍ଷା ପାଇଁ ମୁଁ ନିଜେ ହିଁ ପ୍ରସ୍ତୁତି ଚଳାଇଥିଲି। ଗୋଟିଏ ଇନଷ୍ଟିଚ୍ୟୁଟ ଉପରେ ନିର୍ଭର କରିବା ଆପଣଙ୍କୁ ହତୋତ୍ସାହିତ କରିପାରେ। ସମସ୍ତଙ୍କର ନିଜର କ୍ଷମତା ରହିଛି। ତେଣୁ ଯଦି କୌଣସି ସମସ୍ୟା ଆସୁଛି, ତାକୁ ନିଜେ ମୁକାବିଲା କରନ୍ତୁ ଓ ପୁଣି ଥରେ ଛିଡ଼ା ହୋଇ ଜିତିବାକୁ ଚେଷ୍ଟା କରନ୍ତୁ।
-ଟପ୍ପର ହେବେ ବୋଲି ଭାବିଥିଲେ?
–ମୁଁ କେବଳ ଚେଷ୍ଟା ଚଳାଇଥିଲି। ହେଲେ ନିଜେ ଜାଣି ନ ଥିଲି କ’ଣ କରିବି। ରାଙ୍କ ଆସିଲେ ଭଲ ଲାଗିବ ବୋଲି ଭାବିଥିଲି। ହେଲେ ଟପ୍ପର ହେବି ବୋଲି ଭାବି ନ ଥିଲି।
– ସଫଳତାର ଶ୍ରେୟ କାହାକୁ ଦେବେ?
–ମୋ ଭାଇ, ଭଉଣୀ, ବାପା, ମା’ ଭାଉଜ , ସ୍କୁଲର ଶିକ୍ଷକ, ଶୁଭଚିନ୍ତକ ସମସ୍ତଙ୍କୁ ଧନ୍ୟବାଦ ଦେବି। ମୁଖ୍ୟତଃ ଡ. ମୌସୁମୀ ପାଢି ଓ ପ୍ରଫେସର ପ୍ରଣୟ ମଣ୍ଡଳ ମୋତେ ଖୁବ୍ ସପୋର୍ଟ କରିଛନ୍ତି। ମୁଁ ଆଜି ଏହି ଜାଗାରେ ପହଞ୍ଚିବା ପଛରେ ସେମାନଙ୍କର ବହୁତ ଅବଦାନ ରହିଛି।
-କର୍ମକ୍ଷେତ୍ରରେ କାହାକୁ ପ୍ରାଥମିକତା ଦେବେ ?
–ମୁଁ ଯେଉଁ ସେକ୍ଟରରେ ବି କାମ କରିବି, କିପରି ସେହି କ୍ଷେତ୍ରରେ ଉନ୍ନତି ଆଣିପାରିବି ଚେଷ୍ଟା ଚଳାଇବି। ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ଲୋକଟି କିପରି ସେବା ପାଇପାରିବ ତାହା ମୋର ମୁଖ୍ୟ ଲକ୍ଷ୍ୟ ରହିବ । ଟ୍ରେନିଂ ତ ପାଇବି। ଏହାପରେ ଫିଲ୍ଡରେ କାମ କଲେ ବହୁତ କିଛି ଶିଖିବାକୁ ସୁଯୋଗ ପାଇବି।
ସୂଚନାଯୋଗ୍ୟ, ଗତକାଲି ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ ରେଜଲ୍ଟରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
The post ‘ସିଭିଲ ସର୍ଭିସ ପରୀକ୍ଷା ଏକ ଲଙ୍ଗ ଟର୍ମ ପ୍ରୋସେସ୍, ସଂଘର୍ଷ ଜାରି ରଖନ୍ତୁ ’ appeared first on Odisha Reporter.
from Odisha Reporter https://ift.tt/2YzZHUJ
No comments:
Post a Comment