ଖାରତୋଉମ(ସୁଦାନ): ଉତ୍ତର ଆଫ୍ରିକୀୟ ଦେଶ ସୁଦାନରେ ସେନା ବାହିନୀର ଦବଦବା ଦେଖିବାକୁ ମିଳିଛି। ଲୋକଙ୍କ ଦ୍ୱାରା ନିଯୁକ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେନା ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏଥିପାଇଁ ସୋମବାର ଭୋର ସମୟରୁ ସେନାର ଶତାଧିକ ଅଧିକାରୀ ଓ ଯବାନ ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଡୋକଙ୍କୁ ଗିରଫ କରି ନେଇଛନ୍ତି।
ସେନାର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ହାମଡୋକଙ୍କୁ ତାଙ୍କ ବାସଭବନରେ ହିଁ ଗିରଫ କରି ରଖିଥିବା ଜଣାପଡ଼ିଛି। ଦୁବାଇ ଭିତ୍ତିକ ଗଣମାଧ୍ୟମ ସଂସ୍ଥା ଅଲ ହାଦାଥ ପକ୍ଷରୁ ଏପରି ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ସୋମବାର ସୂର୍ଯ୍ୟ ଉଦୟମ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ହାମଡୋକଙ୍କୁ ଗୃହବନ୍ଦୀ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦେଶର ଶିଳ୍ପ ମନ୍ତ୍ରୀ ଇବ୍ରାହିମ ଅଲ ଶେଖ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ହାମଜା ବାଲଉଲ ଓ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଫୈଜଲ ମହମ୍ମଦ ସାଲେହଙ୍କୁ ମଧ୍ୟ ସେନା ପକ୍ଷରୁ ଗିରଫ କରାଯାଇଛି।
ସୁଦାନର କ୍ଷମତାସୀନ ସୋଭେରଜିନ ପରିଷଦର ମୁଖପାତ୍ର ମହମ୍ମଦ ଅଲ ଫିକୀ ସୁଲିମାନ ଓ ରାଜଧାନୀ ଖାରତୋଉମର ରାଜ୍ୟପାଳ ଆର୍ଯ୍ୟମାନ ଖାଲିଦ ମଧ୍ୟ ସେନା ଦ୍ୱାରା ଗିରଫ ହୋଇଛନ୍ତି। ସୁଦାନର ସରକାରୀ ଅଧିକାରୀମାନେ ନିଜ ନାଁକୁ ଗୋପନ ରଖି ଗିରଫଦାରୀକୁ ସ୍ୱୀକାର କରିଛନ୍ତି।
ସୁଦାନର ରାଷ୍ଟ୍ରପତି ପଦରୁ ଓମାର ଅଲ ବଶରି ହଟିବା ପରେ ସରକାର ଓ ସେନା ମଧ୍ୟରେ କ୍ଷମତା ତିକ୍ତତା ଆରମ୍ଭ ହୋଇଥିଲା। ଗତମାସରେ ସେନା ପକ୍ଷରୁ ବଳପୂର୍ବକ କ୍ଷମତା ଦଖଲ ପାଇଁ ଉଦ୍ୟମ ହୋଇଥିଲା। ସେବେଠାରୁ ସରକାର ଓ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।
ଲୋକମାନେ ମଧ୍ୟ ସେନାର ବଳପୂର୍ବକ କ୍ଷମତା ଦଖଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏସବୁ ଭିତରେ ସେନା ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିନେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ସୁଦାନର ରାଜଧାନୀ ଖାରତୋଉମରେ ଟେଲିଫୋନ ଯୋଗାଯୋଗୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।
ତେଣୁ ଦେଶରେ ଘଟୁଥିବା ପ୍ରକୃତ ସ୍ଥିତି ସମ୍ପର୍କ ବିସ୍ତୃତ ଖବର ଆସିପାରୁ ନାହିଁ। ସେହିପରି ସେନା ପକ୍ଷରୁ ଖାରତୋଉମ ସହରକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ଓ ବ୍ରିଜ୍କୁ ମଧ୍ୟ ବନ୍ଦ କରିଦିଆଯାଇଛି।
The post ସେନା ଦ୍ୱାରା ସୁଦାନ ପ୍ରଧାନମନ୍ତ୍ରୀ ଗିରଫ, ଅନେକ ମନ୍ତ୍ରୀ ବି ଅଟକ appeared first on Odisha Reporter.
from Odisha Reporter https://ift.tt/3B8DB9f
No comments:
Post a Comment