ସରକାର ଏକ କ୍ଲବଘର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ସରକାର ଏକ କ୍ଲବଘର!

  • ଦେବେନ୍ଦ୍ର ପୃଷ୍ଟି

ଏଇ କେଇଦିନ ତଳେ ଖବରରେ ଥିଲା ଭୁବନେଶ୍ୱର କ୍ଲବ। କ୍ଲବର ନିର୍ବାଚନ ହିଁ ଥିଲା ଅନେକ ସାମ୍ବାଦିକଙ୍କ ପାଇଁ ଆଗ୍ରହର ବିଷୟବସ୍ତୁ। କାରଣ ଦୁଇ ଜଣ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ କ୍ଲବର ସଭାପତି ପଦ ପାଇଁ ନିର୍ବାଚନ ଲଢ଼େଇ ଚାଲିଥିଲା। ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବିଜୟୀ ହୋଇଛନ୍ତି ଓ ଅନ୍ୟ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ନିର୍ବାଚନରେ ଜଣେ ହିଁ ଜିତିବା କଥା। ଜିତିଲେ। ଏଥିରେ କିଛି ଅସ୍ୱାଭାବିକତା ନାହିଁ। କିନ୍ତୁ କେତେକ ମିଡିଆରେ ଏହାକୁ ନେଇ କିଛି ଗମ୍ଭୀର ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଛି। କଥାଟି ହେଉଛି, ସରକାରୀ ପଦପଦବୀରେ ଥାଇ ଏକ କ୍ଲବର ପଦପଦବୀ ଗ୍ରହଣ କରିବା କେତେ ଦୂର ନୈତିକ ଓ ବିଧି ସମ୍ମତ? ଶ୍ରୀ ଅସିତ କୁମାର ତ୍ରିପାଠୀ ଏବେ ରାଜ୍ୟ ସରକାରଙ୍କ ପ୍ରତିଷ୍ଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି। ତା’ ସହିତ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ପଦରେ ଅଧିଷ୍ଠିତ ଅଛନ୍ତି। ସରକାର ତାଙ୍କୁ ରାଜ୍ୟ ମନ୍ତ୍ରୀର ମାନ୍ୟତା ଦେଇଛନ୍ତି। ଏପରି ସ୍ଥଳେ ତାଙ୍କର ଭୁବେନଶ୍ୱର କ୍ଲବର ସଭାପତି ହେବା କେତେ ନୈତିକ?

ସର୍ବଭାରତୀୟ ସେବା ଆଚରଣ ନିୟମ ବା ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍‌ସର ୧୩ ଧାରା ଅନୁଯାୟୀ ସର୍ବଭାରତୀୟ ସେବାର ଜଣେ ସରକାରୀ ଅଧିକାରୀ ସରକାରଙ୍କ ପୂର୍ବ ଅନୁମତି ବିନା କୌଣସି ଲାଭଜନକ ବ୍ୟବସାୟ ଓ ବାଣିଜ୍ୟ କରିପାରିବେ ନାହିଁ, ଅନ୍ୟ କୌଣସି ନିଯୁକ୍ତି ଗ୍ରହଣ କରିପାରିବେ ନାହିଁ, କୌଣସି ନିର୍ବାଚିତ ପଦପଦବୀ ଗ୍ରହଣ କରିପାରିବେ ନାହିଁ କିମ୍ବା ସେପରି କୌଣସି ପଦବୀର ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ, କୌଣସି କମ୍ପାନୀ ଏବଂ ବ୍ୟାବସାୟିକ ସମବାୟ ସଂସ୍ଥାର ପଞ୍ଜୀକରଣ, ଉନ୍ନୟନ ଓ ପରିଚାଳନାରେ ଭାଗ ନେଇପାରିବେ ନାହିଁ।

ଭୁବନେଶ୍ୱର କ୍ଲବ ଲିମିଟେଡ ଏକ ଦାତବ୍ୟ ଅନୁଷ୍ଠାନ ନୁହେଁ। ଏହା କମ୍ପାନୀ ପଞ୍ଜିକରଣ ଆଇନ ଅନୁସାରେ ପଞ୍ଜୀକୃତ ଏକ କମ୍ପାନୀ। ଏହା ଏକ ବ୍ୟାବସାୟିକ ସଂସ୍ଥା। କ୍ଲବ ପରିସରରେ ମଦ୍ୟ ଓ ଖାଦ୍ୟର ବେପାର କରାଯାଏ। କ୍ରୀଡ଼ା, ବ୍ୟାୟାମ ଓ ମନୋରଞ୍ଜନ ଆଦି ସୁବିଧାର ମଧ୍ୟ ବ୍ୟବସାୟ ହୁଏ। ତେଣୁ ଏହି କ୍ଲବର ପରିଚାଳନା ସହିତ କୌଣସି ସର୍ବଭାରତୀୟ ସେବାର ସଦସ୍ୟ ସଂପୃକ୍ତ ହେବା ନିୟମ ବିରୋଧୀ ତଥା ଅନୈତିକ।

ତେବେ, ଶ୍ରୀ ଅସିତ କୁମାର ତ୍ରିପାଠୀ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି। ଅବସର ପରେ ସରକାର ତାଙ୍କୁ ବିଭିନ୍ନ ପଦବୀରେ ଥଇଥାନ କରିଛନ୍ତି, ତାହା ଅଲଗା କଥା। କିନ୍ତୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଷ୍ଟାଟସ୍‌ରେ ଥାଇ ଏବଂ ଖାସ୍‌ କରି ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ପଦରେ ଥାଇ ଜଣେ ଭୁବନେଶ୍ୱର କ୍ଲବ ଲିମିଟେଡର ସଭାପତି ହେବା କେତେ ଯୁକ୍ତିଯୁକ୍ତ? ରାଜ୍ୟର ଜଣେ ମନ୍ତ୍ରୀ ଏକ ଘରୋଇ ଉଦ୍ୟୋଗର ମୁଖ୍ୟ ପଦରେ ରହିବା କ’ଣ ସୀମଚୀନ?

ସେହିପରି ଏହି କ୍ଲବର ସଂପାଦକ ପଦଭାର ସମ୍ଭାଳିଛନ୍ତି ଶ୍ରୀ ବିଶାଳ କୁମାର ଦେବ। ସେ ଏବେ ରାଜ୍ୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ସଚିବ ଅଛନ୍ତି। ସେ ମଧ୍ୟ ଭୁବନେଶ୍ୱର କ୍ଲବ ଲିମିଟେଡର ଅର୍ଥ କାରବାର ଦାୟିତ୍ୱ ବୁଝିବେ। କ୍ଲବର ସଂପାଦକ ପଦ ଅବୈତନିକ ଅର୍ଥାତ ଏହି ପଦରୁ କେହି କିଛି ବେତନ ପାଇବେ ନାହିଁ। ମାତ୍ର, ନିୟମର ୧୩ ଧାରାର ପ୍ରଥମ ଭାଗରେ ଅବୈତନିକ କଥା କୁହାଯାଇ ନାହିଁ। ଦ୍ୱିତୀୟ ଭାଗରେ ଥିବା ବ୍ୟବସ୍ଥା ଅନୁସାରେ ଜଣେ ସରକାରଙ୍କ ଅନୁମତିରେ ସାମାଜିକ ସଂସ୍ଥା ବା ସୋସାଇଟି ରେଜିଷ୍ଟ୍ରେସନ ଆଇନ ବା ସମବାୟ ପଞ୍ଜୀକରଣ ଆଇନ ଅନୁସାରେ ପଞ୍ଜିକୃତ କୌଣସି ଦାତବ୍ୟ ବା ସଦସ୍ୟଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସଂସ୍ଥାର ପଦଭାର ସମ୍ଭାଳିପାରିବେ। ମାତ୍ର, ଭୁବନେଶ୍ୱର କ୍ଲବ ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁସାରେ ପଞ୍ଜୀକୃତ ହୋଇନାହିଁ। ଏହା ମଧ୍ୟ ଏକ ସମବାୟ ସଂସ୍ଥା ନୁହେଁ। ଏଭଳି ଏକ କ୍ଲବର ସଦସ୍ୟ ଓ କାର୍ଯ୍ୟକର୍ତ୍ତା ହେବାକୁ କେଉଁ ଅଧିକାରୀମାନଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି? ନା ସରକାରଙ୍କ ବିନା ଅନୁମତିରେ ସର୍ବଭାରତୀୟ ଅଧିକାରୀମାନେ କ୍ଲବ ସହିତ ଜଡ଼ିତ ହୋଇଛନ୍ତି? ହୁଏତ, ଏବେ ଏସବୁ ପ୍ରଶ୍ନ ଅପ୍ରାସଙ୍ଗିକ ବୋଧ ହେଉଥାଇ ପାରେ। କାରଣ ଏବ ବୋଧହୁଏ ଓଡ଼ିଶାର ଗଣତନ୍ତ୍ର ଓ ଅମଲାତନ୍ତ୍ର ଏକ ଓ ଅଭିନ୍ନ ହୋଇଯାଇଛି। ସେଥିପାଇଁ ଅନେକ ସମୟରେ ଅନେକ ନୀତିନିୟମର ଉଲ୍ଲଙ୍ଘନ ହେଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଶ୍ରୀ ତ୍ରିପାଠୀ ଓ ଶ୍ରୀ ଦେବ ନୁହନ୍ତି, ଏଭଳି ନଜୀର ପୂର୍ବରୁ ଅଛି। ପୂର୍ବରୁ ମଧ୍ୟ ରାଜ୍ୟର କେତେକ ସର୍ବଭାରତୀୟ ଅଧିକାରୀ ଏହି କ୍ଲବର ପରିଚାଳନା ସହିତ ସଂପୃକ୍ତ ଥିଲେ।

୧୯୪୯-୫୦ରେ ମାତ୍ର ୨୩ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ୱର କ୍ଲବର ସଭ୍ୟସଂଖ୍ୟା ଏବେ ପ୍ରାୟ ଅଢ଼େଇ ହଜାର। ଏମାନଙ୍କ ମଧ୍ୟରେ ଅଛନ୍ତି ୧୫୪ ଜଣ କର୍ପୋରେଟ ସଦସ୍ୟ। ଅର୍ଥାତ ଏହି ବର୍ଗର ସଦସ୍ୟମାନେ ହେଲେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପ ସହିତ ଜଡ଼ିତ ବ୍ୟକ୍ତିବିଶେଷ। ସେମାନଙ୍କର ସ୍ୱାର୍ଥ ସେମାନଙ୍କର ବାଣିଜ୍ୟ ବା ଉଦ୍ୟୋଗର ସ୍ୱାର୍ଥ ସହିତ ଜଡ଼ିତ।

ଏବେ ଏହି କ୍ଲବର ଆସେଟ ବା ସଂପତ୍ତିର ମୋଟ ମୂଲ୍ୟ ହେଉଛି ପ୍ରାୟ ୪୬ କୋଟି। ଏଥିମଧ୍ୟରେ ରାଜଧାନୀର ଏଜି ଛକ ନିକଟରେ ଥିବା କ୍ଲବର ବିଶାଳ ପରିସର ଅନ୍ତର୍ଭୁକ୍ତ। ଇତିମଧ୍ୟରେ ଘାଟିକିଆଠାରେ ମଧ୍ୟ କ୍ଲବର ଅନ୍ୟ ଏକ ପରିସର ନିର୍ମାଣ ପାଇଁ ଜମି ଗ୍ରହଣ କରାଯାଇଛି। କ୍ଲବର ବାର୍ଷିକ ବିବରଣୀ ଅନୁଯାୟୀ ଗତ ବର୍ଷ ଏହା ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା। ତା’ ପୂର୍ବ ବର୍ଷ ପାଇଁ ଏହି ପରିମାଣ ଥିଲା ପ୍ରାୟ ୮ କୋଟି ଟଙ୍କା। କରୋନା କଟକଣା ପାଇଁ ଗତ ବର୍ଷ କିଛିଟା ବ୍ୟବସାୟ ହାନୀ ଘଟିଥିବା ବୁଝାପଡ଼ୁଛି। ଗତ ବର୍ଷ କ୍ଲବରେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ମଦ ଓ ୨ କୋଟି ୪୦ ଲକ୍ଷ ଟଙ୍କାର ଖାଦ୍ୟ ବିକ୍ରି ହୋଇଥିଲା। କ୍ଲବଟି ଭାରତର ବିଭିନ୍ନ ସହରରେ ଥିବା ଏହିପରି ପ୍ରାୟ ୧୫୦ କ୍ଲବ ସହିତ ଅନୁବନ୍ଧିତ। ସେସବୁ କ୍ଲବକୁ ଗଲେ ଭୁବନେଶ୍ୱର କ୍ଲବର ସଦସ୍ୟମାନେ ଏଠା ପରି ସୁବିଧା ପାଇପାରିବେ।

ଏକଦା ଏହି କ୍ଲବର ସଭାପତି ଥିଲେ ଖଲ୍ଲିକୋଟ ଓ ଦଶପଲ୍ଲାର ରାଜା। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ମଧ୍ୟ କ୍ଲବର ସଭାପତି ରହିଥିଲେ। ଅନେକ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀମାନେ କ୍ଲବର ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି। କହିବାକୁ ଗଲେ, ଏହି କ୍ଲବଟି ରାଜ୍ୟର ସବୁଠୁ ଆକର୍ଷଣୀୟ ଓ ସମ୍ଭ୍ରାନ୍ତ ଅନୁଷ୍ଠାନରେ ପରିଣତ ହୋଇଛି। ଏହି କ୍ଲବର ସଦସ୍ୟମାନେ ଚାହିଁଲେ ଓଡ଼ିଶାରେ ଏକ ଫରାସୀ ବିପ୍ଳବ ଘଟାଇପାରିବେ, ରାଜ୍ୟର କାୟା ପରିବର୍ତ୍ତନ କରିପାରିବେ, ସବୁ ଘରୁ ଦାରିଦ୍ର୍ୟ ହଟେଇପାରିବେ ଓ ସବୁ ଗାଁରେ ସୁନା ଫଳେଇ ପାରିବେ। କିନ୍ତୁ, ହାୟ! ତାହା ଏଯାଏଁ ହୋଇନାହିଁ। ଆଗକୁ ହେବ ବୋଲି କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ।

ରାଜ୍ୟର ଆଇଏଏସ, ଆଇପିଏସ ଓ ଅନ୍ୟ ବର୍ଗର ସର୍ବଭାରତୀୟ ଅଧିକାରୀ ଏପରିକି ରାଜ୍ୟ ପ୍ରାଶାସନିକ ଅଧିକାରୀମାନେ ନିଜର ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ କ୍ଲବ ଓ ସମିତି ଗଠନ କରିବା ଆଦୌ ଅନୈତିକ କି ଅବୈଧ ନୁହେଁ। କିନ୍ତୁ ତାହା ବ୍ୟବସାୟ କରିବା ଓ ସେଥିରେ ସରକାରଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ବ୍ୟକ୍ତିବିଶେଷମାନେ ସଂପୃକ୍ତ ହେବା ନିଶ୍ଚିତ ଭାବରେ ବିଧି ଓ ନିୟମ ସମ୍ମତ ନୁହେଁ।

ଭୁବନେଶ୍ୱର କ୍ଲବର ପ୍ରାୟ ସମସ୍ତ ସଦସ୍ୟ ହେଉଛନ୍ତି ବିତ୍ତଶାଳୀ ଓ ପ୍ରଭାବଶାଳୀ। କୌଣସି ଗରୀବ ସରକାରୀ କର୍ମଚାରୀ ଏହି କ୍ଲବର ସଦସ୍ୟ ହୋଇପାରିବେ ନାହିଁ। କାରଣ ଫି ପରିମାଣ ଲକ୍ଷାଧିକ। କ୍ଲବ ପରିଚାଳକଙ୍କର ଅନୁମୋଦନ ବି ଆବଶ୍ୟକ। ଏହି ବିତ୍ତଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କ୍ଲବକୁ ଖାସ୍‌ ନିଜର ମନୋରଞ୍ଜନ ଓ ଚିତ୍ତ ବିନୋଦନର ଅନୁଷ୍ଠାନରେ ପରିଣତ ନକରି ଏହାକୁ ଏକ ଦାତବ୍ୟ ଅନୁଷ୍ଠାନରେ ପରିଣତ କଲେ କେମିତି ହୁଅନ୍ତା? ବାତ୍ୟା ଓ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟ ସମୟରେ ରାଜ୍ୟବାସୀ ଭୁବନେଶ୍ୱର କ୍ଲବର ଅବଦାନ ସଂପର୍କରେ ଜାଣିବାକୁ ପାଉ ନାହାନ୍ତି। ସେପରି ହେଲେ ତାହା ନିଶ୍ଚୟ ମଙ୍ଗଳକର ହୁଅନ୍ତା। କ୍ଲବଟି ଯଦି କେବଳ ବିତ୍ତଶାଳୀ, କ୍ଷମତାଶାଳୀ ଓ ପ୍ରତିପତ୍ତିଶାଳୀଙ୍କ ସେବାରେ ନଲାଗି ରାଜ୍ୟର ସାମୂହିକ ବିକାଶ ଓ ପ୍ରଗତିରେ ଅଂଶୀଦାର ହୁଅନ୍ତା ତାହା ହେଲେ ଆହୁରି ଭଲ ହୁଅନ୍ତା। କିନ୍ତୁ ଏକଦା ଯେଉଁ କ୍ଲବ ଖଣ୍ଡାଧାର ଲୁହା ଖଣିର ଲିଜ୍‌ ପାଇଁ ଆବେଦନ କରିଥିଲା ତାହା ଏପରି କରିବ କି?

The post ସରକାର ଏକ କ୍ଲବଘର! appeared first on Odisha Reporter.



from Odisha Reporter https://ift.tt/3acKD1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages