ୱାଶିଂଟନ: ମହାମାରୀ କରୋନା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ଫାଇନଜର-ବାୟୋନଟେକ ପ୍ରସ୍ତୁତ କରିଥିବା ଟିକା। କାରଣ ଆମେରିକା ସରକାର ଛୋଟ ପିଲାମାନଙ୍କୁ ଫାଇଜର ଟିକାର ଡୋଜ୍ ପ୍ରଦାନ କରିବାକୁ ଆଜି ଅନୁମତି ଦେଇଛନ୍ତି। ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ(ଏଫଡିଏ) ୫ରୁ ୧୧ ବର୍ଷର ପିଲାମାନଙ୍କୁ ଟିକାର ଡୋଜ୍ ଦେବାକୁ କହିଛି। ଏଥିସହ ୧୧ରୁ ଅଧିକ ବର୍ଷ ବର୍ଗର ପିଲାମାନେ ମଧ୍ୟ ଫାଇଜର ଟିକା ନେଇପାରିବେ।
ଏହାର ଅର୍ଥ ଫାଇଜର ପ୍ରଥମ ଟିକା ଯାହା ଆମେରିକାରେ ୫ରୁ ୧୧ ବର୍ଷର ପିଲାଙ୍କୁ ଦିଆଯିବ। ପୂର୍ବରୁ ଏହାକୁ ୧୨ ଓ ତା’ଠାରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି। ଅନୁମତି ମିଳିବା ପୂର୍ବରୁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିଥିଲା। ଟ୍ରାଏଲ ବେଳେ ଟିକା ନେବା ପରେ ପିଲାଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ତେଣୁ ଏଫଡିଏ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।
ଏବେ ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ପ୍ରସ୍ତୁତ କରିଥିବା କରୋନାର ଟିକାର ଦୁଇଟି ଡୋଜ୍ ଦିଆଯିବ। ଟିକାର ପ୍ରଥମ ଡୋଜ୍ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ। ଫାଇଜରର ଅଧ୍ୟକ୍ଷ ଆଲର୍ବଟ ବଉର୍ଲା କହିଛନ୍ତି, “ମହାମାରୀ ଆରମ୍ଭ ହେବା ଦିନ ଠାରୁ ଆମେରିକାରେ ୬ ମିଲିୟନରୁ ଅଧିକ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ବି ଅନେକ ଯୁବବର୍ଗର ଲୋକମାନେ ପ୍ରତି ସପ୍ତାହରେ ସଂକ୍ରମିତ ହେଉଛନ୍ତି।
ଏପରି ସ୍ଥିତିରେ ଏଫଡିଏ ଫାଇଜର ଟିକାକୁ ଅନୁମତି ଦେଇଛି। ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଆମେ କରୁଥିବା ପ୍ରୟାସରେ ଏହା ଏକ ବଡ଼ ଉପଲବ୍ଧି। ଟିକାର ଟ୍ରାଏଲରେ ୨,୨୬୮ ଜଣ ସ୍କୁଲ ପିଲାଙ୍କୁ ସାମିଲ କରାଯାଇଥିଲା। ଟ୍ରାଏଲରୁ ଜଣାପଡ଼ିଛି ଯେ କରୋନା ବିରୋଧରେ ଏହା ୯୧% ଫଳପ୍ରଦ। ଏଯାଏ ଟିକା ନେଇଥିବା ୩,୧୦୦ ଜଣ ପିଲା ସୁରକ୍ଷିତ ରହିଛନ୍ତି।”
ବର୍ତ୍ତମାନ ଚାଇନା, କ୍ୟୁବା, ଚିଲ୍ଲି ଓ ୟୁଏଇରେ ଛୋଟ ପିଲାଙ୍କୁ କରୋନା ବିରୋଧୀ ଟିକା ଦିଆଯାଉଛି। ଏଥିରେ ବର୍ତ୍ତମାନ ଆମେରିକା ଯୋଡ଼ି ହୋଇଯାଇଛି।
The post ଛୋଟ ପିଲାଙ୍କୁ ଦିଆଯିବ ଫାଇଜର ଟିକା, ମିଳିଲା ଅନୁମତି appeared first on Odisha Reporter.
from Odisha Reporter https://ift.tt/3wbQKhb
No comments:
Post a Comment