ମୁମ୍ବାଇ: ସାଉଥ୍ର ସୁପର୍ଷ୍ଟାର୍ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ ପରସ୍ପର ଠାରୁ ଅଲଗା ହୋଇଛନ୍ତି। ସେମାନଙ୍କର ୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଦୁହେଁ ଏନେଇ ସୋଶାଲ୍ ମିଡିଆରେ ସୂଚନା ଦେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଉ ପ୍ରତିକ୍ରିୟା ଦେଇଥିବା ସୋଶାଲ ମିଡିଆ ୟୁଜରଙ୍କ ମଧ୍ୟରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ।
ସେ ତାଙ୍କ ପ୍ରତିକ୍ରିୟାରେ ବିବାହ ବିଚ୍ଛେଦକୁ ନେଇ ନିଜର କିଛି ମତ ଦେବା ସହିତ ଜଣେ ବଲିଉଡ୍ ସୁପରଷ୍ଟାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଙ୍ଗନା ଲେଖିଛନ୍ତି- ଏହି ସାଉଥ୍ ଆକ୍ଟର ହଠାତ୍ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି, ଯାହଙ୍କୁ ସେ ୪ ବର୍ଷ ତଳେ ବିବାହ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ସହିତ ସେ ଏକ ଦଶନ୍ଧି ଧରି ରିଲେସନ୍ସିପ୍ରେ ମଧ୍ୟ ଥିଲେ। ଏହି ଅଭିନେତା ଜଣଙ୍କ ନିକଟରେ ବଲିଉଡ୍ର ଜଣେ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ସୁପରଷ୍ଟାର ବଲିଉଡ୍ର ଡିଭୋର୍ସ ଏକ୍ସପର୍ଟ ଭାବେ ଜଣାଶୁଣା। ସେ ଅନେକ ମହିଳା ଓ ଛୁଆଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ଏବେ ତାଙ୍କର (ନାଗା ଚୈତନ୍ୟଙ୍କର) ଗାଇଡ୍ ପାଲଟିଛନ୍ତି। ତେଣୁ ସବୁ କିଛି ସହଜରେ ହୋଇଗଲା। ଆମେ ସମସ୍ତେ ଜାଣିଛନ୍ତି ଯେ ବଲିଉଡ୍ର ସେହି ଷ୍ଟାର ଜଣଙ୍କ କିଏ।
କଙ୍ଗନା ତାଙ୍କ ସୋଶାଲ୍ ମିଡିଆ ପୋଷ୍ଟରେ ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହାକୁ ସମସ୍ତେ ଗ୍ରହଣ କରି ନପାରନ୍ତି। କିନ୍ତୁ ଏହା ସତ। ତେବେ ହଁ, ଶହେରେ ଜଣେ ମହିଳାଙ୍କର ଦୋଷ ଥାଇପାରେ।
ଏହା ସହିତ କଙ୍ଗନା କହିଛନ୍ତି ଯେ ସେହି ଲୋକମାନଙ୍କ ପ୍ରତି ଦୟାଭାବ ପୋଷଣ କରାଯିବା ଉଚିତ୍ ନୁହେଁ, ଯେଉଁମାନେ ମହିଳାମାନଙ୍କୁ ପୋଷାକ ବଦଳାଇଲା ଭଳି ବଦଳାନ୍ତି ଓ ତା’ପରେ ନିଜର ବନ୍ଧୁ ବୋଲି କହନ୍ତି। ପୁଣି ସେମାନେ ଏଥିପାଇଁ ମିଡିଆ ଓ ଫ୍ୟାନ୍ମାନଙ୍କ ଠାରୁ ପ୍ରୋତ୍ସାହନ ପାଇଥା’ନ୍ତି। ଏଭଳି ଲୋକଙ୍କୁ ଦେଖିଲେ ଲଜ୍ଜ୍ୟା ଅନୁଭବ ହୁଏ। କିନ୍ତୁ ମିଡିଆ ଓ ପ୍ରଶଂସକମାନେ ଏଭଳି ଷ୍ଟାରଙ୍କୁ ପ୍ରଶଂସା କରନ୍ତି ଓ ମହିଳାମାନଙ୍କୁ ବିଚାର କରନ୍ତି। ଛାଡ଼ପତ୍ର ମାମଲା ଏବେ ଯେଉଁ ଭଳି ଭାବେ ବଢ଼ିଛି, ତାହା ପୂର୍ବରୁ କେବେ ନଥିଲା।
ସୁପରଷ୍ଟାର ଆମୀର ଖାନ୍ଙ୍କୁ ଟାର୍ଗେଟ୍ କରି କଙ୍ଗନା ଏଭଳି କଥା କହିଥିବା କୁହାଯାଉଛି। ନିକଟରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି। କିରଣ ରାଓଙ୍କୁ ସେ ୧୫ ବର୍ଷ ତଳେ ବାହା ହୋଇଥିଲେ। ତା’ ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ଛାଡ଼ପତ୍ର ଦେଇଥିଲେ।
ସୂଚନାଯୋଗ୍ୟ, ଆମୀର ଖାନ୍ଙ୍କ ଅପ୍କମିଂ ଫିଲ୍ମ ‘ଲାଲ ସିଂହ ଚଢ଼ା’ରେ ନାଗା ଚୈତନ୍ୟ ମଧ୍ୟ ଅଛନ୍ତି। ଏହା ସହିତ ନାଗା ଚୈତନ୍ୟ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି କଙ୍ଗନା ରଣାୱତ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।
The post ନାଗା ଓ ସମନ୍ଥାଙ୍କ ବିଚ୍ଛେଦ ପାଇଁ ଦାୟୀ ଜଣେ ବଲିଉଡ୍ ସୁପରଷ୍ଟାର! ବର୍ଷିଲେ କଙ୍ଗନା appeared first on Odisha Reporter.
from Odisha Reporter https://ift.tt/3B65FuO
No comments:
Post a Comment