ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମହାରାଷ୍ଟ୍ର ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି। ସମୀର କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଯୋଗଦେଇ ଗିରଫ ହୋଇଥିବା ବଲିଡଉ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଘଟଣାର ତଦନ୍ତ କରୁଛନ୍ତି। ଏପରି ସ୍ଥିତିରେ ମହାରାଷ୍ଟ୍ର ପୁଲିସ୍ର ଦୁଇ ଜଣ କର୍ମଚାରୀ ତାଙ୍କ ଉପରେ ନଜର ରଖି ପିଛା କରୁଥିବା ସେ ଡିଜିପିଙ୍କୁ ଭେଟି ଅବଗତ କରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବିଗତ ୬ ବର୍ଷ ହେଲାଣି ସମୀର ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହୋଇଥିବା ଶ୍ମଶାନକୁ ନିୟମିତ ଯାଆନ୍ତି। ସେଠାରେ ଥିବା ସମାଧିକୁ ଦର୍ଶନ କରିବା ପରେ ସେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରନ୍ତି। କିନ୍ତୁ ଏବେ ଓଶିୱାରା ପୁଲିସ୍ ଷ୍ଟେସନର ୨ ଜଣ କର୍ମଚାରୀ ତାଙ୍କ ପିଛା କରିବା ସହ ଶ୍ମଶାନ ଘାଟରୁ ସିସିଟିଭ ଫୁଟେଜକୁ ସଂଗ୍ରହ କରିଛନ୍ତି।
ସେମାନେ ସମୀରଙ୍କ ଗତିବିଧି ଉପରେ ନଜର ରଖିବାକୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। କିଛି ଦିନ ହେଲାଣି ଏପରି ସର୍ଭେଲାନ୍ସରେ ସମୀର ରହିଥିବାରୁ ସେ ବାଧ୍ୟ ହୋଇ ମହରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସମୟରେ ତାଙ୍କ ସହ ଡେପୁଟି ଡିଜି ମୁଥା ଅଶୋକ ଜୈନ ଉପସ୍ଥିତ ଥିଲେ। ସାଦା ପୋଷାକରେ କିଛି ପୁଲିସ୍ କର୍ମଚାରୀ ତାଙ୍କ ପିଛା କରୁଥିବା ସମୀର ଡିଜିପିଙ୍କୁ କହିଛନ୍ତି।
ପୂର୍ବରୁ ସେ ଅନେକ ପ୍ରକାରର ହାଇପ୍ରୋଫାଇଲ ଡ୍ରଗ୍ସ କାରବାର ରାକେଟର ତଦନ୍ତ କରିଥିଲେ ହେଁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇ ନଥିଲେ। କିନ୍ତୁ ଯେବେଠାରୁ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ହୋଇଛି, ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ସମୀର ଡିଜିପିଙ୍କୁ କହିଛନ୍ତି। ତେବେ ଏ ସମ୍ପର୍କରେ ସେ ଗଣମାଧ୍ୟମ ଆଗରେ କୌଣସି ପ୍ରକାରର ପ୍ରତିକ୍ରିୟା ରଖିନାହାନ୍ତି।
ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ରେ ଏନସିବି କରିଥିବା ରେଡ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ଫେକ ବୋଲି କହିଥିଲେ। ଏଥିସହ ସମୀର ବିଜେପି ନେତାଙ୍କ ଲୋକଙ୍କୁ ରେଡ୍ ବେଳେ ଧରିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି। ସେ ଜାଣିଶୁଣି ଆର୍ଯ୍ୟନ ଖାନ ଓ ଅରବାଜ ମରଚାଣ୍ଟ ଭଳି ପିଲାମାନଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ନବାବ ମାଲିକ କହିଥିଲେ। ଏହାର ଜବାବ ମଧ୍ୟ ଏନସିବି ଦେବା ସହ ସବୁ କିଛି ଆଇନର ପରିସର ମଧ୍ୟରେ କରାଯାଉଥିବା ସଫେଇ ଦେଇଥିଲା।
The post ଏନସିବିର ସମୀର ୱାଙ୍ଖେଡେଙ୍କ ପଛରେ ପଡ଼ିଛି କି ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/2YClR8H
No comments:
Post a Comment