ଢେଙ୍କାନାଳ(ରାଜଶ୍ରୀ ଶତପଥି): ଏକ କୁକୁଡ଼ା ଫାର୍ମକୁ ନେଇ ଦେଖାଦେଇଥିବା ବିବାଦ ଶେଷରେ ଉଗ୍ର ରୂପ ନେଲା। ପୁଲିସ୍ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ଗତକାଲି ରାତି ତମାମ ପାଞ୍ଚ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ପାଟ୍ରୋଲିଂ କରୁଥିବା ପୁଲିସ୍ ଟିମ୍ ଗତକାଲି ରାତି ସାରା ଅଟକ ଥିବା ବେଳେ ଆଜି ସେମାନଙ୍କୁ ଛଡ଼ାଇବାକୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ଏପରି ଅସ୍ୱାଭାବିକ ଘଟଣା ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଘଟିଛି।
ସୂଚନାଅନୁଯାୟୀ, କୋକେଇଦା ଗାଁରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଫାର୍ମ କର୍ମଚାରୀଙ୍କୁ ଗାଁ ଭିତରକୁ ନ ଛାଡ଼ିବା ପାଇଁ ଗତକାଲି ରାତିରେ କିଛି ଗ୍ରାମବାସୀ ରାସ୍ତା ଖୋଳୁଥିଲେ। ତେବେ ପାଟ୍ରୋଲିଂ କରୁଥିବା ଗଦିଆଁ ଥାନା ଏଏସ୍ଆଇ ସମେତ ୫ ଜଣ ପୁଲିସ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତା କ’ଣ ପାଇଁ ଖୋଳୁଛ ବୋଲି ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟକ୍ତ ଲୋକ ଗାଡ଼ି ସହ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ।
ଗାଁ ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ବାରମ୍ଵାର ଗ୍ରାମବାସୀ ପୁଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି ସକାଳେ ଏସଡିପିଓ ନେତୃତ୍ୱରେ ଗଁଦିଆ ଥାନା ଆଇଆଇସି ଓ ପୁଲିସ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରୁଥିବା ଜଣାଯାଇଛି। ତେବେ ଶେଷ ଖବର ଅନୁଯାୟୀ, ଗ୍ରାମବାସୀ ଅଟକ ପୁଲିସ୍ କର୍ମଚାରୀଙ୍କୁ ଛାଡ଼ି ନ ଥିବା ଜଣାଯାଇଛି।
The post ରାଗିଗଲେ ଗ୍ରାମବାସୀ, ରାତି ତମାମ ୫ ପୁଲିସ କର୍ମଚାରୀ ଅଟକ appeared first on Odisha Reporter.
from Odisha Reporter https://ift.tt/3Bxmb7d
No comments:
Post a Comment