ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ସଶସ୍ତ୍ର ତାଲିମ ପ୍ରାପ୍ତ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟକୁ ୮ ଦିନ ବିତି ଗଲାଣି। ତଥାପି ଗୁଳି ବିନିୟମ ଥମିବାର ନାଁ ଧରୁନି। ଏହି ଏନକାଉଣ୍ଟରେ ଦୁଇ ଜଣ ଜେସିଓଙ୍କ ସମେତ ୯ ଜଣ ଯବାନ ସହିଦ ମଧ୍ୟ ହୋଇଛନ୍ତି।
କିନ୍ତୁ କେତେ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ତା’ର ଖବର ମିଳିନି। କାରଣ ଏନକାଉଣ୍ଟର ଚାଲିଥିବାରୁ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ। କୌଣସି ଗୋଟିଏ ସ୍ଥାନରେ ଏତେ ଦିନ ଯାଏ ଏନକାଉଣ୍ଟର ଚାଲିବା ବିଗତ କିଛି ବର୍ଷ ମଧ୍ୟରେ ସମ୍ଭବତଃ ଜମ୍ମୁ-କଶ୍ମୀରରେ ପ୍ରଥମ ଘଟଣା।
ପୁଞ୍ଚରେ ସୁରକ୍ଷାକର୍ମୀମାନଙ୍କ ସହ ଲଢ଼େଇ କରୁଥିବା ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତରେ ଅନୁପ୍ରବେଶ କରିଛନ୍ତି। ଏମାନଙ୍କୁ ଲଢ଼େଇର ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ପାକିସ୍ତାନ ସେନାର କମାଣ୍ଡୋଙ୍କ ଠାରୁ ତାଲିମ ପାଇବା ପରେ ସେମାନେ ଭାରତରେ ଅନୁପ୍ରବେଶ କରିଛନ୍ତି। ଏପରି କି କିଛି ପାକ୍ କମାଣ୍ଡୋ ମଧ୍ୟ ଆତଙ୍କୀଙ୍କ ସହ ରହି ଭାରତୀୟ ଯବାନଙ୍କ ସହ ଲଢ଼େଇ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସେମାନେ ବେଶ ଯୋଜନାବଦ୍ଧ ଭାବେ ଭାରତୀୟ ସୁରକ୍ଷାକର୍ମୀଙ୍କ ସହ ୮ ଦିନ ହେଲା ଲଢ଼ୁଛନ୍ତି।
ଅକ୍ଟୋବର ୧୦ରୁ ଘଞ୍ଚ ଜଙ୍ଗଲର ୮ରୁ ୯ କିମି ଅଞ୍ଚଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର କମ୍ବିଂ କରାଯାଉଥିବା ବେଳେ ଏଯାଏ ଆତଙ୍କବାଦୀମାନେ ଗୁଳି ମାଡ଼ ବନ୍ଦ କରି ନାହାନ୍ତି। ପ୍ରଥମେ ୧୦ ଅକ୍ଟୋବର ରାତିରେ ପୁଞ୍ଚର ଡେରା ୱାଲି ଗଲିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।
ଏଥିରେ ଜଣେ ଜେସିଓଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ଏହି ଅଞ୍ଚଳଟି ଏଲଓସିକୁ ଲାଗି ରହିଛି। ଏହାର ବଦଲା ନେବାକୁ ସୋମବାର ଠାରୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ। ତେବେ ଅକ୍ଟୋବର ୧୪ରେ ପୁଞ୍ଚର ନାର ଖାସ୍ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର୍ରେ ପୁଣି ଦୁଇ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଜଣେ ଯବାନ ଓ ଜଣେ ଜେସିଓ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଭୟ ଯବାନଙ୍କ ମୃତଦେହ ସୁରକ୍ଷାକର୍ମୀମାନେ ଠାବ କରିବାକୁ ସକ୍ଷମ ହୋଇଥିଲେ।
ପୁଲିସ ଓ ସେନା ପକ୍ଷରୁ ମିଳିଥିବା ସୂତ୍ର ଅନୁସାରେ, ପୁଞ୍ଚ ଜଙ୍ଗଲରେ ଆଠ ଦିନ ଧରି ଭାରତୀୟ ସେନାର ଶହଶହ ଯବାନଙ୍କ ସହ ଲଢ଼େଇ କରୁଥିବା ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଛନ୍ତି। ସେମାନଙ୍କୁ ପାକିସ୍ତାନୀ ସେନା ହିଁ ତାଲିମ ଦେଇଛି। ନଚେତ ସେମାନେ କେବେ ହେଲେ ଏତେଦିନ ଲଢ଼େଇ କରିପାରି ନଥାଆନ୍ତେ।
ସାଧାରଣତଃ ଆତଙ୍କବାଦୀମାନେ ଦୁଇରୁ ୩ ଦିନ ମଧ୍ୟରେ ହିଁ ନିହତ ହୋଇଯାଆନ୍ତି। ପ୍ରଥମଥର ପାଇଁ ୮ ଦିନ ହେଲା ଗୁଳି ବିନିମୟ ଜାରି ରହିଛି। ତେଣୁ ଭାରତ ବିରୋଧରେ ପାକିସ୍ତାନ ସାଂଘାତିକ ଷଡ଼ଯନ୍ତ୍ର କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଞ୍ଚ ଜଙ୍ଗଲରେ ଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ପାକିସ୍ତାନୀ କମାଣ୍ଡୋ ମଧ୍ୟ ରହିଥିବା କୁହାଯାଉଛି। ତେବେ ଏନକାଉଣ୍ଟର ସରିବା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।
ବର୍ତ୍ତମାନ ଯବାନମାନେ ଜଙ୍ଗଲର ଗୋଟିଏ ଅଞ୍ଚଳକୁ ଘେରି ରହିଛନ୍ତି। ଏହି ଅପରେସନରେ ପାରା କମାଣ୍ଡୋ ଓ ହେଲିକପ୍ଟର ବ୍ୟବହାର କରାଯାଉଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ିଆ ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିବାରୁ ଅପରେସନରେ ବାଧା ଉପୁଜୁଥିବା କୁହାଯାଉଛି।
The post ୮ ଦିନରେ ୯ ଯବାନ ସହିଦ: ତଥାପି ସରୁନି ଏନକାଉଣ୍ଟର, ଆତଙ୍କୀଙ୍କ ସହ ପାକ କମାଣ୍ଡର ସାମିଲ! appeared first on Odisha Reporter.
from Odisha Reporter https://ift.tt/3BRy1tb
No comments:
Post a Comment