ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ହେଲେ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେବା ସହ ଚୀନ୍ ସୈନ୍ୟଙ୍କୁ ଘଡ଼ଡାଇ ଦେଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଅରୁଣାଚଳପ୍ରଦେଶରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ ବେଳେ ଉଭୟ ଦେଶ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଚୀନ୍ ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ପ୍ରାୟ ୨୦୦ ଚୀନ୍ ସେନାଙ୍କୁ ଭାରତୀୟ ସେନା କାବୁ କରି ନେଇଥିଲେ। । ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହେବା ପରେ ଭାରତୀୟ ସେନା ସେମାନଙ୍କୁ ଛାଡ଼ି ଦେଇଥିଲେ। ଏଥିରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହା ଗତ ସପ୍ତାହର ଘଟଣା ହୋଇଥିବା ବେଳେ ଏବେ ଗଣମାଧ୍ୟମରେ ଲୋକଲୋଚନକୁ ଆସିଛି।
ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଅପରପାର୍ଶ୍ୱରେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି।
ଏହାପୂର୍ବରୁ ଗତକାଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଥିଲେ, ଚୀନର ଏକତରଫା ଓ ଉସୁକାଇବା ପରି ଆଚରଣ ଯୋଗୁ LACରେ ଶାନ୍ତି ଗମ୍ଭୀର ରୂପେ ବାଧାପ୍ରାପ୍ତ ହେଉଛି। ତେଣୁ ଚୀନ୍ ଦ୍ୱିପାକ୍ଷିକ ବୁଝାମଣା ଓ ପ୍ରୋଟକଲକୁ ସମ୍ପୂର୍ଣ୍ଣ ଭାବେ ମାନିବା ଉଚିତ ବୋଲି ଭାରତ ଚେତାଇ ଦେଇଛି। ଏଥିସହ ପୂର୍ବ ଲଦାଖରେ LACକୁ ନେଇ ବିଭିନ୍ନ ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ପୂର୍ବ ବର୍ଷ ପୂର୍ବ ଲଦାଖରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାପରେ ସୀମା ଗତିରୋଧ ଆରମ୍ଭ ହୋଇଥିଲା। ଏହାପରେ ସୀମାରେ ଉଭୟ ପକ୍ଷ ବହୁ ମାତ୍ରାରେ ସୈନ୍ୟ ମୁତୟନ ସହ ଗୁଳିଗୋଳା ମହଜୁଦ କରିବାକୁ ଲାଗିଲେ। ସ୍ଥିତିକୁ ସାମାନ୍ୟ କରିବାକୁ ଉଭୟ ଦେଶ ମଧ୍ୟରେ ରାଜନୈତିକ ସ୍ତରରେ ଓ ପ୍ରତିରକ୍ଷା ବିଭାଗର ଉଚ୍ଚ ଅଧିକାର ସ୍ତରରେ ବହୁବାର ଆଲୋଚନା ହୋଇ ସାରିଲାଣି। ବହୁ ସ୍ଥାନରେ ଉଭୟ ଦେଶର ସୈନ୍ୟ ପଛକୁ ଫେରିଥିବା ବେଳେ ଏବେବି ବହୁ ସ୍ଥାନରେ ସୈନ୍ୟ ମୁତୟନ ହୋଇଛନ୍ତି।
The post ପୁଣି ଭାରତ- ଚୀନ୍ ମୁହାଁମୁହିଁ, ୨୦୦ ଚୀନ୍ ସୈନ୍ୟଙ୍କୁ କାବୁ କଲା ଭାରତୀୟ ସେନା appeared first on Odisha Reporter.
from Odisha Reporter https://ift.tt/3anOyZu
No comments:
Post a Comment