ମୁମ୍ବାଇ: ମୁମ୍ବାଇର କ୍ରୁଜ୍ରେ ଡ୍ରଗ୍ସ ପାର୍ଟିରେ ଯୋଗଦେଇଥିବା କିଙ୍ଗ ଖାନଙ୍କ ପୁଅ ଏବେ ଜେଲ୍ ହାଜତରେ । ଏହି ମାମଲାରେ ବଲିଉଡ କନେକ୍ସନ ଥିବା ସନ୍ଦେହରେ ଚଢ଼ାଉକୁ ଜୋରଦାର କରିଛି ଏନସିବି। ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସକାଳେ ସୂଚନା ଦିଆଯାଇଛି।
ଗତ ବର୍ଷ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଖତ୍ରିଙ୍କ ନାମ ଚର୍ଚ୍ଚାର ବିଷୟ ହୋଇଥିଲା। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀଙ୍କ ଓକିଲ ଅଶୋକ ସାରୋଗୀ ଡ୍ରଗ୍ସ ମାମଲାରେ ଖତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ। ଇମତିଆଜ ଖତ୍ରି ହିଁ ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।
ଏହାବାଦ ଅଶୋକ ସାରୋଗୀ ସିବିଆଇକୁ କହିଥିଲେ, “ଖତ୍ରୀ ମୁମ୍ବାଇର ଜଣେ ନାମଜାଦା ବିଲଡରଙ୍କ ପୁଅ । ସେ ବଲିଉଡର ବହୁ କଳାକାରଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ। ବଲିଉଡର ବହୁ ଟପ୍ ଷ୍ଟାର ନିୟମିତ ଭାବେ ଡ୍ରଗ୍ସ ସେବନ କରୁଥିବା ବେଳେ ଖତ୍ରୀ ସେମାନଙ୍କୁ ଏହି ନିଶା ଯୋଗାଇଥାନ୍ତି। କେବଳ ବଲିଉଡ ନୁହେଁ, ବହୁ ମନ୍ତ୍ରୀ ବି ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ପୁଲିସ୍ ଜାଣତରେ ଖତ୍ରୀ ଏସବୁ କାମ କରୁଥିବା ବେଳେ ପୁଲିସ୍ ଚୁପ୍ ରହିଥାଏ। ଖତ୍ରୀ ଏକ ବଡ ମାଛ । ସେ ବଲିଉଡ ସହ ଭଲ ଭାବେ ଜଡ଼ିତ।”
ଇମତିଆଜ ଖତ୍ରୀ INK ଇନଫ୍ରାଷ୍ଟ୍ରଚରର ବିଲଡର ହୋଇଥିବା ବେଳେ VVIP Universal Entertainment Companyର ପ୍ରଡ୍ୟୁସର ମଧ୍ୟ ଅଛନ୍ତି। ୨୦୧୭ ମସିହାରେ ଆସିଥିବା ଏକ ମରାଠି ଫିଲ୍ମକୁ ସେ ପ୍ରଡ୍ୟୁସ୍ କରିଥିଲେ। ଏହାବାଦ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ଙ୍କ ସହ ଥିବା ଲିଙ୍କକୁ ନେଇ ମଧ୍ୟ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ଖତ୍ରୀ।
ସୂଚନାଯୋଗ୍ୟ, ଏନସିବି ଗତ ଶନିବାର ମୁମ୍ବାଇରେ ଏକ କ୍ରୁଜ୍ ଉପରେ ଚଢ଼ାଉ କରି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ଏହି ଚଢ଼ାଉ ପରେ ଏନସିବି ପକ୍ଷରୁ କ୍ରୁଜ୍ରୁ ଗିରଫ ଅଭିଯୁକ୍ତଙ୍କ ସହ ଡ୍ରଗ୍ ପେଡଲରଙ୍କ କନେକ୍ସନକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।
କିଙ୍ଗ ଖାନ୍ଙ୍କ ପୁଅ ଆର୍ଯ୍ୟନ ଓ ଗିରଫ ଅନ୍ୟ ୨ ଜଣଙ୍କ ହ୍ୱାଟସ୍ ଆପ୍ ଚାଟ୍ରୁ ଆନ୍ତର୍ଜାତୀୟ ଡ୍ରଗ୍ କାରବାରରେ ସେମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ବୋଲି ଗତକାଲି ଏନସିବି ପକ୍ଷରୁ କୋର୍ଟରେ କୁହାଯାଇଛି। ଏହି ଚାଟ୍ରେ ବହୁ କୋଡ ୱାର୍ଡ ବ୍ୟବହାର ହେଉଥିବା ବେଳେ କିପରି ପେମେଣ୍ଟ କରାଯିବ ସେ ସମ୍ପର୍କରେ ମଧ୍ୟ ଚାଟ୍ ରହିଛି।
ଅପରପକ୍ଷେ ଆର୍ଯ୍ୟନଙ୍କ ପାଖରୁ କିଛି ବି ଡ୍ରଗ୍ସ ଜବତ ହୋଇ ନ ଥିବା ତାଙ୍କ ଓକିଲ କହିଛନ୍ତି।
The post ଏନସିବି ସ୍କାନରରେ ପ୍ରଡ୍ୟୁସର ଇମତିଆଜ ଖତ୍ରୀ, ସକାଳୁ ଚାଲିଛି ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/3iKRh49
No comments:
Post a Comment