ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡା ସହର ଦେଇ ଯାଉଥିବା ତୃତୀୟ ରେଳ ଲାଇନ ପାଇଁ ବିସ୍ଥାପିତ ହୋଇଥିବା ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଢ଼ିହ ପଟ୍ଟା ପ୍ରଦାନ ଦାବିରେ ଆଜି ରାୟଗଡା ସହରରେ ୧୨ ଘଣ୍ଟିଆ ଚକ୍କା ଜାମ ଡାକରା ଦେଇଛି ବିଜେପି ନଗର ମୋର୍ଚ୍ଚା । ହେଲେ ଆନ୍ଦୋଳନ ଆରମ୍ଭ ହେଉ ହେଉ ପୁଲିସ୍ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଉଠାଇ ନେଇଛି। ଫଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବିଜେପି ପକ୍ଷରୁ ଆଜି ରାୟଗଡା ସହରର ତୁମ୍ବିଗୁଡା ଛକ, ସିରିଗୁଡା ଛକ, ମଝି ଘରିଆଣି ମନ୍ଦିର ଛକରେ ରାସ୍ତାଜାମ କରାଯାଇଛି । ତେବେ ଏସବୁ ସ୍ଥାନରେ ପୋଲିସ ପହଞ୍ଚି ଭାଜପା ନଗର ସଭାପତିଙ୍କ ସମେତ ୧୫ ବିଜେପି କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ଆଣି ଥାନାରେ ଅଟକ ରଖିଛି ।
ପୋଲିସର ଏଭଳି ପଦକ୍ଷେପକୁ ନଗର ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯିବ ସହ ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ଦେବାକୁ ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
ଏନେଇ ରାୟଗଡା ନଗର ବିଜେପି ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାସ କହିଛନ୍ତି, ଦୀର୍ଘ ଦିନ ହେଲାଣି ବିଜେପି ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ରାୟଗଡ଼ା ବନ୍ଦ ଡାକରା ଦିଆଯାଇଛି। ମାତ୍ର ଅଧ ଘଣ୍ଟାର ଆନ୍ଦୋଳନ ପରେ ସହିପାରିଲେଣି ସରକାରୀ ଦଳ। ପୁଲିସ୍ ଲଗାଇ ଆମ କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଇଛି। ଜିଲ୍ଲା ପ୍ରଶାସନ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତି। ବିଜେପି ଗରୀବଙ୍କ ଉପରେ ଜୁଲମ ସହିବ ନାହିଁ। ଆଗକୁ ଏଥିନିମନ୍ତେ ଆଇନ ବିଶୃଙ୍ଖଳା ହେଲେ ପ୍ରଶାସନ ହିଁ ଦାୟୀ ରହିବ।
The post ଆଜି ରାୟଗଡାରେ ବିଜେପିର ଚକା ଜାମ, ରାସ୍ତାକୁ ଓହ୍ଲାଉ ଓହ୍ଲାଉ ଟେକି ନେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3pzq8Fe
No comments:
Post a Comment