ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେବାର ଗୋଟିଏ ଦିନ ପରେ କ୍ଷମା ମାଗିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ୍। ହିନ୍ଦୁମାନଙ୍କ ସମ୍ମୁଖରେ ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ନମାଜ କରିବା ତାଙ୍କ ପାଇଁ ବହୁତ ଖାସ୍ ଥିଲା ବୋଲି କହିଥିଲେ ୱାକର। ତେବେ ଏହାକୁ ନେଇ ବିବାଦ ଦେଖାଯିବା ପରେ ସେ ଟ୍ୱିଟ୍ କରି କ୍ଷମା ମାଗିଛନ୍ତି।
ୱାକର ଟ୍ୱିଟ୍ କରି ଲେଖିଛନ୍ତି- ଉତ୍ତେଜିତ ହୋଇ ମୁଁ କିଛି କହି ଦେଇଥିଲି, ଯାହା ଅନେକଙ୍କ ଭାବନାକୁ ଆଘାତ ଦେଇଛି। ତେବେ ସେମାନଙ୍କ ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଅଜାଣତରେ ଏହି ଭୁଲ୍ ହୋଇଯାଇଥିଲା। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ କ୍ରୀଡ଼ା ସମସ୍ତଙ୍କୁ ଏକଜୁଟ୍ କରିଥାଏ।
ହିନ୍ଦୁମାନଙ୍କ ସମ୍ମୁଖରେ ରିଜୱାନଙ୍କ ନମାଜକୁ ନେଇ ୱାକର ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ ଭାରତୀୟ ଭାଷ୍ୟକାର ହର୍ଷ ଭୋଗଲେ। ସେ କହିଥିଲେ ଯେ ୱାକର ୟୁନିସ୍ଙ୍କ ଏଭଳି ମନ୍ତବ୍ୟ ଖୁବ୍ ବିପଜ୍ଜନକ। କ୍ରିକେଟ୍ ସହିତ ଜଡ଼ିତ ସମସ୍ତ ଲୋକ ଏକଜୁଟ୍ ହେବା ଉଚିତ୍। ଧର୍ମ ନାଁରେ ସେମାନେ ବିଭାଜିତ ହେବା ଉଚିତ୍ ନୁହେଁ।
ଏହା ସହିତ ହର୍ଷ କହିଥିଲେ, ୱାକର ୟୁନିସ୍ଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଠାରୁ ଏଭଳି ମନ୍ତବ୍ୟ କେବେ ଆଶା କରାଯାଏ ନାହିଁ। ଏହା ମର୍ମାହତ କରିଛି। କ୍ରିକେଟର ମାନେ ଆଉ ଟିକେ ଦାୟିତ୍ୱବାନ ହେବା ଉଚିତ୍। ମୁଁ ନିଶ୍ଚିତ ଯେ ୱାକର ଏଥିପାଇଁ କ୍ଷମା ମାଗିବ।
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ଡ୍ରିଙ୍କସ ବ୍ରେକ୍ ବେଳେ ମହମ୍ମଦ ରିଜୱାନ ନମାଜ କରିଥିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, ଦୁବାଇରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ୧୦ ୱିକେଟ୍ରେ ଭାରତକୁ ହରାଇଥିଲା। ମହମ୍ମଦ ରିଜୱାନ ଅପରାଜିତ ୭୯ ରନ୍ କରିଥିବା ବେଳେ ଅଧିନାୟକ ବାବର ଆଜମ ମଧ୍ୟ ଅପରାଜିତ ୬୮ ରନ୍ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ବିଶ୍ୱକପ୍ରେ (ଟି-ଟ୍ୱେଣ୍ଟି ହେଉ କି ଦିନିକିଆ) ଭାରତକୁ କେବେ ହରାଇ ନଥିଲା।
The post କ୍ଷମା ମାଗିଲେ ୱାକର ୟୁନିସ୍, ହର୍ଷ ଭୋଗଲେ କରିଥିଲେ ତୀବ୍ର ବିରୋଧ appeared first on Odisha Reporter.
from Odisha Reporter https://ift.tt/2XRWHD8
No comments:
Post a Comment